28.1 C
Bhubaneswar
Wednesday, April 24, 2024
Homeଓଡିଶାଲୁଚିଛପି ଆସୁଛନ୍ତି ପ୍ରବାସୀ ଶ୍ରମିକ, ଲୋକେ ଭୟଭୀତ

ଲୁଚିଛପି ଆସୁଛନ୍ତି ପ୍ରବାସୀ ଶ୍ରମିକ, ଲୋକେ ଭୟଭୀତ

ନୂଆପଡ଼ା ‌: ନୂଆପଡ଼ା ଜିଲ୍ଲାର ପଡ଼ୋଶୀ ଛତିଶଗଡ଼-ଓଡ଼ିଶା ସୀମାନ୍ତରେ ପୁଲିସ୍ ସୁରକ୍ଷା ବ୍ୟବସ୍ଥା ଢ଼ିଲା ଥିବାରୁ ପ୍ରତିଦିନ ଅବାଧରେ ରାଜ୍ୟ ବାହାରୁ ଶତାଧିକ ପ୍ରବାସୀ ଶ୍ରମିକ ଲୁଚିଛପି ନୂଆପଡ଼ା ଜିଲ୍ଲାକୁ ପ୍ରବେଶ କରୁଛନ୍ତି । ଫଳରେ ଜିଲ୍ଲାବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଜିଲ୍ଲାର ୬୦ ହଜାରରୁ ଅଧିକ ଶ୍ରମିକ କାମଧନ୍ଦା ପାଇଁ ରାଜ୍ୟ ବାହାରକୁ ଯାଇଥିବା ପଞ୍ଜୀକୃତ ହୋଇସାରିଛି । ତେବେ କରୋନା ଭୂତାଣୁ ଯୋଗୁଁ ଲକ୍‌ଡାଉନ୍‌ରେ ଅସୁବିଧାରେ ଥିବା ଶ୍ରମିକମାନେ ନିଜ ଗାଁକୁ ଫେରି ଆସିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । କିଏ ଚାଲି ଚାଲି ତ କିଏ ସାଇକେଲ କିମ୍ବା ଟ୍ରକରେ ଆସୁଛନ୍ତି । ବିଭିନ୍ନ ସ୍ଥାନରେ ଧରା ପଡିଲେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାର ନିର୍ଦ୍ଦେଶ ଥିବାରୁ ସେମାନେ ରାତି ହେଲେ ବିଶେଷ କରି ଟ୍ରକ୍‌ରେ ଆସୁଛନ୍ତି । ଏମାନେ ବିନା ପଞ୍ଜିକରଣରେ ଘରକୁ ଫେରୁଥିବାରୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ରାଜ୍ୟର ପ୍ରମୁଖ ୯ଟି ମୁଖ୍ୟ ଦ୍ୱାର ମଧ୍ୟରେ ରହିଛି ଜାତୀୟ ରାଜପଥ ୩୫୩ ଖଡିଆରରୋଡର ସୀମା । ଏହା ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲାରୁ ଖରିଆରରୋଡ ସହରକୁ ସଂଯୋଗ କରୁଛି । ଏହି ରାସ୍ତାରେ ପ୍ରତିଦିନ ଜିଲ୍ଲା ତଥା ରାଜ୍ୟ ଭିତରକୁ ହଜାର ହଜାର ଲୋକେ ପ୍ରବେଶ କରିଥାନ୍ତି । ଏହାକୁ ନେଇ ପୁଲିସ ପ୍ରଶାସନ ସୀମାନ୍ତକୁ ସିଲ୍ କରି ଯାଞ୍ଚ କଡ଼ାକଡ଼ି କରିବା ବ୍ୟବସ୍ଥା ରହିଛି । ହେଲେ ଏହି ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା ଢ଼ିଲା ହେବାରେ ଲାଗିଛି । ଫଳରେ ରାଜ୍ୟ ବାହାରର ଶତାଧିକ ଲୋକ ଅବାଧରେ ଜିଲ୍ଲା ଭିତରକୁ ପ୍ରବେଶ କରୁଛନ୍ତି । ସଦର ବ୍ଲକ୍ ଜୋଙ୍କ ଥାନା ଅଧୀନ ଖରିଆରରୋଡ ସହରର ଏଲଡିପଡା-ନର୍ରା (ଛତିଶଗଡ) ରାସ୍ତାକୁ ନର୍ରା ବ୍ରିଜ ନିକଟରେ ସିଲ୍ କରାଯାଇଛି । ଧରମବନ୍ଧା ଥାନା ଧରମବନ୍ଧା- ପଣ୍ଡରିପାଣି-ରସେଲା-ଗରିଆବନ୍ଧ କୁ ସିରଗିଡି- ଛତିଶଗଡ ରାଜ୍ୟ ଛୁରା -ଆମାନାରା ଡାଲିପଖାନ- ଛତିଶଗଡ଼ ଚୁରକିଦାଦର ରାସ୍ତାକୁ ପାୱାରତୋଲା ବ୍ରିଜ ନିକଟରେ ସିଲ୍ କରାଯାଇଛି । ବେଲଟୁକୁରୀ ଥାନା ଭାଲେଶ୍ୱର-ରେବା-ଛତିଶଗଡ଼ ବାଗବାହାର ରାସ୍ତା ମଧ୍ୟ ସିଲ୍ ହୋଇଛି । ସେହିପରି ସିନାପାଲି- ଛତିଶଗଡ ଦେଭୋଗ ସୀମାନ୍ତକୁ କୁସୁମଜୋର ଓ ଧିଙ୍ଗିଆମୁଣ୍ଡା ରାସ୍ତା ସିଲ୍ ହୋଇଛି । ନୂଆପଡ଼ା ଜିଲ୍ଲା ପ୍ରଶାସନ ଖରିଆର ରୋଡ ଛତିଶଗଡ ସୀମାନ୍ତ ଅଞ୍ଚଳ ପ୍ରବାସୀ ଶ୍ରମିକ ଲୁଚିଛପି ଆସୁଥିବା ଜାଣି ୧୨ ଘଣ୍ଟିଆ ୧୪୪ ଧାରା ଲାଗୁ କରିଥିଲା

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking