33.3 C
Bhubaneswar
Sunday, June 7, 2026
Homeଦେଶ ବିଦେଶଆମେରିକା-ଇରାନ୍‌ ଯୁଦ୍ଧରେ ପାକିସ୍ତାନ ମଧ୍ୟସ୍ଥ ନୁହେଁ

ଆମେରିକା-ଇରାନ୍‌ ଯୁଦ୍ଧରେ ପାକିସ୍ତାନ ମଧ୍ୟସ୍ଥ ନୁହେଁ

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ପ୍ରସଙ୍ଗରେ ନିଜକୁ ମଧ୍ୟସ୍ଥି ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନକୁ ଭାରତର ପୂର୍ବତନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଶନିବାର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ କୌଣସି ମଧ୍ୟସ୍ଥି ନୁହେଁ, ବରଂ ଏକ ବାର୍ତ୍ତାବାହକ (କୋରିୟର ସର୍ଭିସ) ଭଳି କାର୍ଯ୍ୟ କରୁଛି। କିଛି ମାସ ହେବ ପାକିସ୍ତାନ କ୍ରମାଗତ ଭାବେ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ନିମନ୍ତେ ପ୍ରୟାସ କରି ନିଜକୁ ବିଶ୍ୱ ଦରବାରରେ ଜଣେ ମଧ୍ୟସ୍ଥି ଭାବେ ପ୍ରମାଣିତ କରିବାକୁ ଚାହୁଁଥିବାରୁ ତାହାକୁ ମୁକୁନ୍ଦ ନରବଣେ ହାସ୍ୟାସ୍ପଦ ବୋଲି କହିଛନ୍ତି। ଇରାନ-ଆମେରିକା ସଂଘର୍ଷ ଏବଂ ଏହାର ବିଶ୍ୱ ବାଣିଜ୍ୟ ତଥା ସୁରକ୍ଷା ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ ଆଲୋଚନା କରି ମୁକୁନ୍ଦ କହିଛନ୍ତି ଜାତୀୟ ସୁରକ୍ଷା ସଦାସର୍ବଦା ଅର୍ଥନୈତିକ ସୁରକ୍ଷା ସହିତ ଓତଃପ୍ରୋତ ଭାବେ ଜଡ଼ିତ। ବାସ୍ତବରେ ଅର୍ଥନୀତି ହିଁ ଅନ୍ୟ ସମସ୍ତ ବ୍ୟବସ୍ଥାକୁ ପରିଚାଳିତ କରିଥାଏ। ତେଣୁ ବିଶ୍ୱ ବାଣିଜ୍ୟର ପ୍ରତିକୂଳ ସ୍ଥିତି ମଧ୍ୟରେ ଭାରତ ସର୍ବଦା ଆତ୍ମନିର୍ଭରଶୀଳ ଏବଂ ସ୍ୱାବଲମ୍ବୀ ହେବାକୁ ନିରନ୍ତର ପ୍ରୟାସ କରୁଛି। ବିଶ୍ୱସ୍ତରରେ ଘଟୁଥିବା ଆକସ୍ମିକ ସଙ୍କଟର ପ୍ରଭାବରୁ ନିଜକୁ ସମ୍ପୂର୍ଣ୍ଣ ଅଲଗା ରଖିବା ସମ୍ଭବ ନ ହେଲେ ମଧ୍ୟ ଭାରତ ବର୍ତ୍ତମାନ ନିଜର ଯୋଗାଣ ଶୃଙ୍ଖଳାର ବିବିଧୀକରଣ ଏବଂ ଘରୋଇ ଉତ୍ପାଦନ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛି, ଯଦ୍ୱାରା ଦେଶ ଆଗାମୀ ଦିନର ଯେକୌଣସି ଆର୍ଥିକ ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିପାରିବ। ବିଶ୍ବ ରାଜନୈତିକ ଅନିଶ୍ଚିତତାକୁ ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ବଦଳୁଥିବା ବିଶ୍ୱ ପରିସ୍ଥିତି ଅନୁଯାୟୀ ନିଜକୁ ଖାପ ଖୁଆଇ ଚଳିବା ଏବଂ ସର୍ବଦା ଜାତୀୟ ସ୍ୱାର୍ଥ ତଥା ଦେଶବାସୀଙ୍କ ମଙ୍ଗଳକୁ ଆଖି ଆଗରେ ରଖି ନିଷ୍ପତ୍ତି ନେବା ହିଁ ବର୍ତ୍ତମାନ ସମୟର ମୁଖ୍ୟ ଆବଶ୍ୟକତା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking