28.1 C
Bhubaneswar
Thursday, March 28, 2024
Homeଅପରାଧବାବନପୁର ହିଂସା ଘଟଣା : ୧୦ ମୁଖ୍ୟ ଅଭିଯୁକ୍ତଙ୍କ ସୂଚନା ଦେଲେ ପୁରସ୍କାର

ବାବନପୁର ହିଂସା ଘଟଣା : ୧୦ ମୁଖ୍ୟ ଅଭିଯୁକ୍ତଙ୍କ ସୂଚନା ଦେଲେ ପୁରସ୍କାର

ଗଞ୍ଜାମ : ଜରଡା ଥାନା ପାତ୍ରପୁର ବ୍ଳକ ଖମ୍ବାରିଗାଁ ପଞ୍ଚାୟତ ବାବନପୁର ଗ୍ରାମରେ ଗତ ୨୦ ତାରିଖ ଗୁରୁବାର ଘଟିଥିବା ହିଂସା ଘଟଣାରେ ଜଣେ ନାବାଳକ ସମେତ ଦୁଇ ଜଣଙ୍କୁ ପୋଲିସ୍ କାବୁ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ୧୦ଜଣ ଅଭିଯୁକ୍ତ ଏବେ ଫେରାର୍ ହୋଇଛନ୍ତି । ସେହି ଅଭିଯୁକ୍ତଙ୍କୁ ଧରିବା ପାଇଁ ଜରଡା ଥାନା ପୁଲିସ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା ସହିତ ସେମାନଙ୍କ ସ୍କେଚ୍ ଜାରି କରିଛି । ବାବନପୁର ଗ୍ରାମରେ ଗତ ଗୁରୁବାର ଦିନ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ୪ ଜଣ ଆହତ ହୋଇଥିଲେ । ଗ୍ରାମର ଗୋଟିଏ ଗୋଷ୍ଠୀ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଖମ୍ବାରିଗାଁ ପଞ୍ଚାୟତକୁ ଆସିଥିଲେ । ନାମାଙ୍କନ ଦାଖଲ କରି ଗ୍ରାମକୁ ଫେରିବା ସମୟରେ ପଥର କ୍ୱାରି ନିକଟରେ ଅନ୍ୟ ଏକ ଗୋଷ୍ଠୀର ବ୍ୟକ୍ତିମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ପି. ନୌକେୟାଙ୍କୁ ମରଣାନ୍ତକ ଆକ୍ରମଣ କରି ନିକଟ ବିଲରେ ଛାଡି ଦେଇଥିଲେ । ତାଙ୍କର ଗୋଡ, ହାତ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପରେ ଆକ୍ରମଣକାରୀମାନେ ଗ୍ରାମରେ ପହଞ୍ôଚ କେ. ଭିମେୟା ରାଓ, କେ. ଶିବା ଓ କେ. କୋଟେସୁଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ବିଭିନ୍ନ ସ୍ଥାନରେ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୋଲିସ୍ ଚଢ଼ଉ ଜାରି ରଖିଥିଲା । କିନ୍ତୁ କେହି ମଧ୍ୟ ଧରାପଡି ନଥିବାରୁ ଆଜି ଫେରାର ୧୦ ଜଣଙ୍କ ସ୍କେଚ ଜାରି କରିବା ସହ ଅଭିଯୁକ୍ତଙ୍କ ସମ୍ପର୍କରେ ଖବର ଦେଲେ ୧୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ପୁଲିସ୍ । ଫେରାର୍ ଅଭିଯୁକ୍ତମାନଙ୍କ ମଧ୍ୟରେ କେ. ସୁନ୍ଦର ରାଓ, ଏ. ଉମାପତି, ଏ. ବୈରାଗୀ, ଜି. କୋଇରା, କେ. ଦୁର୍ଯ୍ୟୋଧନ, କେ. ସନ୍ତୋଷ, କେ. କୁମାର ସ୍ୱାମୀ, କେ. ଡିଲି ରାଓ, ଟି. ଡାଲେୟା. କେ. ଦୁର୍ଯ୍ୟୋଧନ ବୋଲି ଜଣାପଡ଼ିଛି । ଘଟଣା ପରଠାରୁ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭାତ୍ରା, ଜରଡା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନଙ୍କ ସହ ପୋଲିସ ଟିମ ବିଭିନ୍ନ ସ୍ଥାନରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଥିବା ଜଣାପଡିଛି । ଘଟଣା ଦିନ ଠାରୁ ପୋଲିସ ଗିରଫ ଭୟରେ ଗ୍ରାମ ପୁରୁଷ ଶୂନ୍ୟ ହୋଇଯାଇଛି । ଗ୍ରାମରେ ଦୀର୍ଘଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଅନେକ ଥର ଆକ୍ରମଣରେ ଖଣ୍ଡିଆ ଖାବରା ହୋଇଥିବା ନଜିର ରହିଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଏତଲା ଦେଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ନିର୍ବାଚନ ବେଳେ ଏହିଭଳି ଆକ୍ରମଣ ଘଟିଥିବାରୁ ଏହାକୁ ନିର୍ବାଚନୀ ହିଂସା ବୋଲି ଆଲୋଚନା ହେଉଥିବା ଜଣାପଡିଛି । ସଠିକ୍ ତଦନ୍ତ ହେଲେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking