ଭୁବନେଶ୍ୱର: ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶ କ୍ରମେ ଗଠିତ ପ୍ରତିନିଧି ମଣ୍ଡଳୀ ପ୍ରଥମେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଛାତ୍ରୀ ମାନଙ୍କୁ ଦେଖା କରି ସେମାନଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ l ଲୁଣଚାଟି ଗାଁକୁ ଯାଇ ରୁପାଲୀଙ୍କ ପରିବାର ବର୍ଗ ଓ ବାପା ମାଆଙ୍କୁ ଭେଟି ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ l କାକବନ୍ଧ ସ୍ଥିତ ଆଶ୍ରମ ସ୍କୁଲକୁ ମଧ୍ୟ ପ୍ରତିନଧି ମଣ୍ଡଳୀ ଯାଇ ସ୍କୁଲର ଶିକ୍ଷକ ଓ ସ୍ଥାନୀୟ ଗ୍ରାମ ବାସୀଙ୍କ ସହିତ ଆଲୋଚନା କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ l ଗତ କାଲି ଛାତ୍ରୀ ରୁପାଲୀର ମୃତ୍ୟୁ ପରେ ସ୍ଥାନୀୟ ବାସିନ୍ଦା ମାନଙ୍କ ଭିତରେ ଉତ୍ତେଜନା ଆସିବା ସ୍ଵଭାବିକ l ଏହି ଉତ୍ତେଜନାକୁ ଧର୍ଯ୍ୟର ସହିତ ମୁକାବିଲା କରିବା ପୁଲିସ ଓ ପ୍ରଶାସନ ପାଖରୁ ଆଶା କରାଯାଉଥିଲା l ମାତ୍ର ତା ପରିବର୍ତ୍ତେ ପୁଲିସ ସାଧାରଣ ଜନତାଙ୍କ ଉପରେ ଲାଠି ପ୍ରହାର କରିବା ଓ ଅନେକ ଲୋକଙ୍କ ନାମରେ ମିଥ୍ୟା କେଶ ଦାୟର କରାଯାଇଛି l ଏହାକୁ କଂଗ୍ରେସ ଦଳ ଦୃଢ଼ ନିନ୍ଦା କରିବା ସହିତ ସାଧାରଣ ଜନତାଙ୍କ ବିରୁଦ୍ଧରେ ସମସ୍ତ ମାମଲାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛି l
ମୃତକ ଛାତ୍ରୀ ରୁପାଲୀ ବେସ୍ରାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର କ୍ଷତି ପୂରଣ ତଥା ଛାତ୍ରୀର ବାପା କିମ୍ବା ମାଆଙ୍କୁ ସ୍ଥାୟୀ ନିଯୁକ୍ତି ଦାବି l ସମସ୍ତ ଅସୁସ୍ଥ ଛାତ୍ରୀ ଛାତ୍ର ମାନଙ୍କ ସବୁ ପ୍ରକାର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତୁ l ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ଅଫିସର ଓ ସ୍କୁଲର ଶିକ୍ଷକ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ l ସମସ୍ତ ଆଶ୍ରମ ସ୍କୁଲ ଗୁଡିକରେ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା, ଖାଦ୍ୟର ମାନ ଓ ସ୍କୁଲ ପରିଚାଳନା କ୍ଷେତ୍ରରେ ଚରମ ଅବହେଳା ଦେଖିବାକୁ ମିଳୁଛି l ଏହାର ତୁରନ୍ତ ପ୍ରତିକାର କରାଯାଉ l ଏହି 6 ଜଣିଆ ପ୍ରତିନିଧି ଦଳରେ କଂଗ୍ରେସର ବରିଷ୍ଠ ନେତା ସୁଦର୍ଶନ ଦାସ, ପୂର୍ବତନ ସାଂସଦ ତଥା ଆଦିବାସୀ କଂଗ୍ରେସ ସଭାପତି ଯଶୋବନ୍ତ ଲାଗୁରି, ସତ୍ୟସିବ ଦାସ, ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପୂର୍ଣ୍ଣ ବିଶ୍ୱାଳ, ମହିଳା କଂଗ୍ରେସ ନେତ୍ରୀ ଜୟଶୀ ପଟ୍ଟନାୟକ ଓ ମନୀଷା ଦାସ ପଟ୍ଟନାୟକ ସାମିଲ ଥିଲେ l ସେମାନଙ୍କ ସହିତ ମୟୁରଭଞ୍ଜ ପଶ୍ଚିମ ଜିଲ୍ଲା ସଭାପତି ଭୁବନ ସାହୁ, ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ମୀନକେତନ ବେହେରା, କ୍ଷୀରୋଦ ଚନ୍ଦ୍ର ପାତ୍ର, ଲକ୍ଷ୍ମୀଧର ସିଂହ, ମାଧବୀ ସେନାପତି, ଭୁବନେଶ୍ୱରୀ ଜେନା, ସସ୍ମିତା ବେହେରା, ନାରାୟଣ ପଟନାୟକ, ପ୍ରଭାସ୍କର ମହାପାତ୍ର ପ୍ରମୁଖ ପ୍ରତିନିଧି ଦଳ ସହିତ ଯୋଗ ଦେଇଥିଲେ










