38.3 C
Bhubaneswar
Monday, June 8, 2026
Homeଓଡିଶାମୋଦୀଙ୍କ ପ୍ରତି ନବୀନଙ୍କ ଭୟ ଯାଉନି

ମୋଦୀଙ୍କ ପ୍ରତି ନବୀନଙ୍କ ଭୟ ଯାଉନି

ଭୁବନେଶ୍ୱର: ବିଜେପି ପ୍ରତି ବିଜେଡିର ଭୟ ଦୂର ହେଉନାହିଁ। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ବିରୋଧ କରୁଛି ଏବଂ ସମାଲୋଚନା କରୁଛି। ହେଲେ ବିଜେପି ବିରୋଧରେ ଜାତୀୟସ୍ତରରେ ବିରୋଧୀ ପକ୍ଷଙ୍କ ସହ ହାତ ମିଳାଇବାକୁ ଡ଼ରୁଛି। ଆଜି ଦିଲ୍ଲୀରେ ଇଣ୍ଡି ମେଣ୍ଟର ବୈଠକ ବସିଥିଲା। ଏଥିରେ ୨୩ଟି ବିରୋଧୀ ଦଳ ସାମିଲ୍ ହୋଇଥିଲେ। ଜାତୀୟସ୍ତରରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ରଣ କୌଶଳ ନିର୍ଦ୍ଧାରଣ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବିଜେପିକୁ ବିରୋଧ କରୁଥିବାରୁ ଆଶା କରାଯାଉଥିଲା ବିଜେଡି ଏଥିରେ ସାମିଲ୍ ହେବ। ବିଜେଡି ଖୋଲାଖୋଲି ଭାବେ ରାଜ୍ୟରେ ଏବଂ ରାଜ୍ୟସଭାରେ ବିଜେପିର ନିତି ଓ କାର୍ଯ୍ୟକ୍ରମ ବିରୋଧରେ ସ୍ୱର ଉଠାଉଥିବାରୁ ବିରୋଧୀ ପକ୍ଷଙ୍କ ସହ ହାତ ମିଳାଇବ ବୋଲି ଆଶା କରାଯାଉଥିଲା। ହେଲେ ବିଜେଡି ନିଜକୁ ସାମିଲ୍ ନକରି ଦୂରେଇ ରଖିଲା।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବେ ଦିଲ୍ଲୀ ଗସ୍ତରେ ଯାଇଥିଲେ। ଆଲୋଚନା ହେଉଥିଲା ନିକଟରେ ହୋଇଥିବା ବିଭିନ୍ନ ରାଜ୍ୟର ନିର୍ବାଚନରେ ବିରୋଧୀ ପକ୍ଷଙ୍କୁ ବହୁ ପରିମାଣରେ କ୍ଷତିରେ ପକାଇଲା ବିଜେପି। ଏଣୁ କଂଗ୍ରେସ ନେତୃତ୍ୱାଧିନ ଇଣ୍ଡି ମେଣ୍ଟ ପକ୍ଷରୁ ବିଜେପି ବିରୋଧରେ ସବୁ ବିରୋଧୀ ଦଳଙ୍କୁ ଏକାଠି କରିବା ପାଇଁ ଉଦ୍ୟମ କରାଯାଇଥିଲା। ମୋଦୀଙ୍କୁ କ୍ଷମତାଚ୍ୟୁତ କରିବାକୁ ହେଲେ ବିରୋଧୀ ପକ୍ଷଙ୍କୁ ଏକାଠି ରହିବାକୁ ହେବ ବୋଲି ସମସ୍ତେ ଅନୁଭବ କରୁଛନ୍ତି। ସେଥିପାଇଁ ଦିଲ୍ଲୀରେ ସୋମବାର ୮ତାରିଖ ଦିନ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼କାଯାଇଥିଲା। ବିଜେଡିକୁ ଦୁର୍ବଳ କରିବା ପାଇଁ ବିଜେପି ଯେଭଳି ଭାବରେ ଜାଲ ବିଛାଇଛି ସେଥିରେ ଆଶା କରାଯାଉଥିଲା ବିରୋଧୀ ପକ୍ଷଙ୍କ ସହ ସାମିଲ୍ ହୋଇପାରେ। କିନ୍ତୁ ବୈଠକ ପୂର୍ବରୁ ନବୀନ ପଟ୍ଟନାୟକ ଗତକାଲି ୭ ତାରିଖରେ ଭୁବନେଶ୍ୱର ଫେରିଆସିଲେ।

ନିର୍ବାଚନ ହାରିବା ପରେ ବିଜେପି ଲଗାତାର ଭାବେ ବିଜେଡିକୁ ଦୁର୍ବଳ କରିବା ଲାଗି ଉଦ୍ୟମ କରି ଚାଲିଛି। ଇତିମଧ୍ୟରେ ତିନି ରାଜ୍ୟସଭା ସାଂସଦଙ୍କୁ ନିଜ ପକ୍ଷକୁ ନେଇ ସାରିଲାଣି। ଅନ୍ୟପଟରେ ନିର୍ବାଚନ ପାଇଁ ଯେଉଁ ଆସନ ଖାଲି ହେଉଛି ତାକୁ ମଧ୍ୟ କଳେବଳେ କୌଶଳେ ଅକ୍ତିଆର୍ କରିବାରେ ଲାଗିଛି। ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡି ଯେଉଁ ସ୍ୱାଧୀନ ପ୍ରାର୍ଥୀ ଦେଇ କଂଗ୍ରେସ ସମର୍ଥନରେ ଜିତାଇବା ପାଇଁ ଉଦ୍ୟମ କରିଥିଲା ତାକୁ ବିଜେପି ଫସର ଫଟାଇ ଦେଲା। ଏପରିକି ନବୀନଙ୍କ ଦଳର ୬ ବିଧାୟକଙ୍କୁ ଏଭଳି ଚାଲ୍ କରି ନିଜେ ଛିଡ଼ା କରିଥିବା ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ନେଲା ଯାହାର କୌଣସି ଟେର୍ ନବୀନ ପାଇଲେ ନାହିଁ। ନବୀନଙ୍କ ମୁହଁରେ କଳା ବୋଳି ଦଳୀୟ ବିଧାୟକମାନଙ୍କୁ କ୍ରସ୍ ଭୋଟିଂ କରାଇବାରେ ବିଜେପିର ଉଦ୍ୟମ ସ୍ପଷ୍ଟ ଜଣାପଡ଼ି ସାରିଛି। ବିଜେପିର ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ କଳ ଲାଗି ନଥିଲେ କେବେ ହେଲେ ତାହା ସମ୍ଭବ ହୋଇ ନଥାଆନ୍ତା। କେବଳ ବିଧାୟକ ଓ ସାଂସଦମାନଙ୍କୁ ବିଜେପି ନିଜ ସପକ୍ଷରେ ନେବାରେ ଲାଗିଛି ତାହା ନୁହେଁ, ପୌରସଂସ୍ଥା, ଜିଲ୍ଲାପରିଷଦ ଏବଂ ଜିଲ୍ଲାର ନେତାମାନଙ୍କୁ ମଧ୍ୟ ନିଜ ପଟକୁ ନେବାରେ ଉଦ୍ୟମ ଅବ୍ୟାହତ ରଖିଛି। ବିଜେଡିରୁ ଯେପରି ଜଣଙ୍କ ପରେ ଜଣେ ନେତା ଛାଡ଼ିବାରେ ଲାଗିଛନ୍ତି ସେଥିରେ କେତେବେଳେ ଯେ ଭାଡ଼ି ଖାଲି ହୋଇଯିବ ତାହା ଅପେକ୍ଷାରେ।

ବିଧାନସଭା ଭିତରେ ଓ ବାହାରେ ବି ବିଜେଡି ବହୁ ପ୍ରତିବାଦ ଓ ପ୍ରତିରୋଧ ସରକାରଙ୍କ ବିରୋଧରେ କରୁଛି। ଏପରିକି ରାଜ୍ୟସଭାରେ ମଧ୍ୟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଯାଇଛି। ଏସବୁ ଘଟଣାକୁ ଭିତ୍ତିକରି ଆଶା କରାଯାଉଥିଲା ମୋଦୀଙ୍କ ବିରୋଧରେ ମେଳି ହୋଇଥିବା ବିରୋଧୀ ପକ୍ଷଙ୍କ ସହ ନବୀନ ହାତ ମିଳାଇ ପାରନ୍ତି। କିନ୍ତୁ ତାହା ହେଲା ନାହିଁ। ବ୍ୟକ୍ତିଗତ ଭାବେ ବିଜେପିକୁ ବିରୋଧ କରିବା ଓ ବିରୋଧୀ ପକ୍ଷଙ୍କ ସହ ହାତ ମିଳାଇବା ମଧ୍ୟରେ ଅନେକ ଗୁରୁତ୍ୱ ରହିଛି। ଏକଥାକୁ ନବୀନ ଭଲଭାବେ ଜାଣିଛନ୍ତି। ବିରୋଧୀ ପକ୍ଷଙ୍କ ସହ ହାତ ମିଳାଇଲେ କ’ଣ ପରିଣତି ହେବ ତାହା ମଧ୍ୟ ସେ ଭଲଭାବେ ବୁଝିଛନ୍ତି। ବିଜେପି ଦୁଇବର୍ଷ ହେଲା କ୍ଷମତାକୁ ଆସିଲାଣି, ହେଲେ କ୍ଷମତାକୁ ଆସିବା ପାଇଁ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଯେଉଁସବୁ ଦୁର୍ନୀତି, ଭ୍ରଷ୍ଟାଚାରର ଅଭିଯୋଗ ଆଣିଥିଲା ତାହାକୁ ପ୍ରମାଣ କରିବା ଲାଗି ଏଯାଏଁ କୌଣସି ପଦକ୍ଷେପ ନେଇନାହିଁ। କୁହାଯାଉଛି ଯେଉଁ ମୁହୁର୍ତ୍ତରେ ନବୀନ ମୋଦୀ ବିରୋଧୀଙ୍କ ସହ ହାତ ମିଳାଇବେ ତାହାପରେ କେଜ୍ରିୱାଲ୍‌, ହେମନ୍ତ ସୋରେନ୍ ପ୍ରମୁଖ ନେତାଙ୍କ ଭଳି ପରିଣତି ଭୋଗିବାକୁ ପଡ଼ିପାରେ। କୁହାଯାଉଛି ଉପରକୁ ଯେତେ ବିରୋଧ କଲେ ବି ଭିତରେ ମୋଦୀଙ୍କ ପ୍ରତି ଭୟ ନବୀନଙ୍କୁ ବିରୋଧୀ ମେଣ୍ଟରୁ ଦୂରେଇ ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking