30.1 C
Bhubaneswar
Thursday, April 25, 2024
Homeଏକ୍ସକ୍ଲୁସିଭ୍ନିର୍ଭର ପ୍ରତିଶୃତି ମିଳିଲାନି

ନିର୍ଭର ପ୍ରତିଶୃତି ମିଳିଲାନି

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ରାଜ୍ୟସଭା ନିର୍ବାଚନ ଯେତିକି ନିକଟତର ହେବାରେ ଲାଗିଛି ଆଶାୟୀଙ୍କ ମଧ୍ୟରେ ସେତିକି ଛନକା ପଶୁଛି । ବିଶେଷ କରି ନିର୍ବାଚନ ସମୟରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ନିର୍ଭର ପ୍ରତିଶ୍ରୁତି ପାଇଥିବା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏଥର ନିଶ୍ଚିତ ରାଜ୍ୟସଭା ଯିବେ ବୋଲି ଆଶା ରଖିଛନ୍ତି । ଏଥର ରାଜ୍ୟସଭା ପାଇଁ ଓଡ଼ିଶାର ୪ଟି ଆସନ ଖାଲି ହେଉଛି । ବିଜେଡି ଚାହିଁଲେ ୪ଟି ଜାକ ଆସନ ଅକ୍ତିଆର କରିପାରିବ । ହେଲେ ଆଶା ବାନ୍ଧିଥିବା ଏହି ଦୁଇ ନେତା ସମ୍ପୂର୍ଣ୍ଣ ଭରସା ରଖିପାରୁ ନାହାଁନ୍ତି । ଆଉ ନବୀନ ନେତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଉନାହାଁନ୍ତି । ଏବେ କୁହାଯାଉଛି ଏହି ଦୁଇ ନେତାଙ୍କ ଆଶା ପୁଣି ଆଶାରେ ରହିଯାଇପାରେ । ପୂର୍ବତନ ବିଧାୟକ ଚ୍ୟାଉ ପଟ୍ଟନାୟକ ଖୋଲାଖୋଲି କହିଛନ୍ତି ନବୀନ ଆଉ ନିର୍ଭର ପ୍ରତିଶ୍ରୁତି ତାଙ୍କୁ ଦେଉନାହାଁନ୍ତି । ତଥାପି ଆଶା ବାନ୍ଧିଥିବା କଥା କହୁଛନ୍ତି ।
ରାଜ୍ୟସଭା ନିର୍ବାଚନ ଘୋଷଣା ହେବା ପରେ ବିଜେଡି ନେତାଙ୍କ ଭିତରେ ଛକାପଞ୍ଝା ଆରମ୍ଭ ହୋଇଛି । ଲୋକସେବା ଭବନରେ ଦେଖିବାକୁ ମିଳୁ ନ ଥିବା ନେତାମାନଙ୍କୁ ଏବେ ଚକ୍କର କାଟୁଥିବା ଦେଖାଯାଉଛି । ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ ଲୋକସେବା ଭବନରେ ଦେଖାଯାଇଥିଲା । ଏପରି କି ତାଙ୍କ ପିତା ଅନଙ୍ଗ ଉଦୟସିଂହଦେଓ ମଧ୍ୟ ଲବି ଚଳାଇଥିବା ଜଣାପଡ଼ିଛି । ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ମଧ୍ୟ ଅନ୍ୟତମ ଆଶାୟୀ । ସେ ବି ଲୋକସେବା ଭବନକୁ ଆସୁଥିବା ଦେଖାଯାଇଛି । ଏହାଛଡ଼ା ଅନ୍ୟ ଆଶାୟୀମାନେ ମଧ୍ୟ ଅଛନ୍ତି । ଗତ ନିର୍ବାଚନରେ ହାରିଥିବା ନେତାମାନେ ରାଜ୍ୟସଭାକୁ ଯିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ବିଭିନ୍ନ ସମୟରେ ବିଜେଡିର ମାର୍ଗ ଦର୍ଶକ ସାଜିଥିବା ଓ ନିର୍ବାଚନ ସମୟରେ ସହାୟତା କରିଥିବା କିଛି ବ୍ୟକ୍ତି ମଧ୍ୟ ଆଶାବାନ୍ଧି ବସିଛନ୍ତି । ବିଜେଡିର ଆଶାୟୀ ତାଲିକା ବେଶ ଲମ୍ବା ।
ଗତ ସାଧାରଣ ନିର୍ବାଚନ ସମୟରେ ନବୀନ ୨ ଜଣ ଦଳୀୟ ନେତାଙ୍କୁ ଟିକେଟରୁ ବଂଚିତ କରିବା ସମୟରେ ରାଜ୍ୟସଭାକୁ ପଠାଇବେ ବୋଲି ସାଧାରଣରେ ଘୋଷଣା କରିଥିଲେ । ଏଥିରେ ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟାଶାଣୀଙ୍କ ନାମ ଥିଲା । ଲଗାତାର ଭାବେ ନିର୍ବଚାନ ଜିତି ଚାଲିଥିବା ଶ୍ରୀ ପାଟ୍ଟଶାରୀଙ୍କୁ ଏଥର ଲୋକସଭା ନିର୍ବାଚନରେ ନବୀନ ଟିକେଟ ଦେଇ ନ ଥିଲେ । ତାଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ଗଣମାଧ୍ୟମକୁ କହିଥିଲେ । ସେହିପରି ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ସାଧାରଣ ନିର୍ବାଚନରେ ବିଧାନସଭା ଟିଟେକ ନ ଦେଇ ରାଜ୍ୟସଭାକୁ ପଠାଇବେ ବୋଲି ଘୋଷଣା କରିଥିଲେ । କିନ୍ତୁ ନିର୍ବାଚନ ପରେ ଗତବର୍ଷ ୩ଟି ରାଜ୍ୟସଭା ଆସନ ଖାଲି ହୋଇଥିଲା । ଏଥିରେ ଏହି ଦୁଇ ନେତା ଆଶାବାନ୍ଧି ବସିଥିଲେ । ହେଲେ ନବୀନ ଏମାନଙ୍କୁ ନିରାଶ କରିଥିଲେ । ଗୋଟିଏ ଆସନ ବିଜେପିକୁ ଟେକିଦେଇ ଆଉ ଦୁଇଟି ଆସନରେ ନିଜ ଦଳର ନେତା ଅମର ପଟ୍ଟନାୟକ ଓ ଶସ୍ମୀତ ପାତ୍ରଙ୍କୁ ରାଜ୍ୟସଭାକୁ ପଠାଇଥିଲେ । ଆଗକୁ ପୁଣି ଆସନ ଖାଲି ହେବ ଓ ସେଥିରେ ସ୍ଥାନ ମିଳିବ ଏହି ଆଶାରେ ଦୁଇ ଆଶାୟୀ ଥିଲେ । ଏବେ ୪ଟି ଆସନ ଖାଲି ହେବାକୁ ଯାଉଥିବାରୁ ସେମାନଙ୍କ ଆଶା ବଢ଼ିଯାଇଛି ।
ପୂର୍ବରୁ ପ୍ରତିଶ୍ରୁତି ପାଇଥିବା ଶ୍ରୀ ଚ୍ୟାଉ ପଟ୍ଟନାୟକ ଗତ ମଙ୍ଗଳବାର ନବୀନଙ୍କୁ ଭେଟିଥିଲେ । ସେ ଭେଟିବା ସମୟରେ ପୂର୍ବର ପ୍ରତିଶ୍ରୁତିକୁ ମନେପକାଇ ଦେଇଥିଲେ ଏବଂ ନିଜର ଇଚ୍ଛା ମଧ୍ୟ ପ୍ରକାଶ କରିଥିଲେ । ହେଲେ ନବୀନ ତାଙ୍କୁ ଏଥର ରାଜ୍ୟସଭାକୁ ପଠାଇବେ ବୋଲି କୌଣସି ପ୍ରତିଶ୍ରୁତି ଦେଇ ନ ଥିଲେ । କେବଳ ତାଙ୍କଠାରୁ ଶୁଣି ନୀରବ ରହିଥିଲେ । ଏ ସମ୍ପର୍କରେ ଚ୍ୟାଉ ପଟ୍ଟନାୟକ ଖୋଲାଖୋଲି ଭବେ ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି “ରାଜ୍ୟସଭାକୁ ଯିବା ନେଇ କୌଣସି ସୂଚନା ଆସିନାହିଁ । ତଥାପି ମୋର ବିଶ୍ୱାସ ଅଛି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟସଭାକୁ ପଠାଇବେ ବୋଲି, ମୁଁ ସେ ଆଶା ରଖିଛି । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲି । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ସେ କହିଥିବା କଥା ମନେ ପକାଇଦେଇଥିଲି । ସେ କିଛି କହିଲେ ନାହିଁ କି, ନିର୍ଭର ପ୍ରତିଶ୍ରୁତି ଦେଲେନାହିଁ । ତଥାପି ମିଳିବ ବୋଲି ମୁଁ ଆଶା ରଖିଛି ।”
ସେହିପରି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି “ମୁଖ୍ୟମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦିଅନ୍ତି ତାହା କାର୍ଯ୍ୟ କରନ୍ତି । ମୋତେ ରାଜ୍ୟସଭା ପଠାଇବେ ବୋଲି କହିଥିଲେ । ମୋର ଆଶା ଅଛି, ସେ ନିଶ୍ଚୟ ତାଙ୍କ କଥା ରଖିବେ ଓ ମୋତେ ପଠାଇବେ ।”

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking