ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ କାର୍ ଉପରକୁ ଗୁଳିମାଡ଼ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛି ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ ଏହି ଘଟଣାରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି ସଂଘର ସଭାପତି ସୁରେଶ ଶ୍ୟାମଲାଲ ଗୁପ୍ତା । ଏହି ଘଟଣା ପରେ ଟାଇଗର ଶ୍ରଫ୍ ଏବଂ ତାଙ୍କ ପରିବାରର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଅଭିନେତାଙ୍କ ପରିବାରକୁ ପୂର୍ଣ୍ଣ ସୁରକ୍ଷା ଯୋଗାଇବା ସହ ଗୁଳିମାଡ଼ରେ ସମ୍ପୃକ୍ତ ସୁଟର୍ ଏବଂ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ AICWA ଦାବି କରିଛି । କେବଳ ମୁମ୍ବାଇ ପୋଲିସ ନୁହେଁ, ଏହି ଘଟଣାର ତଦନ୍ତରେ NIA ଏବଂ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ସାମିଲ କରିବାକୁ ମଧ୍ୟ ସଂଘ ଦାବି ଜଣାଇଛି ।ଏଥିସହ ତଦନ୍ତ ଶୀଘ୍ର ଶେଷ କରିବା, କଠୋର ଆଇନ ଅନୁସାରେ ମାମଲାର ବିଚାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିବାକୁ ଦାବି ହୋଇଛି । AICWA ଏହା ମଧ୍ୟ କହିଛି ଯେ, ଏହା ପୂର୍ବରୁ ସଲମାନ ଖାନ୍, ସୈଫ୍ ଅଲ୍ଲୀ ଖାନ୍, ରୋହିତ ଶେଟ୍ଟୀ ଏବଂ କପିଲ ଶର୍ମାଙ୍କ ସହ ଜଡ଼ିତ ସୁରକ୍ଷା ଘଟଣାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଥିଲା ।










