– ଗୃହକୁ ବାରମ୍ବାର ମୁଲତବୀ କଲେ ବାଚସ୍ପତି
– ନବୀନ କହିଲେ, ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବୁ
– ଓଡ଼ିଶା ବୁଡ଼ୁଛି, ଆନ୍ଧ୍ର ହସୁଛି: କାଡ଼ାମ
ଭୁବନେଶ୍ୱର: ପୋଲାଭରମ୍ ପ୍ରସଙ୍ଗ ନେଇ ବିଜେଡି ଦିଲ୍ଲୀରେ ପ୍ରତିବାଦ କରିବା ସହ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ଦେଇଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ବିଧାନସଭା ସରଗରମ ହୋଇଛି। କଂଗ୍ରେସ ପକ୍ଷରୁ ଅଣାଯାଇଥିବା ମୁଲତବୀ ପ୍ରସ୍ତାବକୁ କାହିଁକି ଅଗ୍ରାହ୍ୟ କରାଗଲା ବୋଲି ପ୍ରଶ୍ନ କରି ସେହି ଦଳର ସଦସ୍ୟମାନେ ଗୃହ ଭିତରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ସୁରମା ପାଢ଼ୀ ଅସ୍ୱାଭାବିକ ସ୍ଥିତି କାରଣରୁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ।
ଦିଆଯାଇଥିବା ମୁଲତବୀ ପ୍ରସ୍ତାବକୁ କାହିଁକି ଅଗ୍ରାହ୍ୟ କରାଯାଇଛି ବୋଲି କହି କଂଗ୍ରେସ ସଭ୍ୟମାନେ ପ୍ରବଳ ହୋହାଲ୍ଲା କରିଥିଲେ। ବିଜେଡି ସଭ୍ୟ ସମର୍ଥନ କରିଥିଲେ। ସେମାନେ ନାରାବାଜି କରିବା ସହ ଗୃହ ମଧ୍ୟକୁ ଆସି ପାଟିତୁଣ୍ଡ କରିଥିଲେ। ଗୃହ ଚାଲିବା ସମ୍ଭବ ନହେବାରୁ ବାଚସ୍ପତି ଗୃହକୁ ୧୦ଟା ୩୪ରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ପ୍ରଥମେ ମୁଲତବୀ କରିଥିଲେ। ପରେ ପୁଣି ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ବାଚସ୍ପତି ପୁଣି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ଫଳରେ ଗୃହ ବାହାରେ ବି ପୋଲାଭରମ ପ୍ରସଙ୍ଗ ନେଇ ସ୍ଥିତି ଉଷ୍ଣ ଥିଲା। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ, ପୋଲାଭରମ୍ ନେଇ ଓଡ଼ିଶା ବୁଡୁଥିବାବେଳେ ଆନ୍ଧ୍ରପ୍ରଦେଶ ହସୁଛି। କିନ୍ତୁ ଉଭୟ ଭାରତ ସରକାର ଓ ଓଡ଼ିଶା ସରକାର ନୀରବତା ଅବଲମ୍ବନ କରୁଛନ୍ତି। ପ୍ରକଳ୍ପକୁ କେନ୍ଦ୍ର ସରକାର ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି। ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଣାଯାଇଥିଲା।
କିନ୍ତୁ ସୁପ୍ରିମକୋର୍ଟଙ୍କ ଆଳ ଦେଖାଇ ଗୃହରେ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିଦେଲେ। ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଯାଉଛନ୍ତି, କିନ୍ତୁ ପୋଲାଭରମ୍ କଥା ଉଠାଉ ନାହାନ୍ତି । ଡବଲ୍ ଇଞ୍ଜିନ ସରକାର ରାଜ୍ୟର ସ୍ୱାର୍ଥ ପାଇଁ ଆଗେ ନ ଆସି ପଛଘୁଞ୍ଚା ଦେଉଛନ୍ତି। ଯଦି ସରକାର ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ କଂଗ୍ରେସ ଜନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ କାଡ଼ାମ ଚେତାବନୀ ଦେଇଥିଲେ।
ଅନ୍ୟପକ୍ଷରେ ପୋଲାଭରମ ପ୍ରକଳ୍ପ ନେଇ କଡ଼ା ସନ୍ଦେଶ ଦେଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଥିଲେ, ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ଲଢ଼ିଆସିଥିଲା, ଆଗକୁ ବି ଲଢ଼େଇ ଜାରି ରଖିବ। ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମ ବୁଡ଼ିଯିବ। ତେବେ ପ୍ରକଳ୍ପ ଆରମ୍ଭ ସମୟରେ ଏହାର ଡିଜାଇନ ୩୬ ଲକ୍ଷ କ୍ୟୁସେକ ଜଳ ରହିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାର କ୍ଷମତା ୫୦ ଲକ୍ଷ କ୍ୟୁସେକକୁ ବଢ଼ାଇ ଦିଆଯାଇଛି।
ବର୍ଦ୍ଧିତ କ୍ଷମତା ୫୦ ଲକ୍ଷ କ୍ୟୁସେକ ଜଳ ହେଲେ ପଛୁଆ ପାଣିର ଉଚ୍ଚତା ୨୩୨.୨ ମିଟର ହେବ। ସେଥିପାଇଁ ୨୦୦୭ରେ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ। ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହା ଉପରେ ମନ୍ତବ୍ୟ ରଖି ପ୍ରକଳ୍ପର କ୍ଷମତା ବୃଦ୍ଧି ହେଲେ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ କ’ଣ ରହିବ ଆକଳନ କରିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ନହେଲେ ମାଲକାନଗିରିର ହଜାର ହଜାର ଆଦିବାସୀଙ୍କ ଜୀବନଜୀବିକା ପ୍ରଭାବିତ ହେବ। ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କିଛି ଜରୁରୀ ନିଷ୍ପତ୍ତି ନେବା ଦରକାର। ସେଥିପାଇଁ ଦିଲ୍ଲୀରେ ବିଜେଡି ପ୍ରତିନିଧି ଦଳ ଓ ରାଜ୍ୟସଭା ସାଂସଦମାନେ କେନ୍ଦ୍ରର ମନ୍ତ୍ରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଭେଟି ଆଦିବାସୀଙ୍କୁ ନ୍ୟାୟ ମିଳୁ ବୋଲି ଦୃଢ଼ ଦାବି କରିଛନ୍ତି।