28.1 C
Bhubaneswar
Tuesday, April 28, 2026
Homeଓଡିଶାଆସନ୍ତା ୧୦ ରେ ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଆସନ୍ତା ୧୦ ରେ ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଭୁବନେଶ୍ୱର : ବିଗତ ୮ ମାସର ଡବଲ ଇଞ୍ଜିନ ସରକାର ରେ ରାଜ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ଓ ପାଶବିକ ଅତ୍ୟାଚାର ହୁହୁ ହୋଇ ବଢ଼ିଚାଲିଛି। ଗୋଟିଏ ପଟେ ଡବଲ ଇଞ୍ଜିନ ସରକାର ରାଜ୍ୟର ଦ୍ରୁତ ପ୍ରଗତୀର ସ୍ୱପ୍ନ ଦେଖାଇଥିଲା ବେଳେ ରାଜ୍ୟର ସମୁଦାୟ ଜନସଂଖ୍ୟାର ୫୦ ଭାଗ ହେଉଛନ୍ତି ମହିଳା,କିନ୍ତୁ ସେମାନେ ଆଜି ଅତିମାତ୍ରାରେ ଅତ୍ୟାଚାରିତ ଓ ଉତ୍ପଡୀନର ଶିକାର ହେଉଛନ୍ତି ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ କରି କହିଛନ୍ତି ନେତା ତଥା ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ଶ୍ରୀ ନବଜ୍ୟୋତୀ ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି ମା କୁ ସମ୍ମାନ , ବେଟି ପଢାଓ,ବେଟି ବଚାଓ କେବଳ ନାରାରେ ରହିଗଲା।ଦୀର୍ଘ ୨୫ ବର୍ଷର ପୂର୍ବ ସରକାରରେ ପରି ଠୁଁ ଆରମ୍ଭ କରି ବେବିନା , ମାଧାବିଲତା,ମମିତା ଏବଂ କୁନ୍ଦୁଲି ପୀଡ଼ିତା ଭଳି ବହୁ ମହିଳା ନିର୍ଯ୍ୟାତିତ ହୋଇଛନ୍ତି।କେହି ନ୍ୟାୟ ପାଇଲେ ନାହିଁ।ସାଧାରଣ ଜନତା ଭାବିଥିଲେ ସରକାର ବଦଳିବା ପରେ ମହିଳାଙ୍କ ପ୍ରତି ଅତ୍ୟାଚାର ହ୍ରାସ ପାଇବ କିନ୍ତୁ ପରବର୍ତ୍ତୀ ସମୟରେ ବିଜେପି ସରକାର ଆସିବା ପରେ ମହିଳାଙ୍କ ପ୍ରତି ଅତ୍ୟାଚାର,ବ୍ୟଭିଚାର,ଗଣଦୁଷ୍କ୍ରମ୍,ମହିଳା ନିଖୋଜ ହେବା ଘଟଣା ସାରା ଦେଶରେ ରେକର୍ଡ ସୃଷ୍ଠି କରିଛି। ଓଡ଼ିଶା ଆଜି ସାରା ଦେଶରେ ମହିଳା ଅତ୍ୟାଚାର କ୍ଷେତ୍ରରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ତାଙ୍କ ପ୍ରତି ହେଉଥୁବା ଅତ୍ୟାଚାର ଅତ୍ୟନ୍ତ ଜଘନ୍ୟ। ଏଭଳି ସଂଗୀନ ଅପରାଧ ଘଟାଉଥିବା ଅପାରାଧ୍ ମାନଙ୍କ ପ୍ରତି ରାଜ୍ୟ ସରକାର ଯେଉଁ କୋଠର କାର୍ଯ୍ୟାନୁଷ୍ଠାନ ନେବା କଥା ତାହା ନେଉନାହାନ୍ତି। ଫଳରେ ଅପରାଧୂମାନଙ୍କ ମନରେ ଭୟ ନାହିଁ, ଆଇନ ପ୍ରତି ସମ୍ମାନ ନାହିଁ । ସେ ଆହୁରି କହିଥିଲେ ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସ। ପ୍ରତିବର୍ଷ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା,ମା କୁ ସମ୍ମାନ,ବେଟି ବଚାଓ,ବେଟି ପଢ଼ାଓ ର ବାର୍ତ୍ତା ଦେଉଛନ୍ତି କେବଳ ନାରା ହୋଇ ରହିଗଲା। କିନ୍ତୁ ବାସ୍ତବରେ ତାହା ସଂପୂର୍ଣ୍ଣ ଓଲଟା।

ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ କି ଆମ କଂଗ୍ରେସ ଦଳ ସବୁବେଳେ ମାଙ୍କୁ,ଭଉଣୀଙ୍କୁ,ମହିଳାଙ୍କୁ ସମ୍ମାନ ଦେଇଆସିଛି ଏବଂ ତାଙ୍କ ପାଇଁ କାର୍ଯ୍ୟ କରିଆସୁଛି।ଆମ ଦେଶ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ।ଗାନ୍ଧୀ କହିଥିଲେ ଭାରତ ସମ୍ପୂର୍ଣ୍ଣ ସ୍ୱାଧୀନତା ଲାଭ କରିବ ଯେବେ ଜଣେ ମହିଳା ରାତିରେ ଏକାକୀ ଯିବା ଆସିବା କରିପାରିବ। କିନ୍ତୁ ବିଗତ ୮ ମାସ ଭିତରେ ରାଜ୍ୟରେ ମହିଳାଙ୍କ ପ୍ରତି ପାଶବିକ ଅତ୍ୟାଚାର ଏତେ ମାତ୍ରାରେ ବଢ଼ିଚାଲିଛି ଯେ ଏବେ ଦିନରେ ଜଣେ ଏକାକୀ ମହିଳା ବାଟରେ ଯିବାକୁ ଡରୁଛି। ଏହାର ପ୍ରତିବାଦରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ସାରା ରାଜ୍ୟରେ ଆସନ୍ତା ମାର୍ଚ୍ଚ ୧୦ ତାରିଖ ଦିନ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରାଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।  ସେହିପରି ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ କହିଥିଲେ ଯେ ଓଡ଼ିଶା ଆଜି ସାରା ଦେଶରେ ମହିଳାମାନଙ୍କ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ସଂପୂର୍ଣରୂପେ ବିଫଳ ହୋଇଛି।ସେ କହିଥିଲେ ଯେ ରାଜ୍ୟର ଆଦିବାସୀ,ଦଳିତ ଛାତ୍ରୀମାନଙ୍କୁ ଯେଉଁଭଳି ଭାବେ ଧର୍ଷଣ କରିବା ସହିତ ଗର୍ଭବତୀ ହେଉଛନ୍ତି ତାହା ଅତ୍ୟନ୍ତ ଚିନ୍ତାର ବିଷୟ।

ଅନୁରୂପ ଭାବେ ରାଜ୍ୟ ଆଜି ଏକ ଅପରାଧ ପ୍ରବଣ ରାଜ୍ୟରୂପେ ସାରା ଦେଶରେ ପରିଗଣିତ ହୋଇଛି। ଏହା ପ୍ରତ୍ୟେକ ଓଡ଼ିଆ ପ୍ରତି ଘୋର ଅପମାନ । ଏହା ଆମ ଅସ୍ମିତା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି।ସେ କହିଛନ୍ତି ଡବଲ ଇଞ୍ଜିନ ପ୍ରଥମ ସଫଳତା ହେଉଛି ମହିଳା ଅତ୍ୟାଚାର ରାଜ୍ୟରେ ଡବଲ ହେବା। ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ ଏଡିଏମ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଏବଂ ଘେରାଉ କାର୍ଯ୍ୟକ୍ରମ କରାଯିବ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏଡିଏମ୍ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ।ସେ କହିଥିଲେ ଏଡିଏମ୍ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି।ଏହି ବୈଠକରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ବହୁ ନେତୃବୃନ୍ଦ ଯୋଗ ଦେଇ ସୁଚିନ୍ତିତ ମତାମତ ଦେଇଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପାର୍ଥି ପ୍ରଶାନ୍ତ ଚମ୍ପତି,ଅଶୋକ ଦାଶ,ପ୍ରକାଶ ଜେନା,ଗୀତାଞ୍ଜଳି ମହାନ୍ତି,ମନିଷା ଦାଶ ପଟ୍ଟନାୟକ,ପ୍ରାଚୀ ରାଉତରାୟ,କୁସୁମ ପ୍ରଧାନ, ସ୍ନେହା ଜେନା,ସୁବ୍ରତ ମହାପାତ୍ର,ମିହିର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking