କଟକ: ବାଲି ସୈରାତ ଉତ୍ସଗୁଡ଼ିକର ପରିଚାଳନା ଓ ଏ ସମ୍ପର୍କିତ ନିଷ୍ପତ୍ତି ନେବା ମାମଲାରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ୨୦୨୨ରେ ଲଘୁ ଖଣିଜ ଦ୍ରବ୍ୟ ସଂପର୍କିତ ନିୟମାବଳୀ (ଓଏମଏମସି ରୁଲ୍ସ)ରେ ସଂଶୋଧନ ହେବା ପରେ କ୍ଷମତା ନ ଥିଲେ ମଧ୍ୟ ରାଜ୍ୟରେ ତହସିଲଦାରମାନେ ବାଲି ସୈରାତ ଉତ୍ସ ନିଲାମ ବାତିଲ ଭଳି ନିର୍ଦେଶ ପ୍ରଦାନ କରୁଥିବା ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ୨୦୨୨ ଡିସେମ୍ବର ୨୮ରୁ ଓଡ଼ିଶା ମାଇନର ମିନେରାଲ କନ୍ସେସନ୍ (ଓଏମଏମସି) ରୁଲ୍ସର ସଂଶୋଧନ ଲାଗୁ ହେବା ପରେ ବାଲିଘାଟ ଲିଜ୍ ସମ୍ବନ୍ଧୀୟ ନିଷ୍ପତ୍ତି ନେବାର କ୍ଷମତା ତହସିଲଦାରଙ୍କ ପାଖରେ ରହି ନାହିଁ। ଏହି କ୍ଷମତା ଖଣି ବିଭାଗର ଅଧିକୃତ ଅଧିକାରୀଙ୍କୁ ନ୍ୟସ୍ତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅଦାଲତ ଯାଜପୁର ଜିଲାର ବ୍ୟାସନଗର ତହସିଲଦାରଙ୍କ ଦ୍ୱାରା ଜଣେ ଲିଜ୍ଧାରୀଙ୍କ ବାଲି ଖାଦାନ ଲିଜ୍ ବାତିଲ ଏବଂ ସିକ୍ୟୁରିଟି ଜମା ବାତିଲ କରିବା ଆଦେଶକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଏବଂ ବିଚାରପତି ଏମ.ଏସ୍ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ନୟାହାଟପାଟଣା ବୈତରଣୀ ନଦୀ ବାଲି ଉତ୍ସ ଲିଜ୍ ପାଇଥିଲେ। ୨୦୨୩ ଜୁଲାଇ ୧୭ରେ ବ୍ୟାସନଗର ତହସିଲଦାର ଏହି ବାଲି ସୈରାତ ଉତ୍ସ ଲିଜ ବାତିଲ କରିବା ସହିତ ଆବେଦନକାରୀଙ୍କ ସୁରକ୍ଷା ଜମା ବାତିଲ ପାଇଁ ନିର୍ଦେଶ ଦେଇଥିଲେ। ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ତହସିଲଦାରଙ୍କ କ୍ଷମତା ନାହିଁ ଓ କ୍ଷମତା ପରିସର ବାହାରକୁ ଯାଇ ଏପରି ନିର୍ଦେଶ ପ୍ରଦାନ କରାଯାଇଛି, ଯାହା ବେଆଇନ ବୋଲି ଦର୍ଶାଇ ଆବେଦନକାରୀ ଶଶିକାନ୍ତ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ୨୦୨୨ ଡିସେମ୍ବର ୨୭ ଓଏମଏମସି ସଂଶୋଧିତ ବିଜ୍ଞପ୍ତି ଅନୁଯାୟୀ ଅଥରାଇଜ୍ଡ ଅଫିସର ବା ଅଧିକୃତ ଅଧିକାରୀଙ୍କ ସଂଜ୍ଞା ବଦଳିଛି। ଏବେ ଏହି କ୍ଷମତା ଖଣି ବିଭାଗର ‘ଡିରେକ୍ଟର ଅଫ୍ ମାଇନ୍ସ ଆଣ୍ଡ ଜିଓଲୋଜି’ ବା ସରକାରଙ୍କ ଦ୍ୱାରା ଲିଖିତ ଭାବେ ନିଯୁକ୍ତ ଅଧିକାରୀଙ୍କ ପାଖରେ ରହିଛି। ଏହି ନିୟମ ୨୦୨୨ ଡିସେମ୍ବର ୨୮ରେ ସରକାରୀ େଗଜେଟ୍ରେ ପ୍ରକାଶ ପାଇବା ଦିନଠାରୁ ହିଁ ଖଣି ଓ ବାଲି ସୈରାତ ମାମଲାରେ ନିଷ୍ପତ୍ତି ନେବା ପାଇଁ ତହସିଲଦାରଙ୍କ ପୁରୁଣା କ୍ଷମତା ସମାପ୍ତ ହୋଇଯାଇଛି।










