ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ପଲାସ ଗାଁ ନିକଟ ହାତୀ ନଦୀରେ ଏକ ବଡ଼ କୁମ୍ଭୀର ଠାବ ହୋଇଛି। ପ୍ରାୟ ୬ ଫୁଟ ଲମ୍ବର ଏହି କୁମ୍ଭୀରକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।ସୂଚନା ଅନୁଯାୟୀ, ନଦୀରେ ମାଛ ଧରୁଥିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ କୁମ୍ଭୀରଟି ପଡ଼ିଥିଲା। ତେବେ କିଛି ସମୟ ପରେ ଜାଲ ଚିରି ସେ ନଦୀ ଭିତରକୁ ପଳାଇ ଯାଇଥିଲା। ଖବର ଲେଖାଯିବା ବେଳକୁ କୁମ୍ଭୀରଟି ପଲାସ ଗାଁ ଘାଟ ନିକଟରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିବା କହିଛନ୍ତି।ଘଟଣାର ଖବର ପାଇ ଜୁନାଗଡ଼ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଜିଲ୍ଲା ମହକୁମାରୁ ବନ ବିଭାଗର ବାୟୋଲୋଜିଷ୍ଟ ପହଞ୍ଚିବା ପରେ କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ଏପଟେ କୁମ୍ଭୀରକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକେ ନଦୀ ପଠାରେ ଭିଡ଼ ଜମାଇଥିବା ବେଳେ ବନ ବିଭାଗ ପକ୍ଷରୁ ଅନାବଶ୍ୟକ ଭାବେ ନଦୀ ନିକଟକୁ ନଯିବା ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।










