26.1 C
Bhubaneswar
Wednesday, November 11, 2026
Homeଦେଶ ବିଦେଶଜଳବାୟୁ ପରିବର୍ତ୍ତନ ମୁକାବିଲାରେ ବିଶ୍ୱସ୍ତରରେ ନେତୃତ୍ୱ ନେଇଛି ଭାରତ: ଡ. ମିଶ୍ର

ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ବିଶ୍ୱସ୍ତରରେ ନେତୃତ୍ୱ ନେଇଛି ଭାରତ: ଡ. ମିଶ୍ର

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ. ମିଶ୍ର ଜଳବାୟୁ ପରିବର୍ତ୍ତନ, ସହନଶୀଳ କୃଷି, ଖାଦ୍ୟ ସୁରକ୍ଷା ଓ ପୁଷ୍ଟିସାଧନ ଭଳି ପରସ୍ପର ସମ୍ପର୍କିତ ଆହ୍ୱାନର ମୁକାବିଲା ପାଇଁ ବୈଜ୍ଞାନିକ ଗବେଷଣା, ସଠିକ୍ ତଥ୍ୟ ଏବଂ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ମଧ୍ୟରେ ଅଧିକ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଇଆଇଏମ୍ କୋଝିକୋଡ୍ରେ ଆୟୋଜିତ ବିକାଶ ପାଇଁ ପରିବେଶ ନେଟୱର୍କ (ଇଏଫଡି)ର ୨୦ତମ ବାର୍ଷିକ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରି ଡ. ମିଶ୍ର କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନକୁ ଆଉ କେବଳ ପରିବେଶ ସମ୍ପର୍କିତ ସମସ୍ୟା ଭାବେ ଦେଖିବା ଉଚିତ ନୁହେଁ। କାରଣ ଏହା କୃଷି ଉତ୍ପାଦନ, ଜଳ ଉପଲବ୍ଧତା, ଖାଦ୍ୟ ମୂଲ୍ୟ, ଜନସ୍ୱାସ୍ଥ୍ୟ ଓ ଜୀବିକା ଉପରେ ପ୍ରଭାବ ପକାଉଛି। ପାରମ୍ପରିକ ଖାଦ୍ୟ ସୁରକ୍ଷା ମାପଦଣ୍ଡରୁ ଆଗକୁ ବଢ଼ିବାର ଆବଶ୍ୟକତା ଉପରେ ଜୋର୍ ଦେଇ ସେ କହିଥିଲେ ଯେ, କେବଳ ପର୍ଯ୍ୟାପ୍ତ ଖାଦ୍ୟ ଉତ୍ପାଦନ ଯଥେଷ୍ଟ ନୁହେଁ।

ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ଉପଲବ୍ଧ କରାଇବା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଜଳବାୟୁଜନିତ ପ୍ରତିବନ୍ଧକ ଯୋଗୁଁ ଡାଲି, ଫଳ, ପନିପରିବା, କ୍ଷୀର ଏବଂ ଅନ୍ୟାନ୍ୟ ପୋଷକତତ୍ତ୍ୱଯୁକ୍ତ ଖାଦ୍ୟର ଉପଲବ୍ଧତା ଓ ଦର ପ୍ରଭାବିତ ହୋଇପାରେ ବୋଲି ସେ ମତ ଦେଇଥିଲେ। ଫସଲ ବିବିଧୀକରଣର ଗୁରୁତ୍ୱ ଉପରେ ଆଲୋକପାତ କରି ଡ. ମିଶ୍ର ୨୦୨୩ ମସିହାକୁ ମିଳିତ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ଘୋଷଣା କରାଇବାରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଏହି ପଦକ୍ଷେପ ମିଲେଟ୍ର ପୁଷ୍ଟିକର ଗୁଣ ଓ ପରିବେଶ ଅନୁକୂଳତାକୁ ବିଶ୍ୱର ଦୃଷ୍ଟିଆକର୍ଷଣ କରିବା ସହ ବିବିଧ ଓ ସୁଦୃଢ଼ ଖାଦ୍ୟ ବ୍ୟବସ୍ଥାର ଅଂଶ ଭାବେ ଏହାର ବ୍ୟାପକ ଉପଯୋଗକୁ ପ୍ରୋତ୍ସାହିତ କରିଛି।

ଅଞ୍ଚଳଭିତ୍ତିକ ଜଳବାୟୁ ଅନୁକୂଳନ ରଣନୀତି ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଇ ଡ. ମିଶ୍ର କହିଥିଲେ ଯେ, ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)ର ଜଳବାୟୁ ସହନଶୀଳ କୃଷି ପାଇଁ ଜାତୀୟ ନବସୃଜନ କାର୍ଯ୍ୟକ୍ରମ ଅଧୀନରେ କରାଯାଇଥିବା ଆକଳନ ଅନୁଯାୟୀ, ଦେଶର ୬୫୧ଟି କୃଷି ଜିଲ୍ଲା ମଧ୍ୟରୁ ୩୧୦ଟି ଅଧିକ କିମ୍ବା ଅତ୍ୟଧିକ ଜଳବାୟୁଜନିତ ବିପଦପ୍ରବଣ ବୋଲି ଚିହ୍ନଟ ହୋଇଛି। ଏହା ସ୍ପଷ୍ଟ କରୁଛି ଯେ, ସବୁ ଅଞ୍ଚଳ ପାଇଁ ଏକପ୍ରକାର ନୀତି ଆପଣାଇବା ପରିବର୍ତ୍ତେ ସ୍ଥାନୀୟ କୃଷି-ଜଳବାୟୁ ପରିସ୍ଥିତି ଅନୁଯାୟୀ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ।
ନୀତି ନିର୍ଦ୍ଧାରଣରେ ତଥ୍ୟର ଭୂମିକା ସମ୍ପର୍କରେ ଡ. ମିଶ୍ର କହିଥିଲେ ଯେ, କେବଳ ଅଧିକ ତଥ୍ୟ ସଂଗ୍ରହ କରିବା ପ୍ରାଥମିକତା ହେବା ଉଚିତ ନୁହେଁ। ବରଂ ତଥ୍ୟ ଠିକ୍ ସମୟରେ ଉପଲବ୍ଧ ହେବା ସହ ତାହା ବିଶ୍ୱସନୀୟ, ତୁଳନାଯୋଗ୍ୟ ଏବଂ ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ। ବର୍ଷାର ପରିମାଣ, ଜଳ ଉପଲବ୍ଧତା, ମୃତ୍ତିକାର ସ୍ଥିତି, ଫସଲ ଉତ୍ପାଦନ ଏବଂ ପୁଷ୍ଟିସାଧନର ସ୍ଥିତି ଆଦିରେ ଥିବା ଆଞ୍ଚଳିକ ପାର୍ଥକ୍ୟକୁ ଚିହ୍ନଟ କରିବା ପାଇଁ ଜିଲ୍ଲାସ୍ତରୀୟ ବିଭାଜିତ ତଥ୍ୟର ଅଧିକ ବ୍ୟବହାର ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ସେ ପ୍ରାଶାସନିକ ରେକର୍ଡ, ପରିବାରଭିତ୍ତିକ ସର୍ବେକ୍ଷଣ, ଉପଗ୍ରହ ଚିତ୍ର ଏବଂ ଭୂ-ସ୍ଥାନିକ ତଥ୍ୟର ସମନ୍ୱିତ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ସାଧାରଣ ମାନଦଣ୍ଡ ଓ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ସେ କହିଥିଲେ। ଗବେଷଣା ଓ ତଥ୍ୟ ଯେପରି ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ, ତଦାରଖ ଏବଂ ସମ୍ବଳ ଆବଣ୍ଟନରେ ସହାୟକ ହୋଇପାରିବ, ସେଥିପାଇଁ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅନୁଷ୍ଠାନଗୁଡ଼ିକର ତଥ୍ୟ ବିଶ୍ଳେଷଣ କ୍ଷମତାକୁ ସୁଦୃଢ଼ କରିବା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ଭାରତର ଜଳବାୟୁ ପ୍ରତିଶ୍ରୁତି ସମ୍ପର୍କରେ ଉଲ୍ଲେଖ କରି ଡ. ମିଶ୍ର କହିଥିଲେ ଯେ, ଦେଶ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ହେବା ଏବଂ ୨୦୭୦ ସୁଦ୍ଧା ନେଟ୍ ଜିରୋ (ଶୂନ୍ୟ କାର୍ବନ ନିର୍ଗମନ) ଲକ୍ଷ୍ୟ ହାସଲ କରିବା ଦିଗରେ ଏକକାଳୀନ ଭାବେ ଆଗକୁ ବଢ଼ୁଛି। ଏଥିସହିତ ଆର୍ଥିକ ଅଭିବୃଦ୍ଧି, ଦାରିଦ୍ର୍ୟ ଦୂରୀକରଣ ଏବଂ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି। ୨୦୩୧ରୁ ୨୦୩୫ ଅବଧି ପାଇଁ ଭାରତର ସଂଶୋଧିତ ଜାତୀୟ ନିର୍ଦ୍ଧାରିତ ଅବଦାନ ଦେଶର ଜଳବାୟୁ ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିଛି ବୋଲି ସେ ଉଲ୍ଲେଖ କରିଥିଲେ। ଆନ୍ତର୍ଜାତିକ ଗବେଷଣା ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରି ଡ. ମିଶ୍ର କହିଥିଲେ ଯେ, ଗ୍ଲୋବାଲ୍ ସାଉଥ୍ର ବିଭିନ୍ନ ଦେଶ ଜଳବାୟୁର ଅସ୍ଥିରତା, ପ୍ରାକୃତିକ ସମ୍ପଦ ଉପରେ ଚାପ, କୃଷି ପଦ୍ଧତିରେ ପରିବର୍ତ୍ତନ ଏବଂ ପୁଷ୍ଟିସୁରକ୍ଷା ଭଳି ସମାନ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ବିକାଶ ପାଇଁ ପରିବେଶ ନେଟୱର୍କ ଭଳି ମଞ୍ଚ ଶୈକ୍ଷିକ ଗବେଷଣାକୁ ବାସ୍ତବ ନୀତିଗତ ଆହ୍ୱାନଗୁଡ଼ିକ ସହ ଯୋଡ଼ିବା, ଜ୍ଞାନର ଆଦାନପ୍ରଦାନକୁ ସୁଗମ କରିବା ଏବଂ ଅନୁଷ୍ଠାନଗୁଡ଼ିକର କ୍ଷମତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ବୋଲି ସେ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking