ଭୁବନେଶ୍ୱର: ଜୁନ ମାସର ମଧ୍ୟ ଭାଗରେ ପଡୁଥିବା ରଜ ହେଉଛି ଓଡିଶାର ଏକ ମୁଖ୍ୟ ପର୍ବ । ସାଧାରଣ ତିନି ଦିନ ରଜ ପାଳନ କରାଯାଏ । ଝିଅମାନେ ଅତି ଆନନ୍ଦର ସହ ମଜାମସ୍ତି କରି ରଜ ପାଳନ କରିଥାନ୍ତି । ରଜରେ ଘରେ ଘରେ ପିଠାପଣାର ଆସର ଜମିଥାଏ । ଘର ଘର ବୁଲି ଗାଁ ଠୁ ସହର ଝିଅ ଓ ମହିଳାମାନେ ଏକ ଭିନ୍ନ ଧରଣର ମାହୋଲ ସୃଷ୍ଟି କରନ୍ତି । ଓଡିଶାର କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲାରେ ଭିନ୍ନ ଭାବରେ ଏହାକୁ ପାଳନ କରାଯାଏ । ପ୍ରମୁଖ ବିଶ୍ୱାସ ଅନୁସାରେ, ଯେମିତି ଜଣେ ମହିଳା ନିଜର ମାସିକ ଧର୍ମନ ପାଳନ କରିଥାଏ, ଯାହା ତାର ଜନ୍ମ କରିବାର କ୍ଷମତାକୁ ଦର୍ଶାଇଥାଏ, ସେହିପରି ବସୁଧା ମା ନିଜର ମାସିକ ଧର୍ମ ପାଳନ କରିଥାଏ । ସେଥିପାଇଁ ଏହି ତିନି ଦିନକୁ ମାସିକ ଧର୍ମ ବୋଲି କୁହାଯାଇଥାଏ । ସେତେବେବେଳେ ସମସ୍ତ ପ୍ରକାର କୃଷି କାର୍ଯ୍ୟ ବନ୍ଦ ରଖାଯାଇଥାଏ ।
ହିନ୍ଦୁ ଘରେ ଯେପରି ମାସିକ ଧର୍ମ ଦେଇ ଗତି କରୁଥିବା ମହିଳାମାନଙ୍କୁ ଅପବିତ୍ରତା କାରଣରୁ ସମସ୍ତଙ୍କଠାରୁ ଅଲଗା ରଖାଯାଇଥାଏ । ଏହାସହ କିଛି ବି ଜିନିଷ ଛୁଇଁବାକୁ ଦିଆଯାଏନାହିଁ । ସେହି ଦିନରେ ସେମାନଙ୍କୁ ସଂପୂର୍ଣ୍ଣ ରୂପେ ବିଶ୍ରାମ କରିବାକୁ ଦିଆଯାଏ । ଏହି କାରଣରୁ ବସୁଧା ମାଙ୍କୁ ତିନି ଦିନଯାଏଁ ବିଶ୍ରାମ ଦିଆଯାଇଥାଏ । ଯାହାଫଳରେ ସମସ୍ତ କୃଷିକାର୍ଯ୍ୟ ବନ୍ଦ ରଖାଯାଏ । ବିଶେଷ ଭାବରେ ରଜ ପର୍ବଟି ଅବିବାହିତା ଝିଅ ଏବଂ ମା ମାନଙ୍କ ପାଇଁ ବେଶି ଗୁରୁତ୍ୱ ରଖେ । ମାସିକ ଧର୍ମ ପାଳନ କରୁଥିବା ମହିଳାଙ୍କ ପରି ସେମାନଙ୍କୁ ସେହି ସବୁ କାମ କରିବାକୁ ପଡିଥାଏ । ପ୍ରଥମ ଦିନରେ ତାଙ୍କୁ କେଶ ଧୋଇ ଦେହରେ ହଳଦୀ ଲଗାଇ ନଦୀ ଜଳରେ ଗାଧୋଇବାକୁ ହୁଏ । ବାକି ଦୁଇ ଦିନରେ ସେମାନଙ୍କୁ ଗାଧୋଇବା ପାଇଁ ବାରଣ କରାଯାଏ । ସେମାନେ ମାଟି ଉପରେ ଚାଲନ୍ତିନି କି ମାଟି ଉପରେ ଗାର ଟାଣନ୍ତିନି । ବଟାବଟି, କଟାକଟି ଓ ରୋଷେଇ ବି ସେମାନେ କରିନଥାନ୍ତି । ଏହି ତିନି ଦିନ ଯାଏଁ ସେମାନେ କେବଳ ସୁସଜ୍ଜିତ ହୋଇ ରହିଥାନ୍ତି ।
ଅତି ଆନନ୍ଦର ସହ ସମସ୍ତେ ରଜକୁ ପାଳନ କରିଥାନ୍ତି । ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହ ରଜପାନର ମଜା ବି ସମସ୍ତେ ନେଇଥାନ୍ତି । ପ୍ରତିବର୍ଷ ରଜ ପର୍ବକୁ ଯୁବତୀମାନେ ଅତି ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି ।