33.1 C
Bhubaneswar
Sunday, April 28, 2024
Homeଓଡିଶାଟିକା ପାଇଁ ଠେଲା ପେଲା, ନିର୍ଧୁମ୍ ପିଟିଲା ପୋଲିସ

ଟିକା ପାଇଁ ଠେଲା ପେଲା, ନିର୍ଧୁମ୍ ପିଟିଲା ପୋଲିସ

ଖୋର୍ଦ୍ଧା : ଟିକା ପାଇଁ ଠେଲା ପେଲା ହେବାରୁ ଲୋଙ୍କୁ ପିଟିଲା ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା କୃତିବାସ ଭବନ ଟିକାକରଣ କେନ୍ଦ୍ରରେ । ଟିକାକରଣ ବେଳେ ଉପସ୍ଥିତ ଲୋକ ଓ ପୋଲିସ ମଧ୍ୟରେ ଠେଲାପେଲା ହୋଇଥିଲା । ଖବର ପାଇ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ କହିଥିଲା । ହେଲେ ଲୋକେ ଶୁଣିବାକୁ ନାରାଜ । ଫଳରେ ପୋଲିସ ବାଧ୍ୟ ହୋଇ ଲୋକଙ୍କୁ ମାଡ଼ ମାରିଥିଲା । ପୋଲିସ ନିର୍ଧୁମ ମାଡ଼ ମାରୁଥିବା ନେଇ ଭିଡିଓ ମଧ୍ୟ ଭାଇରାଲ ହୋଇଛି । କୃତିିବାସ ଭବନରେ ଆଜି ଟିକାକରଣ ପାଇଁ ଯେତିକି ଟିକା ଆସିଥିଲା ତା’ଠାରୁ ଅଧିକ ଲୋକ ପହଞ୍ଚିଯିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ସ୍ଥାନୀୟ ଅଞ୍ଚଳରେ ଟିକା ଦାନ ପ୍ରକ୍ରିୟାକୁ ୫ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯାଇଥିଲେ ମଧ୍ୟ ଟିକାର ଅନିୟମିତ ଯୋଗାଣ ଏବଂ ପରିଚାଳନାରେ ସ୍ଥାନୀୟ ପ୍ରଶାସନର ବିଫଳତା ଯୋଗୁ ଆଜି ଯାଏଁ ବହୁ ଜନସାଧାରଣ ପ୍ରଥମ ପାନ ଟିକା ପାଇ ପାରିନାହାଁନ୍ତି । ଫଳରେ ଟିକା କେନ୍ଦ୍ରରେ ନିୟମିତ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏପରିକି ବହୁ ଆଶାୟୀ ପୂର୍ବ ଦିନ ସନ୍ଧ୍ୟାରୁ ଟିକାଦାନ କେନ୍ଦ୍ର ସମ୍ମୁଖରେ ବସିରହୁଥିବା ବେଳେ ଅନ୍ୟ କେତେକ ଗାଡି ଭଡା କରି ପଡୋଶୀ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଟିକାକେନ୍ଦ୍ରକୁ ଯାଉଥିବା ଦେଖିବାକୁ ମିଳୁଛି । ମାତ୍ର ସ୍ଥାନୀୟ ପ୍ରଶାସନ ଏନେଇ କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁନାହିଁ । ଫଳରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ଜନ ସାଧାରଣ ଅଭିଯୋଗ କରିଛନ୍ତି । ଅନ୍ୟ ଅଞ୍ଚଳ ପରି ଏଠାରେ ମଧ୍ୟ ଅନଲାଇନ ମାଧ୍ୟମରେ ଟିକା ପାଇଁ ସମୟ ଧାର୍ଯ୍ୟର ସୁବିଧା କରାଗଲେ ଟିକାକେନ୍ଦ୍ରମାନଙ୍କରେ ଅଯଥା ଭିଡ ତଥା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବନାହିଁ ବୋଲି ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଓଡ଼ିଶାର ଅନ୍ୟ ଜିଲ୍ଲାରେ ଏଭଳି ଘଟଣା ଘଟିଥିବା ଦେଖାଯାଇଛି । କୋଭିଡ୍ ଟିକା ପାଇଁ ହାଉଜାଉ ସ୍ଥିତି । ଅଧିକାଂଶ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ଠେଲାପେଲା ପରିସ୍ଥିତି ଦେଖାଯାଇଛି । ଏମିତିକି କିଛି ସ୍ଥାନରେ ଲୋକେ ରାତି ଅନିଦ୍ରା ହୋଇ ଟିକା ପାଇଁ ଲାଇନ୍ ଲଗାଉଥିବା ଦେଖିବାକୁ ମିଳିଛି । ଠେଲାପେଲା ଭିତରେ ଜଣେ ମହିଳାଙ୍କର ପଞ୍ଜରା ହାଡ଼ ଭାଙ୍ଗିଯାଇଥିବା ଖବର ସାମ୍ନାକୁ ଆସିଥିଲା । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରୁ ଆସିଥିଲା ଏଭଳି ଏକ ଖବର । ପୋଲସରା ବ୍ଲକର ରାଣୀପଡ଼ା କଲ୍ୟାଣ ମଣ୍ଡପରେ ଟିକାକରଣ ଚାଲିଥିଲା । ଟିକା ନେବା ପାଇଁ ଲମ୍ବା ଧାଡ଼ି ହୋଇଥିଲା । ଏତିକି ବେଳେ ଲୋକଙ୍କ ଭିତରେ ଠେଲାପେଲା ବେଳେ ଭାନୁ ସାହୁ ନାମକ ଜଣେ ମହିଳା ତଳେ ପଡ଼ି ଯାଇଥିଲେ । ଫଳରେ ତାଙ୍କର ପଞ୍ଜରା ହାଡ଼ ଭାଙ୍ଗିଯାଇଥିଲା । ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମକେସିଜିକୁ ଦସ୍ଥାନାନ୍ତର କରାଯାଇଥିଲା । ମାଲକାନଗିରି ଜିଲ୍ଲା ଏମ୍ଭି-୭୯ ଟିକାକରଣ କେନ୍ଦ୍ରରେ ବି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରବଳ ଗୁଳୁଗୁଳି ଓ ଅସହ୍ୟ ଗରମ ଭିତରେ ଲୋକେ ଲମ୍ବା ଲାଇନ୍‌ରେ ଘଣ୍ଟାଘଣ୍ଟା ଧରି ଛିଡ଼ା ହୋଇ ଅପେକ୍ଷା କରୁଥିଲେ । ଢେଙ୍କାନାଳରେ ବି ସମାନ ଚିତ୍ର ଦେଖିବାକୁ ମିଳିଥିଲା । ପ୍ରବଳ ଭିଡ଼ ସାଙ୍ଗକୁ ପାଟିତୁଣ୍ଡ, ହାହାଲ୍ଲା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking