ନୂଆଦିଲ୍ଲୀ: ଦେଶର ଅନ୍ୟତମ ପ୍ରସିଦ୍ଧ ଓ ପବିତ୍ର ଶ୍ରୀ ଅମରନାଥ ଯାତ୍ରା-୨୦୨୬ ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ଜମ୍ମୁର କଡ଼ା ସୁରକ୍ଷା ବଳୟ ଭିତରେ ଭଗବତୀ ନଗର ବେସ୍ କ୍ୟାମ୍ପଠାରେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏକ ବିଶେଷ ପୂଜା ଅର୍ଚ୍ଚନା କରିବା ପରେ ଶ୍ରଦ୍ଧାଳୁମାନଙ୍କ ପ୍ରଥମ ଦଳକୁ ପତାକା ଦେଖାଇ କାଶ୍ମୀର ଅଭିମୁଖେ ଛାଡ଼ିଛନ୍ତି।ପ୍ରଥମ ପର୍ଯ୍ୟାୟରେ ୫ ହଜାରରୁ ଅଧିକ ତୀର୍ଥଯାତ୍ରୀ ସେନା ଓ ପୋଲିସର ସ୍ୱତନ୍ତ୍ର ସୁରକ୍ଷା ଗାଡ଼ି ସହ କାଶ୍ମୀରର ଦୁଇଟି ମୁଖ୍ୟ ବେସ୍ କ୍ୟାମ୍ପ୍ ପହଲଗାମ୍ ଓ ବାଲ୍ଟାଲ୍ ଅଭିମୁଖେ ଯାତ୍ରା କରିଛନ୍ତି। ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟାପକ ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧା ସୁଯୋଗକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଓ ସାଧୁସନ୍ଥମାନେ ବେଶ୍ ସନ୍ତୋଷ ପ୍ରକାଶ କରିଛନ୍ତି।ତେବେ ଚଳିତ ବର୍ଷ ଅମରନାଥ ଯାତ୍ରା ପାଇଁ ଏପର୍ଯ୍ୟନ୍ତ ୩.୯୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପଞ୍ଜୀକରଣ କରିସାରିଛନ୍ତି। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଜୁଲାଇ ୨ରୁ ଅଗଷ୍ଟ ୨୮ ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି ଏବଂ ସମଗ୍ର ଜମ୍ମୁ ଅଞ୍ଚଳକୁ ଏକ ବହୁସ୍ତରୀୟ ସୁରକ୍ଷା ଗ୍ରୀଡ୍ ଓ ଆଧୁନିକ ପ୍ରଯୁକ୍ତିବିଦ୍ୟା ନଜରରେ ରଖାଯାଇଛି।










