27.6 C
Bhubaneswar
Wednesday, April 15, 2026
Homeଓଡିଶାଆସନ୍ତା ଏପି୍ରଲ ୧୮ ତାରିଖରେ ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ହରତାଳ ଡାକରା

ଆସନ୍ତା ଏପି୍ରଲ ୧୮ ତାରିଖରେ ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ହରତାଳ ଡାକରା

ଭୁବନେଶ୍ୱର: ବିଜୁ ଜନତା ଦଳ ମୟୂରଭଞ୍ଜ ଜିଲ୍ଲାର ଏକ ସରକାରୀ ଛାତ୍ରାବାସରେ ଘଟିଥିବା ସନେ୍ଦହଜନକ ବିଷାକ୍ତ ଖାଦ୍ୟ ଘଟଣାରେ ୧୨ ବର୍ଷୀୟ ଆଦିବାସୀ ଛାତ୍ରୀ ରୁପାଲି ବେସ୍ରାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପ୍ରତି ଗଭୀର ଶୋକ ଓ ଯନ୍ତ୍ରଣା ବ୍ୟକ୍ତ କରିଛି । ଦଳ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ, ଅମାନବିକ ଏବଂ ସମ୍ୱଦ୍ଧିତ କର୍ତ୍ତୃପକ୍ଷଙ୍କ ଗୁରୁତର ଅବହେଳାର ଜ୍ୱଳନ୍ତ ଉଦାହରଣ ବୋଲି ମତ ପ୍ରକାଶ କରିଛି । ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ବିଜେଡିର ଏକ ପ୍ରତିନିଧି ଦଳ ରାସଗୋବିନ୍ଦପୁର ବ୍ଲକ୍ର ନଳାଗଞ୍ଜା ପଞ୍ଚାୟତ ଅଧୀନରେ ଥିବା ନୁଞ୍ଚାଟି ଗ୍ରାମକୁ ଯାଇ ଶୋକାକୁଳ ପରିବାର ସହ ଭେଟି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଦୁଃଖଦ ଘଡ଼ିରେ ଶ୍ରୀ ମୋଣ୍ଟୁ ବେସ୍ରାଙ୍କ କନ୍ୟା ରୁପାଲି ବେସ୍ରାଙ୍କ ପରିବାରଙ୍କୁ ଭେଟି ପ୍ରତିନିଧି ଦଳ ସମବେଦନା ଜଣାଇଛି ।

ରୁପାଲି ବେସ୍ରା ୨୦୨୬ ଏପ୍ରିଲ ୧୪ ତାରିଖରେ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଥିଲେ । ଏହି ଘଟଣାରେ ଛାତ୍ରାବାସରେ ରହୁଥିବା ୧୫୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା ଖବର ମିଳିଛି, ଯେଉଁମାନେ ଏପ୍ରିଲ ୧୨ ତାରିଖରେ ପରିବେଶିତ ହୋଇଥିବା ପଖାଳ, ସାଗ ଭଜା ଓ ଆଳୁ ଭର୍ତ୍ତା ପରି ଖାଦ୍ୟ ଖାଇଥିଲେ, ଯାହା ଅବଶିଷ୍ଟ ଖାଦ୍ୟରୁ ପ୍ରସ୍ତୁତ ହୋଇଥିବା ଏବଂ ନିର୍ଦ୍ଦିଷ୍ଟ ଖାଦ୍ୟ ସୁରକ୍ଷା ଓ ପୋଷଣ ମାନଙ୍କୁ ଉଲ୍ଲଂଘନ କରିଥିବା ଅଭିଯୋଗ ରହିଛି । ବିଜେଡି ପ୍ରତିନିଧି ଦଳ ଆଦିବାସୀ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ଦାୟୀ ଅଧିକାରୀମାନଙ୍କ ଗୁରୁତର ଅବହେଳା ପ୍ରତି ଗଭୀର ଚିନ୍ତା ବ୍ୟକ୍ତ କରିଛି । ଦଳ କହିଛି ଯେ ଛାତ୍ରାବାସରେ ରହୁଥିବା ଶିଶୁମାନଙ୍କୁ ଅସୁରକ୍ଷିତ ଓ ଅମାନବିକ ଖାଦ୍ୟ ପ୍ରଦାନ କରିବା ଗୁରୁତର ଅନ୍ୟାୟ ଓ ଏହା ବ୍ୟବସ୍ଥାଗତ ତ୍ରୁଟିକୁ ପ୍ରକାଶ କରୁଛି, ଯାହାକୁ ଶୀଘ୍ର ସୁଧାର କରିବା ଆବଶ୍ୟକ ।

ଏହି ପ୍ରତିନିଧି ଦଳ ରାସଗୋବିନ୍ଦପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଏବଂ ବାରିପଦାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । କିଛି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେବି ଗୁରୁତର ରହିଛି । ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଗଭୀର ଯନ୍ତ୍ରଣା ବ୍ୟକ୍ତ କରି କହିଛନ୍ତି ଯେ ଯଥୋଚିତ କାର୍ଯ୍ୟନୁଷ୍ଠାନ ଓ ବ୍ୟବସ୍ଥାଗତ ସୁଧାର ହେଉନଥିଲେ ସେମାନେ ପୁଣିଥରେ ତାଙ୍କ ସନ୍ତାନମାନଙ୍କୁ ଛାତ୍ରାବାସକୁ ପଠାଇବେ ନାହିଁ । ପ୍ରେସ ସମ୍ମିଳନୀରେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଏହି ଘଟଣାକୁ କଡ଼ା ନିନ୍ଦା କରିଥିବା ସହ ଏକ ବର୍ତ୍ତମାନ ବସିଥିବା ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ ଦାବି କରିଥିଲେ । ସେ କହିଥିଲେ ଯେ ବର୍ତ୍ତମାନର ତଦନ୍ତ ପର୍ଯ୍ୟାପ୍ତ ନୁହେଁ । ଦୋଷୀ ସମସ୍ତ ଅଧିକାରୀ, ଛାତ୍ରାବାସ କର୍ମଚାରୀ, ଶିକ୍ଷକ ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ତକ୍ରାଳ ନିଲମ୍ବନ ଓ କଠୋର କାର୍ଯ୍ୟନୁଷ୍ଠାନ ଦାବି କରିଛି ବିଜେଡି । କ୍ଷତିପୂରଣ ବିଷୟରେ ଅସମତା ଉଲ୍ଲେଖ କରି ବିଜେଡି କହିଛି ଯେ ପୀଡ଼ିତ ପରିବାରକୁ ଘୋଷିତ ୭ ଲକ୍ଷ ଟଙ୍କା ଅନୁଗ୍ରହ ଅପର୍ଯ୍ୟାପ୍ତ ଏବଂ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛି । ଦଳ ଆହୁରି ଦାବି କରିଛି ଯେ ଗୁରୁତର ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଏଆଇଆଇଏମ୍ଏସ୍ ଭୁବନେଶ୍ୱର ଓ ଏସ୍ସିବି ମେଡିକାଲ କଲେଜ୍ ପରି ଉନ୍ନତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଉ ।

ଖାଦ୍ୟ ସୁରକ୍ଷା ନିରୀକ୍ଷଣକୁ କଠୋର କରିବା, ପୋଷଣ ମାନ ବୃଦ୍ଧି, ସ୍ୱାସ୍ଥ୍ୟ ସେବା ସୁଦୃଢ଼ କରିବା ଓ ସମସ୍ତ ଛାତ୍ରାବାସରେ ବିଶେଷକରି ପଛୁଆ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ମର୍ଯ୍ୟାଦା ସୁନିଶ୍ଚିତ କରିବା ପାଇଁ ତୁରନ୍ତ ବ୍ୟବସ୍ଥାଗତ ସୁଧାରର ଆବଶ୍ୟକତା ଉପରେ ଜୋର ଦେଇଛି ବିଜେଡି । ମୟୂରଭଞ୍ଜ ଜିଲ୍ଲା ସଭାପତି ଶ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ ଏହି ଦୁର୍ଘଟଣା ବିରୋଧରେ ପ୍ରତିବାଦ ଓ ନ୍ୟାୟ ଦାବିରେ ବିଜୁ ଜନତା ଦଳ ଏପ୍ରିଲ ୧୮, ୨୦୨୬ ତାରିଖରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ହରତାଳ ଡାକ ଦେଇଛି । ଏହି ପ୍ରତିନିଧି ଦଳରେ ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ଗୌତମବୁଦ୍ଧ ଦାସ, ଡା. ପ୍ରିୟବ୍ରତ ମାଝୀ, ଶ୍ରୀ ସାନନ୍ଦ ମାରାଣ୍ଡି, ଶ୍ରୀ ରାଜକିଶୋର ଦାସ, ଶ୍ରୀମତୀ ଭାରତୀ ହାଂସଦା, ଶ୍ରୀମତୀ ପ୍ରୀତିନନ୍ଦା କାନୁଙ୍ଗୋ, ଡା. ଦେବାଶିଷ ମାରାଣ୍ଡି, ଶ୍ରୀ ଦେବାଶିଷ ମହାନ୍ତି, ଶ୍ରୀ ଗଣେଶ୍ୱର ପାତ୍ର, ଶ୍ରୀ ସୁନିଲ ନାୟକ, ଶ୍ରୀ ଜିତେନ୍ଦ୍ର ମହାନ୍ତି, ଶ୍ରୀ ସୁବ୍ରମଣ୍ୟମ ମହାନ୍ତି ଓ ଶ୍ରୀମତୀ ସୀମା ଦାସ ଅନ୍ତର୍ଭୁକ୍ତ ଥିଲେ । ଦଳ ଆଦିବାସୀ ସମୁଦାୟର ଅଧିକାର ଓ କଲ୍ୟାଣ ସୁରକ୍ଷା ପାଇଁ ତାଙ୍କ ଅଟଳ ପ୍ରତିବଦ୍ଧତା ପୁନରୁଚ୍ଚାରଣ କରିଛି ଏବଂ ଏପରି ଦୁର୍ଭାଗ୍ୟଜନକ ଘଟଣା ପୁନରାବୃତ୍ତି ନ ହେବାକୁ ନିଶ୍ଚିତ କରିବାରେ ଜୋର ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking