ଗଞ୍ଜାମ : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଦୁଇଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଫଳରେ ବିଭିନ୍ନ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି ।ଦିଗପହଣ୍ଡିସ୍ଥିତ ଘୋଡ଼ାହାଡ଼ ଜଳଭଣ୍ଡାରର ଜଳସ୍ତର ମଧ୍ୟ ବଢ଼ୁଛି । ଜଳଭଣ୍ଡାରର ସର୍ବୋଚ୍ଚ କ୍ଷମତା ୧୧୭.୫ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୧୪.୮୧ ମିଟରରେ ପହଞ୍ଚିଛି ।ଜଳସ୍ତର ଆହୁରି ବଢ଼ିଲେ ଯେକୌଣସି ସମୟରେ ଡ୍ୟାମ୍ର ଗେଟ୍ ଖୋଲାଯାଇପାରେ । ଏନେଇ ଘୋଡ଼ାହାଡ଼ ନଦୀ କୂଳରେ ଥିବା ପାର୍ଶ୍ୱବର୍ତ୍ତୀ ଗାଁଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି । ବର୍ତ୍ତମାନ ନଦୀରେ ମଧ୍ୟ ଜଳସ୍ତର ବଢ଼ି ଉଛୁଳା ଅବସ୍ଥାରେ ରହିଛି । ଏଭଳି ସ୍ଥିତିରେ ଡ୍ୟାମ୍ରୁ ଅତିରିକ୍ତ ପାଣି ଛଡ଼ାଗଲେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିପାରେ ।










