ହାଇଦ୍ରାବାଦ: ଚଳିତ ଆଇପିଏଲ୍ରେ ଶନିବାର ଖେଳାଯାଇଥିବା ଦିନର ପ୍ରଥମ ମ୍ୟାଚ୍ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ଘରୋଇ ସନ୍ରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟ୍ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୬ ୱିକେଟ୍ରେ ୧୮୨ ରନ୍ କରିଥିଲା । ଏହାର ଜବାବରେ ଲକ୍ଷ୍ନୌ ମାତ୍ର ୩ଟି ୱିକେଟ୍ ହରାଇ ହାତରେ ୪ଟି ବଲ୍ ବାକି ଥିବା ସମୟରେ ୧୮୫ ରନ୍ କରି ଦ୍ୱାଦଶ ମ୍ୟାଚ୍ରେ ଷଷ୍ଠ ବିଜୟ ହାସଲ କରିଛି । ଏଥିସହ ଚଳିତ ସଂସ୍କରଣରେ ଦଳ ହାଇଦ୍ରାବାଦ ବିପକ୍ଷରେ ଅପରାଜେୟ ରହିଛି । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଦଳ ହାଇଦ୍ରାବାଦକୁ ନିଜସ୍ୱ ଗ୍ରାଉଣ୍ଡ୍ରେ ୫ ୱିକେଟ୍ରେ ପରାସ୍ତ କରିଥିଲା । ଏଥିସହ ଦଳ ମୋଟ ୧୩ ପଏଣ୍ଟ୍ ପାଇ ଟେବଲ୍ରେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ଅନ୍ୟପକ୍ଷରେ ହାଇଦ୍ରାବାଦ ନବମ ସ୍ଥାନରେ ଅପରିବର୍ତ୍ତିତ ରହିଛି ।
ଓପନର ଅଭିଷେକ ଶର୍ମା ମାତ୍ର ୭ ରନ୍ କରି ଆଉଟ୍ ହେବା ପରେ ହାଇଦ୍ରାବାଦ ପାଇଁ ଅନ୍ୟତମ ଓପନର୍ ଅନମୋଲ୍ପ୍ରୀତ୍ ସିଂହ ଓ ରାହୁଲ୍ ତ୍ରିପାଠୀ ୩୭ ରନ୍ ଯୋଡ଼ିଥିଲେ । ତ୍ରିପାଠୀ ମାତ୍ର ୧୩ ବଲ୍ରେ ୪ଟି ଚୌକା ସହ ୨୦ ରନ୍ କରି ଆଉଟ୍ ହେବା ପରେ ଅନମୋଲ୍ପ୍ରୀତ୍ ୨୭ ବଲ୍ରେ ୭ ଚୌକା ସହ ୩୬ ରନ୍ କରିଥିଲେ । ଏହାଛଡ଼ା ଅଧିନାୟକ ଆଇଡେନ୍ ମାର୍କରାମ୍ ଓ ହେନ୍ରିକ୍ କ୍ଲାସେନ୍ଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ରେ ୩୩ ରନ୍ର ଭାଗୀଦାରୀ ହୋଇଥିଲା । କ୍ଲାସେନ୍ ସର୍ବାଧିକ ୪୭ ରନ୍ କରିଥିଲେ, ଯେଉଁଥିରେ ୩ଟି ଲେଖାଏଁ ଚୌକା ଓ ଛକା ରହିଥିଲା । ଏହାଛଡ଼ା ମାର୍କରାମ୍ ୨ଟି ଚୌକା ଓ ଗୋଟିଏ ଛକା ସହ ୨୮ ରନ୍ କରିଥିବା ବେଳେ ଅବଦୁଲ୍ ସମଦ୍ ମାତ୍ର ୨୫ ବଳ୍ ଖେଳି ଗୋଟିଏ ଚୌକା ଓ ୪ଟି ଛକା ଜରିଆରେ ୩୭ ରନ୍ରେ ଅପରାଜିତ ରହି ଦଳୀୟ ସ୍କୋର୍କୁ ଦୃଢ଼ତା ପ୍ରଦାନ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ଅଧିନାୟକ କୃନାଲ୍ ପାଣ୍ଡ୍ୟା ୨ଟି ଏବଂ ଯୁଦ୍ଧବୀର ସିଂହ, ଅଭେଶ ଖାନ୍, ୟଶ୍ ଠାକୁର ଓ ଅମିତ ମିଶ୍ରାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ବ୍ୟାଟିଂରେ ଓପନର କାଇଲ୍ ମାୟେର୍ସ ମାର୍ତ ୨ ରନ୍ କରି ଆଉଟ୍ ହୋଇଥିଲେ ହେଁ ଅନ୍ୟତମ ଓପନର କ୍ୱିଣ୍ଟନ୍ ଡି’କକ୍ ଓ ପ୍ରେରକ୍ ମଙ୍କଡ଼ଙ୍କ ମଧ୍ୟରେ ୪୨ ରନ୍ର ଭାଗୀଦାରୀ ହୋଇଥିଲା ।
୩ଟି ଚୌକା ଓ ଗୋଟିଏ ଛକା ସହ ଡି’କକ୍ ୨୯ ରନ୍ କରି ଆଉଟ୍ ହେବା ପରେ ମଙ୍କଡ଼ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଏହାଛଡ଼ା ସେ ତୃତୀୟ ୱିକେଟ୍ରେ ମାର୍କସ୍ ଷ୍ଟୋଇନିସ୍ଙ୍କ ସାତୀରେ ୭୩ ରନ୍ର ଭାଗୀଦାରୀ କରି ଦଳକୁ ବିଜୟ ନିକଯତର କରାଇଥିଲେ । ଷ୍ଟୋଇନିସ୍ ୨ଟି ଚୌକା ଓ ୩ଟି ଛକା ସହ ୪୦ ରନ୍ର ଅବଦାନ ଦେବା ପରେ ଆଉଟ୍ ହୋଇଥିଲେ । ତାଙ୍କ ସ୍ଥାନ ପୂରଣ ପାଇଁ ଆସିଥିବା ନିକୋଲାସ୍ ପୂରନ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ମାତ୍ର ୧୩ ବଲ୍ରେ ୩ଟି ଚୌକା ଓ ୪ଟି ଛକା ମାଧ୍ୟମରେ ୪୪ ରନ୍ କରିବା ସହ ମଙ୍କଡ଼ଙ୍କ ସାଥୀରେ ଅବିଭାଜିତ ୫୮ ରନ୍ର ଭାଗୀଦାରୀ କରିଥିଲେ । ମଙ୍କଡ଼ ୪୫ ବଲ୍ରେ ୭ଟି ଚୌକା ଓ ୨ଟି ଛକା ସହ ୬୪ ରନ୍ରେ ଅପରାଜିତ ଥିଲେ । ହାଇଦ୍ରାବାଦ ପକ୍ଷରୁ ଗ୍ଲେନ୍ ଫିଲିପ୍ସ, ମୟଙ୍କ ମାର୍କଣ୍ଡେ ଓ ଅଭିଷେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ମଙ୍କଡ଼ଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।