42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶହିମାଚଳରେ ରାଜନୈତିକ ସଂକଟ: କଂଗ୍ରେସ ସରକାରକୁ ଜୋରଦାର ଝଟ୍‌କା; ଇସ୍ତଫା ଦେଲେ ୩ ସ୍ୱାଧୀନ ବିଧାୟକ

ହିମାଚଳରେ ରାଜନୈତିକ ସଂକଟ: କଂଗ୍ରେସ ସରକାରକୁ ଜୋରଦାର ଝଟ୍‌କା; ଇସ୍ତଫା ଦେଲେ ୩ ସ୍ୱାଧୀନ ବିଧାୟକ

ଶିମ୍‌ଲା: କିଛି ଦିନର ନିରବତା ପରେ ପୁଣିଥରେ ହିମାଚଳ ପ୍ରଦେଶରେ ରାଜନୈତିକ ସଂକଟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ କ୍ଷମତାରେ ଥିବା ପ୍ରଦେଶ କଂଗ୍ରେସକୁ ଆଜି ଏଠାରେ ଜୋରଦାର ଝଟ୍‌କା ଲାଗିଛି । କଂଗ୍ରେସକୁ ସମର୍ଥନ କରୁଥିବା ୩ ସ୍ୱାଧୀନ ବିଧାୟକ ଆଜି ହଠାତ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହି ୩ ବିଧାୟକଙ୍କ ଇସ୍ତଫା ସହ ରାଜ୍ୟରେ କଂଗ୍ରେସ ସରକାର ଉପରେ ବଡ଼ ବିପଦ ସୃଷ୍ଟି ହୋଇଛି । ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଏବେ ଆଉ କଂଗ୍ରେସ ପାଖରେ ନଥିବା ବେଳେ ଏଠାରେ କ୍ଷମତା ପରିବର୍ତ୍ତନ ଭଳି ପରିସ୍ଥିତି ଉତ୍ପନ୍ନ ହୋଇଛି ।
ସୂଚନାଯୋଗ୍ୟ, ରାଜ୍ୟସଭା ନିର୍ବାଚନ ସମୟରେ ଯେଉଁ ୩ ସ୍ୱାଧୀନ ବିଧାୟକ, ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ବା ଭୋଟ୍ ଦେଇଥିଲେ ସେହି ୩ ବିଧାୟକ ଆଜି ନିଜ ପଦରୁ ଆକସ୍ମିକ୍ ଭାବେ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ନିର୍ବାଚନ ପର ଠାରୁ ଏହି ୩ ସ୍ୱାଧୀନ ବିଧାୟକ କେଉଁଆଡେ ଅର୍ନ୍ତଦ୍ଧାନ ହୋଇଯାଇଥିଲେ । ପରେ ଅବଶ୍ୟ ଏମାନେ ଦିଲ୍ଲୀରେ ଡେରା ପକାଇଥିବା ଜଣାପଡିଥିଲା । କିନ୍ତୁ ଶୁକ୍ରବାର ଏମାନେ ଏକ ଚାଟାର୍ଡ ବିମାନ ଯୋଗେ ଫେରିଆସି ହଠାତ୍ ବିଧାନସଭା ସଚିବଙ୍କୁ ନିଜ ନିଜ ଇସ୍ତଫା ପତ୍ର ପଠାଇଦେଇଛନ୍ତି । ଏହି ୩ ସ୍ୱାଧୀନ ବିଧାୟକ ହେଲେ, ହମିରପୁର ସଦରରୁ ସ୍ୱାଧୀନ ବିଧାୟକ ଆଶିଷ ବର୍ମା, ନାଲାଗଡ଼ ବିଧାନସଭା ଆସନରୁ ସ୍ୱାଧୀନ ବିଧାୟକ ଥିବା କେଏଲ୍ ଠାକୁର ଏବଂ ଦେହରା ବିଧାୟକ ହୋସିଆର ସିଂହ ପ୍ରମୁଖ । ତେବେ ଏହି ୩ ବିଧାୟକ ଆଜି ବିଧାନସଚିବଙ୍କୁ ଭେଟି ଇସ୍ତଫା ପତ୍ର ଦେବା ସମୟରେ ହିମାଚଳର ପୂର୍ବଚନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉପସ୍ଥିତ ରହିବା ଦେଖିବାକୁ ମିଳିଥିଲା । ପୂର୍ବରୁ ଏହି ମାମଲାରେ (ରାଜ୍ୟସଭା ନିର୍ବାଚନ ସମୟରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବା ଅଭିଯୋଗ ଆଧାର) କଂଗ୍ରେସ ନିଜର ୬ ବିଧାୟକଙ୍କୁ ନିଲମ୍ବିତ କରିସାରିଛି । ଏହି ୬ କଂଗ୍ରେସ ବିଧାୟକମାନେ ଦଳୀୟ ହ୍ୱିପ୍‌କୁ ନମାନି ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ । ଯେଉଁ କାରଣ ପାଇଁ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ମନୁ ସିଂଘଭୀ ନିଶ୍ଚିତ ବିଜୟ ଠାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଏବଂ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ ।
ସୂଚନାଯୋଗ୍ୟ, କଂଗ୍ରେସର ଏହି ୬ ନିଲମ୍ବିତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା (ବିଧାୟକ ସଦସ୍ୟତା ରଦ୍ଦ) ପରେ ଏହି ୬ ଆସନ (ଧର୍ମଶାଳା, ଲାହଲ ସ୍ପିଟି, ବାଦସର, କୁଟଲେହର, ଗାଗ୍ରେଟ୍ ଏବଂ ସୁଜନପୁର)ରେ ଉପନିର୍ବାଚନ କରାଇବା ନେଇ ନିର୍ବାଚନ ଆୟୋଗ ବହୁ ପୂର୍ବରୁ ଘେଷଣା କରିଥିଲେ । ଏବେ ଏଥିରେ ଆଉ ୩ଜଣ ସ୍ୱାଧୀନ ବିଧାୟକଙ୍କ ଇସ୍ତଫା ସର୍ମ୍ପକୀତ ସୂଚନା ସାମ୍ନାକୁ ଆସିଛି । ସୁତରାଂ ରାଜ୍ୟର ମୋଟ୍ ୯ଟି ବିଧାନସଭା ଆସନ ଏବେ ଖାଲିପଡ଼ିଛି । ତେବେ ଲୋକସଭା ନିର୍ବାଚନ ସହ ରାଜ୍ୟର ଖାଲି ପଡ଼ିଥିବା ଏହି ୯ ବିଧାୟକ ଆସନ ପାଇଁ ଜୁନ୍ ୧ରେ ଉପନିର୍ବାଚନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking