ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନମାନୀ ଆଉ ଚଳିବ ନାହିଁ । ମିଳିଛି ପାନେ । ଓଡ଼ିଶା ସରକାର ଉତ୍ତରପ୍ରଦେଶରୁ ଆଣିଛନ୍ତି ଆଳୁ । ଭବିଷ୍ୟତରେ ଖାଉଟିଙ୍କ ଆବଶ୍ୟକତା ପୂରଣ ପାଇଁ ଆଳୁ ଅମାଦାନୀ ଜାରି ରଖିବେ । ଗୁରୁବାର ଦିନତମାମ ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାର କସରତ କରିଛନ୍ତି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବଙ୍କ ସମେତ ଓଡ଼ିଶା ବ୍ୟବସାୟୀ ସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ଓ ବିଭିନ୍ନ ବ୍ୟବସାୟୀ ସଂଘର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।
ପରେ ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ଆଳୁ ଯୋଗାଣକୁ ନେଇ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରୁଛି । ଫଳରେ ରାଜ୍ୟରେ ନାନା ସମସ୍ୟା ସୃଷ୍ଟି ହେଉଛି । ଖାଉଟି ବଜାରରେ ଆଳୁର ଦର ଅହେତୁକ ଭାବେ ବୃଦ୍ଧି ପାଉଛି । ପଶ୍ଚିମବଙ୍ଗ ସରକାରଙ୍କ ଏହି ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଓଡ଼ିଶା ସରକାର ଏଣିକି ଉତ୍ତରପ୍ରଦେଶରୁ ଆଳୁ ଆଣିବାର ନିଷ୍ପତ୍ତି ନେଇଛନ୍ତି । କିଛି ଟ୍ରକରେ ଆଳୁ ଆସିବା ବି ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଜାରି ରହିବ । ଫଳରେ ପଶ୍ଚିମବଙ୍ଗ ଉପରୁ ଆଉ ଭରସା କରିବାର କିଛି ଆବଶ୍ୟକତା ନାହିଁ । ଓଡ଼ିଶା ବ୍ୟବସାୟୀ ଏବଂ ବିଭିନ୍ନ ସଂଘର ଅନୁରୋଧକୁ ରକ୍ଷା କରି ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଓଡ଼ିଶାର ଅସ୍ମିତା ରକ୍ଷା ସହ ପଡ଼ୋଶୀ ରାଜ୍ୟ ଉପରେ ଆଳୁ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଏକ ପ୍ରତିନିଧି ମଣ୍ଡଳୀ ଖୁବଶୀଘ୍ର ଉତ୍ତରପ୍ରଦେଶ ଗସ୍ତ କରିବ । ଆଳୁର ସ୍ଥିତି ପରଖି ରିପୋର୍ଟ ଦେବାପରେ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ । ଉତ୍ତର ପ୍ରଦେଶରୁ ଆଳୁ ଆସିଲେ ପଶ୍ଚିମବଙ୍ଗର ଦୌରାତ୍ମ୍ୟ ହ୍ରାସ ପାଇବ । ତେବେ ଆଳୁ ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଉଲ୍ଲେଖନୀୟ ଯେ, ଗତ ୩୦ରେ ବିଧାନସଭାରେ ବିରୋଧୀ ଦଳ ସରକାରଙ୍କୁ ଦରବୃଦ୍ଧି ନେଇ ଘେରିଥିଲେ । ସେମାନେ କହିଥିଲେ, ଦେଢ଼ ମାସ ପୁରିନି, ଅଥଚ ଦରଦାମ ଆକାଶଛୁଆଁ । ଆଳୁ, ଡାଲି, ଟମାଟୋ, ପିଆଜ ଦର ଉପରେ ନିୟନ୍ତ୍ରଣ ନାହିଁ । ଗରିବ ଓ ମଧ୍ୟବିତଙ୍କ ଆର୍ଥିକ ସ୍ଥିତି ଉପରେ ଏହାର ଚାପ ପଡ଼ୁଛି । ସରକାର କିଛି ବି ପଦକ୍ଷେପ ନନେବା ଦୁôôଃଖର ବିଷୟ । ଏଭଳି ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ । ଗୃହ ଏନେଇ ସରଗରମ ହୋଇଥିଲା । ହେଲେ ପୁରୁଣା କଥା ଉଠାଇ ବିଜେଡିକୁ ପାଲଟା ଆକ୍ରମଣ କରିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଥିଲେ, କୌଣସି ଦର ବର୍ତ୍ତମାନ ବଢ଼ିନାହିଁ ।
ଦରଦାମ ବୃଦ୍ଧି କେବଳ ଓଡ଼ିଶାରେ ସୀମିତ ନାହିଁ । ଏହାର ପ୍ରଭାବ ସବୁଠି ପଡ଼ିଛି । ଆଭ୍ୟନ୍ତରୀଣ ଉତ୍ପାଦନ ବ୍ୟତୀତ, ଡାଲି ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇ ଉତ୍ତରପ୍ରଦେଶ, ମହାରାଷ୍ଟ୍ର,ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ ଭଳି ରାଜ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା । ଦେଶର ହାରାହାରି ଦର ଠାରୁ ଆମ ରାଜ୍ୟରେ ତୁଳନାତ୍ମକ ଭାବେ କମ ରହିଛି । ସୁଲଭ ମୂଲ୍ୟରେ ଲୋକେ କିପରି ସାମଗ୍ରୀ ପାଇବେ ଜିଲ୍ଲାପାଳ ମାନେ ବ୍ୟବସାୟୀଙ୍କ ସହ ବୈଠକ କରିବାକୁ ନିର୍ଦ୍ଦେଶ ରହିଛି । କ୍ଷେତ୍ରୀୟ ଅଧିକାରୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି । ଆଳୁ, ପିଆଜ ଡାଲିର ଗଚ୍ଛିତ ପରିମାଣ ଆକଳନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କଳାବଜାରୀ ଓ ମୁନାଫାଖୋର ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି ।