ନୂଆଦିଲ୍ଲୀ: ସ୍ୱାମୀଙ୍କୁ ହତ୍ୟା କରି ତାହାକୁ ସାପ କାମୁଡ଼ା ଜନିତ ମୃତ୍ୟୁ ବୋଲି ଦର୍ଶାଇବାକୁ ଉଦ୍ୟମ କରିଥିବା ପତ୍ନୀ ଓ ତାଙ୍କ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ମେରଠର ଏକ ଅଦାଲତ । ଏହି ମାମଲାକୁ ବିରଳରୁ ବିରଳତମ ବୋଲି ବିବେଚନା କରିଛନ୍ତି ଅଦାଲତ । ଦୋଷୀ ସାବ୍ୟସ୍ତ ମହିଳା ରବିତା ଓ ତାଙ୍କ ପଡ଼ୋଶୀ ପ୍ରେମିକ ଅମରଦୀପଙ୍କୁ ଏହି ଦଣ୍ଡ ଶୁଣାଯାଇଛି ।ମେରଠର ଅତିରିକ୍ତ ଜିଲ୍ଲା ଜଜ୍-୧୨ଙ୍କ ଅଦାଲତ ଗତ ଅକ୍ଟୋବର ୭ ତାରିଖରେ ଉଭୟଙ୍କୁ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଶୁକ୍ରବାର ଦଣ୍ଡାଦେଶ ଶୁଣାଇବା ବେଳେ ଅଦାଲତ ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀର ବୋଲି ଦର୍ଶାଇଥିଲେ।
ଘଟଣାଟି ୨୦୨୫ ଏପ୍ରିଲ ୧୨ ତାରିଖର। ଉତ୍ତରପ୍ରଦେଶର ମେରଠ ଜିଲ୍ଲା ଅକବରପୁର ସାଦାତ ଗାଁରେ ଅମିତ କଶ୍ୟପ ଓରଫ ମିକ୍କିଙ୍କ ମୃତଦେହ ତାଙ୍କ ଘରୁ ମିଳିଥିଲା। ମୃତଦେହ ତଳେ ଏକ ସାପ ଥିବାରୁ ପ୍ରଥମେ ପରିବାର ଲୋକେ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରିଥିଲେ। କିନ୍ତୁ ମୃତଦେହର ବେକରେ ଆଘାତ ଚିହ୍ନ ଓ ଶରୀରରେ ରାମ୍ପୁଡ଼ା ଦାଗ ଦେଖିବା ପରେ ସନ୍ଦେହ ବଢ଼ିଥିଲା।ପୋଷ୍ଟମର୍ଟମ ରିପୋର୍ଟରୁ ଅମିତଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହେବା କାରଣରୁ ହୋଇଥିବା ଜଣାପଡ଼ିଥିଲା। ଅଭିଯୋଗ ଅନୁଯାୟୀ, ରବିତା ଓ ଅମରଦୀପ ମିଶି ଅମିତଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଘଟଣାକୁ ସାପ କାମୁଡ଼ାର ରୂପ ଦେବାକୁ ଯୋଜନା କରିଥିଲେ।










