30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ; ଅର୍କୀ ଓ ଖୈରୀରେ ବାଦଲଫଟା ବର୍ଷା

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ; ଅର୍କୀ ଓ ଖୈରୀରେ ବାଦଲଫଟା ବର୍ଷା

ସିମ୍‌ଲା: ହିମାଚଳ ପ୍ରଦେଶରେ ମୌସୁମୀର ପ୍ରବେଶ ସହିତ ହିଁ ମୂଷଳଧାରାରେ ବର୍ଷା ଧ୍ୱଂସ ଲୀଳା ଆରମ୍ଭ କରିଛି । ରବିବାର ସକାଳେ ସୋଲନର ଅର୍କୀରେ ବାଦଲଫଟା ବର୍ଷା କାରଣରୁ ୩୦ଟି ଛେଳି ନାଳରେ ଭାସିଯାଇଛନ୍ତି । ଏହାପରେ ଅପରାହ୍ଣରେ ହମିରପୁର ଖୈରୀରେ ବାଦଲଫଟା ବର୍ଷା କାରଣରୁ କେତେକ ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ଅଧାଡଜନ ଘରେ ପାଣି ପଶିଯାଇଛି । ସେପଟେ ଚମ୍ବା ଜିଲ୍ଲାର ଚୁୱାଡ଼ି ଅନ୍ତର୍ଗତ ଜୋତ ନିକଟରେ ସନ୍ଧ୍ୟା ପ୍ରାୟ ୬ଟା ବେଳେ ହାଇୱେରେ ଭୀଷଣ ଲ୍ୟାଣ୍ଡ୍‌ସ୍ଲାଇଡ୍ ହେବା ଫରେ ୪୦ଟି ବାହନ ଫସି ରହିଛି ।

ପ୍ରଶାସନ ସଡ଼କ ସଫେଇ କାର୍ଯ୍ୟ ଜାରିରଖିଛି । ସେହିପରି ମଣ୍ଡି ଜିଲ୍ଲା ସରାଜ ଘାଟିର ତୁଙ୍ଗାଧାରେ ମଧ୍ୟ ଭୀଷଣ ବର୍ଷା ହେବା ଫଳରେ ଅଧ ଡଜନ ଗାଡ଼ି ପାଣିରେ ଭାସିଯାଇଛି । ନଦୀଜଳ ବିପଦ ସଙ୍କେତ ନିକଟରେ ପହଞ୍ଚିବାରୁ ପଣ୍ଡୋହ ବନ୍ଧର ଫ୍ଲାଟ୍ ଗେଟ୍‌କୁ ଖୋଲି ଦିଆଯାଇଛି । ଏହା ସହିତ କୁଲ୍ଲୁର ମୋହଲ ନାଳରେ ବର୍ଷା ପାଣି ଆସିବାରୁ ନରୋଣୀ ଗାଁକୁ ଯାଇଥିବା ରାସ୍ତା ଉପରେ ଛିଡ଼ା ହୋଇଥିବା ବାହନ ଭାସିଯାଇଛି । ନାଳରେ ଆସିଥିବା ବନ୍ୟା କାରଣରୁ ସାରା ଅଞ୍ଚଳରେ ହଡ଼କମ୍ପ ସୃଷ୍ଟି ହୋଇଛି । ବର୍ଷା ଯୋଗୁଁ ୨୪ ଘଣ୍ଟାରେ ୧୩ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।

ଚାରିଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁଇଟି ଘର ଆଂଶିକ ନଷ୍ଟ ହୋଇଛି । ଏହା ସହିତ ୩୫ ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି । ବର୍ଷା କାରଣରୁ ଦୁଇଟି ନାସ୍‌ନାଲ୍ ହାଇୱେ ଏବଂ ୧୨୪ ସଡ଼କ ବନ୍ଦ ହୋଇଯାଇଛି । ଏହା ସହିତ ୧୫୧ ବିଦ୍ୟୁତ୍ ଟ୍ରାନ୍ସଫର୍ମର୍ ଠପ୍ ହୋଇପଡ଼ିଛି । ସେହିପରି କାଲ୍‌କା-ସିମ୍‌ଳା ରେଳ ମାର୍ଗରେ ସମସ୍ତ ଟ୍ରେନ୍‌କୁ ରବିବାର ରଦ୍ଦ କରିଦିଆଯାଇଛି । ବର୍ଷା ଯୋଗୁଁ ବ୍ୟାସ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ପର୍ଯ୍ୟଟନ ବିଭାଗ ରିଭର୍ ରାଫ୍ଟିଙ୍ଗ୍ ଉପରେ ରୋକ୍ ଲଗାଇଛି । ସେହିପରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲ୍ୟାଣ୍ଡ୍‌ସ୍ଲାଇଡ୍ ହୋଇଥିବା ଜଣାପଡ଼ିଛି । ଏହା ଯୋଗୁଁ ଗ୍ରାମୀଣ ସଡ଼କଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । କେତେକ ଘର ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ିଛି । ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ସୋମବାର ପର୍ଯ୍ୟନ୍ତ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking