୬୪ରେ ପହଞ୍ଚିଲା ଦେଶରେ ରାମ୍ସାର କ୍ଷେତ୍ର ସଂଖ୍ୟା
ଭୁବନେଶ୍ୱର: ପ୍ରଥମେ ଚିଲିକା । ପରେ ଭିତରକନିକା । ଏବେ ସାତକୋଶିଆ । ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମି ଭାବେ ରାମ୍ସାର କ୍ଷେତ୍ର ମାନ୍ୟତା ମିଳିଛି । ଫଳରେ ଏଣିକି ସାତକୋଶିଆର ବ୍ୟାପକ ଅର୍ଥ ବ୍ୟୟରେ ଜୈବ ବିଭିଦତାକୁ ସୁରକ୍ଷା ଦେବା ସହ ଜଳ ଓ ମୃତ୍ତିକା ସଂରକ୍ଷଣ ସମ୍ଭବ ହେବ । ଏଥିପାଇଁ ଜୀବଜନ୍ତୁ ବି ସୁରକ୍ଷିତ ଭାବେ ଚଳପ୍ରଚଳ କରିପାରିବେ । କଟକଣା ଜାରି ହେବ । ବିନାନୁମତିରେ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକ ବା ଅନ୍ୟକେହି ପ୍ରବେଶ କରିପାରିବେ ନାହିଁ ।
ମିଳିଥିବା ସୂଚନାନୁସାରେ ୧୯୭୧ରେ ଇରାନ୍ରେ ‘ରାମସାର କନଭେନ୍ସନ’ରେ ବିଶ୍ୱର ସବୁ ଆର୍ଦ୍ରଭୂମିକୁ ସୁରକ୍ଷା ରଖିବା ପାଇଁ ବିଶ୍ୱର ପ୍ରାୟ ଅଧିକାଂଶ ଦେଶ ସ୍ୱାକ୍ଷର କରିଥିଲେ । ଆର୍ଦ୍ରଭୂମିକୁ ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାମସାର ମନ୍ୟାତା ୟୁନିସ୍କୋ ହିଁ ସ୍ୱୀକୃତି ଦେଇଥାଏ । ତେବେ ୧ ଫେବୃଆରୀ ୧୯୮୨ରେ ଭାରତ ଏଥିରେ ସ୍ୱାକ୍ଷର କରିଥିଲା । ସେବେଠାରୁ ଭାରତରେ ଥିବା ସବୁ ବଡ଼ ଆର୍ଦ୍ର ଭୂମିକୁ ଚିହ୍ନଟ କରାଯାଇଥିଲା । ଦେଶରେ ମୋଟ୍ ୧୨ ଲକ୍ଷ ୫୦ ହଜାର ୩୬୧ ହେକ୍ଟର ଆର୍ଦ୍ରଭୂମି କ୍ଷେତ୍ରକୁ ଏହି ମାନ୍ୟତା ମିଳିଛି । ଏସିଆର ବୃହତ୍ତମ ଲୁଣା ଦ୍ରଦ ନିଲାମ୍ବୁ ଚିଲିକା ପ୍ରଥମେ ରାମ୍ସାର ମାନ୍ୟତା ପାଇଥିଲା । ପରେ ଭିତରକନିକା ଅଭୟାରଣ୍ୟକୁ ଏହି ମାନ୍ୟତା ମିଳିଥିଲା । ଏବେ ସାତକୋଶିଆ ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମ୍ସାର କ୍ଷେତ୍ର ମାନ୍ୟତା ମିଳିଛି ।
ଏହାକୁ ମିଶାଇ ଦେଶରେ ମୋଟ୍ ରାମସାର କ୍ଷେତ୍ର ସଂଖ୍ୟା ୬୪ରେ ପହଞ୍ଚିଛି । ତେବେ ଚଳିତ ଥର ଓଡ଼ିଶା, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ କ୍ଷେତ୍ରକୁ ଏହି ମାନ୍ୟତା ପ୍ରଦାନ କରାଯାଇଥିବାବେଳେ ତାମିଲନାଡ଼ୁର ୬ଟି ଆର୍ଦ୍ରଭୂମିକୁ ରାମସାର ମାନ୍ୟତା ମିଳିଥିବା ଜଣାପଡ଼ିଛି । ତେବେ ସାତକୋସିଆକୁ କେନ୍ଦ୍ର ସରାକାର ୧୯୭୬ରେ ଅଭୟାରଣ୍ୟ ମାନ୍ୟତା ଦେଇଥିଲେ । ହେଲେ ୨୦୦୭ରେ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲ ଭାବେ ରାଜ୍ୟ ସରକାର ଘୋଷଣା କରିଥିଲେ । ଏହି ଅଭୟାରଣ୍ୟଟି ପ୍ରବଲ ଘଞ୍ଚ । ଶାଳ ଓ ପିଆଶାଳରେ ଭର୍ତ୍ତି । ଏହାରି ମଧ୍ୟଦେଇ ମହାନଦୀ ୨୨ କିମି ଅତିକ୍ରମ କରିଛି ।