ବାଲେଶ୍ୱର: ଲଘୁଚାପ ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ପୁଣି ଆରମ୍ଭ ହୋଇଛି ବର୍ଷା । ଗତକାଲିଠୁ ଲଗାତାର ବର୍ଷା ସହ ବିଜୁଳି ଓ ଘଡଘଡି ମଧ୍ୟ ଦେଖିବାକୁ ମିଳୁଛି । ହଠାତ ବର୍ଷା ବଢିଥିବାରୁ ଚିନ୍ତାରେ ଅଞ୍ଚଳବାସୀ । କିଛି ଦିନ ପୂର୍ବରୁ ଭାରି ବର୍ଷା ଯୋଗୁଁ ନୀଳଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏବେ ପୁଣି ଲଘୁଚାପ ଯୋଗୁଁ ବର୍ଷା ଆରମ୍ଭ ହେବା ପରେ ବନ୍ୟା ଭୟ ଫେରିଛି । ନଦୀଗୁଡିକର ଜଳସ୍ତର ଧୀରେ ଧୀରେ ବଢୁଥିବାରୁ ତଳିଆ ଅଞ୍ଚଳରେ ରହୁଥିବା ଲୋକେ ଭୟଭୀତ ହୋଇପଡିଛନ୍ତି । ଯଦି ଆଗାମୀ ଦିନରେ ବର୍ଷା ଜାରି ରହେ , ତେବେ ପୁଣି ଥରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି । ବର୍ଷା ଓ ନଦୀ ଜଳସ୍ତର ଉପରେ ପ୍ରଶାସନ ନଜର ରଖିଥିବା ବେଳେ , ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।










