ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଅସନ୍ତୋଷ : ଥାନାର ଦ୍ୱାରସ୍ଥ ହେଲେ ଅନ୍ତେବାସୀ

ରାୟଗଡ଼ା : ରାୟଗଡ଼ା ସହରସ୍ଥିତ ଜିସିଡି ହାଇସ୍କୁଲ ଠାରେ ପରିଚାଳନା ହେଉଥିବା ସଂଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମୌଳିକ ସୁବିଧା ମିଳୁନଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ୩୦ଜଣ ଅନ୍ତେବାସୀ । ସମସ୍ତ ଅନ୍ତେବାସୀ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକର ବାସିନ୍ଦା ବୋଲି ଜଣାପଡିଛି । ଓଡ଼ିଶା – ଆନ୍ଧ୍ର ସୀମାନ୍ତ କେରେଡା ଠାରେ ଏମାନଙ୍କ ନାମ ପଞ୍ଜୀକୃତ କରାଯାଇ ଜିସିଡି ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ସଙ୍ଗରୋଧ କେନ୍ଦ୍ରରେ ସେମାନଙ୍କୁ ରହିବାର କୌଣସି ସଠିକ ବ୍ୟବସ୍ଥା କରାଯାଇନଥିବା ଏବଂ ଗୋଟିଏ ଖାଦ୍ୟକୁ ୪ ଜଣଙ୍କୁ ବାଣ୍ଟି କରି ଖାଉଥିବାନେଇ ଅନ୍ତେବାସୀ ଅଭିଯୋଗ କରିଛନ୍ତି । ପ୍ରଶାସନ ତରଫରୁ ନିଜ ଅଞ୍ଚଳକୁ ଯିବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଉନଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ଏହି ଅନ୍ତେବାସୀ । ଏପରିକି ଆଜି ଦିନ ୧୧ଟା ସୁଧା କିଛି ଖାଇବାକୁ ମିଳିନଥିବା ଅଭିଯୋଗ କରିଥିଲେ । ଏଭଳି ଅବ୍ୟବସ୍ଥା ଯୋଗୁଁ ସାଙ୍ଗରେ ଥିବା ଛୋଟ ଛୋଟ ଛୁଆ ଏବଂ ମହିଳା ମାନେ ନାହଁନଥିବା ଅସୁବିଧା ହେଉଥିବା ପ୍ରକାଶ କରିଥିଲେ । ଏପରିକି ମହିଳାମାନେ ଶୌଚ କିମ୍ବା ଗାଧୋଇବା ପାଇଁ ଟିଏମସି ସେଣ୍ଟରରେ ପାଣି ମିଳିନଥିବା ଅଭିଯୋଗ ଆଣିଛନ୍ତି । ଫଳରେ ବାଧ୍ୟ ହୋଇ ଚାଲି ଚାଲି ନିଜ ନିଜ ଅଞ୍ଚଳକୁ ଯିବା ପାଇଁ ବାହାରି ପଡିଥିଲେ ଅନ୍ତେବାସୀ । ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ରାୟଗଡା ଥାନାରେ ଅଭିଯୋଗ କରିବା ପାଇଁ ମଧ୍ୟ ଯାଇଥିଲେ ଅନ୍ତେବାସୀମାନେ । ତେବେ ଥାନାରେ କେହି ନଥିବା କହି ଅନ୍ତେବାସୀଙ୍କୁ ବାହାର ଅଟକାଇ ରଖିଥିଲେ ପୁଲିସ କର୍ମଚାରୀମାନେ । ଘଟଣା ସମ୍ପର୍କରେ ରାୟଗଡ଼ା ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଅବଗତ ହେବା ପରେ ବାହାର ଜିଲ୍ଲାର ଶ୍ରମିକମାନେ ସ୍ୱତନ୍ତ୍ର ଗାଡି ଯୋଗେ ପଠାଇବାର ବ୍ୟବସ୍ଥା କରାଯାଇଛି ।