ନୂଆଦିଲ୍ଲୀ : କୋକରୋଚ୍ ଜନତା ପାର୍ଟି (ସିଜେପି) ର ‘ସଂସଦ ଚଲୋ’ ଶୋଭାଯାତ୍ରା ସମୟରେ ବିକ୍ଷୋଭକାରୀଙ୍କ ଉପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ତୀବ୍ର ନିନ୍ଦା କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ଇତିହାସରେ “ସବୁଠାରୁ ଯୁବ-ବିରୋଧୀ ପ୍ରଧାନମନ୍ତ୍ରୀ” ବୋଲି କହି ସମାଲୋଚନା କରିଛନ୍ତି। ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ନାଗରିକଙ୍କ ମୌଳିକ ଅଧିକାର ବୋଲି ଦର୍ଶାଇ ରାହୁଲ କହିଛନ୍ତି ଯେ, ୧୫୨ଟି ପ୍ରଶ୍ନପତ୍ର ଲିକ୍ ହୋଇ ସାଢ଼େ ୭ କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଥିଲେ ମଧ୍ୟ ସରକାର ଜଣେ ବି ଦୋଷୀଙ୍କୁ ଦଣ୍ଡ ଦେଇନାହାନ୍ତି କି ଜଣେ ବିଫଳ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ନେଇପାରୁନାହାନ୍ତି।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଚାଲିଥିବା ଏହି ଆନ୍ଦୋଳନ ଉପରେ ପୋଲିସ ବଳପ୍ରୟୋଗ କରିବା ଦେଶର ଯୁବପିଢ଼ିଙ୍କ ପ୍ରତି ସରକାରଙ୍କ “ଲଜ୍ଜାଜନକ ଅଧ୍ୟାୟ” ବୋଲି ସେ କହିଛନ୍ତି। କ୍ଷମତାସୀନ ନେତାଙ୍କ ନିର୍ଦ୍ଦେଶରେ ଆଜି ଯେଉଁମାନେ ଯୁବପିଢ଼ିଙ୍କୁ ଲାଠିଚାର୍ଜ କରୁଛନ୍ତି, ସେମାନଙ୍କୁ କାଲି ସମ୍ବିଧାନର ”ଲାଠି”ର ସାମ୍ନା କରିବାକୁ ପଡ଼ିବ ବୋଲି ମଧ୍ୟ ରାହୁଲ ଚେତାଇ ଦେଇଛନ୍ତି।










