ପୂର୍ବରୁ ଆଇଏମ୍ଡିର ବାରମ୍ବାର ପୂର୍ବାନୁମାନ ଓ ସତର୍କ ସୂଚନା ସତ୍ତ୍ବେ ଗଂଜାମର ୬ଟି ଯାକ ଡ୍ୟାମ୍ରେ ତ୍ରୁଟିପୂର୍ଣ୍ଣ ଜଳ ପରିଚାଳନା ଯୋଗୁଁ ପ୍ରଳୟଙ୍କରୀ ବନ୍ୟା ହେଲା ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ତଥ୍ୟପ୍ରମାଣ ସହ ଉପସଂହାରରେ ପହଞ୍ଚିବା ପରେ ବୁଧବାର ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଏହାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ବିଗତ ଦିନରେ ହୋଇଥିବା ବନ୍ୟା ପଛର ମୁଖ୍ୟ କାରଣ ହେଉଛି ଅପ୍ରତ୍ୟାଶିତ ଓ ଅତ୍ୟଧିକ ବର୍ଷା। ‘ଫାଇଲିନ’ ବାତ୍ୟା ସମୟରେ ହୋଇଥିବା ବର୍ଷା ତୁଳନାରେ ଏଥର ବହୁତ ଅଧିକ ବର୍ଷା ରେକର୍ଡ କରାଯାଇଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ସେ କହିଛନ୍ତି ଯେ ନଦୀବନ୍ଧ ଏବଂ ଡ୍ୟାମ୍ର ସୁରକ୍ଷା ପାଇଁ ନିର୍ଦ୍ଧାରିତ ପ୍ରୋଟୋକଲ୍ ଏବଂ ଜଳଧାରଣ କ୍ଷମତାକୁ ଆଧାର କରି ଜଳସମ୍ପଦ ବିଭାଗର ଇଞ୍ଜିନିୟର ଓ ବିଶେଷଜ୍ଞ ଟିମ୍ଙ୍କ ଆକଳନ ଅନୁସାରେ ହିଁ ଡ୍ୟାମ୍ ଗେଟ୍ ଖୋଲାଯାଇଥିଲା। ଏହା କୌଣସି ମନୁଷ୍ୟକୃତ ବନ୍ୟା ନୁହେଁ।
ମଧ୍ୟାହ୍ନରେ ପିସିସି ସଭାପତି ଶ୍ରୀ ଦାସ ଏ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଜଳସମ୍ପଦ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଏତେ ବଡ଼ ବନ୍ୟା ପରେ ବି ନିରବ କାହିଁକି? ଯଦି ସଠିକ୍ ଜଳ ପରିଚାଳନା କରାଯାଇଥିଲା, ମୁଖ୍ୟମନ୍ତ୍ରୀ ତଥ୍ୟପ୍ରମାଣ ସହ ସାମନାକୁ ଆସୁନାହାନ୍ତି କାହିଁକି? ଯେତେବେଳେ ବି ତାଙ୍କ ସରକାର ଅଡ଼ୁଆରେ ପଡ଼େ, ସେ କେନ୍ଦ୍ର ହେଉ କି ରାଜ୍ୟ, ସରକାରର ମୁଖ୍ୟମାନେ କିମ୍ବା ବିଭାଗର ରାଜନୈତିକ ମୁଖ୍ୟମାନେ ସାମନାକୁ ନ ଆସି ଅମଲାତନ୍ତ୍ରୀମାନଙ୍କ ପଛପଟେ ଲୁଚିବା ପସନ୍ଦ କରନ୍ତି। ଏ ଥର ମଧ୍ୟ ସେୟା ହିଁ କରୁଛନ୍ତି ଜଳସମ୍ପଦ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ। ଆଇଏମଡିର ବାରମ୍ବାର ସତର୍କ ସୂଚନା ସତ୍ତ୍ବେ କାହିଁକି ଡ୍ୟାମ୍ଗୁଡ଼ିକରୁ ପାଣି ନିଷ୍କାସନ କରାଯାଇ ନ ଥିଲା? ଜଳସମ୍ପଦ ବିଭାଗର ଓ୍ବେବ୍ସାଇଟରେ ସ୍ପଷ୍ଟ ଉଲ୍ଲେଖ ଅଛି, ୨୩ରୁ ୨୮ ତାରିଖ ଯାଏ ଦୈନିକ ମାତ୍ର ୭ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ହଠାତ ତାହା ୨୯-୩୦ ତାରିଖ ୧ ଲକ୍ଷ ୪୦ ହଜାର କ୍ୟୁସେକ୍ରେ ପହଞ୍ଚିବା କେଉଁ ପ୍ରକାରର ସଠିକ୍ ଜଲ ପରିଚାଳନା? ଯଦି ପୂର୍ବଥର ମାନଙ୍କ ଭଳି ଏ ଥର ମଧ୍ୟ ଡ୍ୟାମ୍ଗୁଡ଼ିକର ଜଳସ୍ତର ବନ୍ୟା ପୂର୍ବରୁ ୫୦ ପ୍ରତିଶତକୁ ଖସାଇ ଅଣାଯାଇଥା’ନ୍ତା ଏହି ମନୁଷ୍ୟକୃତ ବନ୍ୟାକୁ ରୋକାଯାଇପାରିଥା’ନ୍ତା ବୋଲି ଅଭିଯୋଗର କ’ଣ ଉତ୍ତର ଅଛି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ସତର୍କ ସୂଚନା ସତ୍ତ୍ବେ ଡ୍ୟାମ୍ଗୁଡ଼ିକର ଜଳସ୍ତର ବନ୍ୟା ପୂର୍ବରୁ ୬୫ରୁ ୮୦ ପ୍ରତିଶତ ରଖିବା କେଉଁ ପ୍ରକାର ଜଳ ପରିଚାଳନା? ଏହି ପ୍ରଶ୍ନଗୁଡ଼ିକର ସିଧା ଉତ୍ତର ନ ରଖି ‘ଏହା ମନୁଷ୍ୟକୃତ ନୁହେଁ ଓ କିଛି ଭୁଲ୍ ନିଷ୍ପତ୍ତି ନିଆଯାଇ ନ ଥିଲା’ ବୋଲି ମୁହଁଟାଣ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଦାସ କହିଛନ୍ତି।
ଅନ୍ୟ ପକ୍ଷରେ ‘ସରକାର ବର୍ତ୍ତମାନ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି. ବିଦ୍ୟୁତ, ପାନୀୟ ଜଳ ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ଅତି ଶୀଘ୍ର ସ୍ବାଭାବିକ କରିବା ପାଇଁ ଟିମ୍ କାମ କରୁଛି ତଥା ବନ୍ୟା ଯୋଗୁଁ ହୋଇଥିବା ଧନଜୀବନ ଓ ଫସଲ ହାନିର ସଠିକ୍ ଆକଳନ କରାଯାଇ ପ୍ରଭାବିତ ଲୋକଙ୍କୁ ଖୁବ୍ ଶୀଘ୍ର କ୍ଷତିପୂରଣ ଯୋଗାଇ ଦିଆଯିବ’ ବୋଲି ମୁଖ୍ୟ ଶାସନ ସଚିବଙ୍କ ଦୃଢ଼ୋକ୍ତିକୁ କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି। ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି, ପିସିସିର ଏକ ତଥ୍ୟ ଅନୁଧ୍ୟାନକାରୀ ଟିମ୍ ୩ ଦିନିଆ ଗସ୍ତରେ ଯାଇ ଫେରିବା ପରେ ପିସିସି ସଭାପତି ମଧ୍ୟ ନିଜେ ୩ ଦିନ କାଳ ଅକ୍ଳାନ୍ତ ପରିଶ୍ରମ କରି ବନ୍ୟାକ୍ଳୀଷ୍ଟଙ୍କୁ ଭେଟିଥିଲେ। କା୍ଁଭାଁ କେଉଁଠି କେମିତି ସରକାରୀ ସ୍ତରରେ ପୁନରୁଦ୍ଧାର ଓ ରିଲିଫ୍ ବଣ୍ଟନ କାର୍ଯ୍ୟ ହେଉଥିବା ଦେଖିଲେ। ଅଧିକାଂଶ ଜାଗାରେ ପ୍ରଶାସନ ପହଞ୍ଚିପାରି ନ ଥିବା ପିସିସିର ଦୁଇଟି ଯାକ ଟିମ୍ ଦେଖିଥିବା ଶ୍ରୀ ଦାସ ପ୍ରକାଶ କରିଥିଲେ। ତେବେ ସରକାର ଆଗକୁ ଯଥାଶିଘ୍ର ରିଲିଫ୍ ଓ ଥଇଥାନ କାର୍ଯ୍ୟକୁ ପ୍ରାଥମିକତା ଦେଇ ଗଂଜାମବାସୀଙ୍କୁ ଦୁର୍ଗତିରୁ ଉଦ୍ଧାର କରନ୍ତୁ ବୋଲି ପିସିସି ଗଣମାଧ୍ୟମ ଅଧ୍ୟକ୍ଷ କହିଛନ୍ତି। ଶ୍ରୀ ଦାସ ସୂଚନା ଦେଇ କହିଛନ୍ତି, ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସେବାଦଳ ମୁଖ୍ୟ ଶୁଭେନ୍ଦୁ ମହାନ୍ତି ଓ ସାଧାରଣ ସଂପାଦକ ସତ୍ୟବ୍ରତ ନାୟକଙ୍କ ସମେତ ଉକ ପ୍ରତିନିଧି ଦଳ ପୁଣି ଗଂଜାମ ଗସ୍ତକରି କଂଗ୍ରେସ ପକ୍ଷରୁ ରିଲିଫ୍ ବଣ୍ଟନ ଆାରମ୍ଭ କରିଛନ୍ତି।










