30.1 C
Bhubaneswar
Wednesday, June 26, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟର ହିସାବ ଦେଲେ ପାଣ୍ଡିଆନ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟର ହିସାବ ଦେଲେ ପାଣ୍ଡିଆନ

ଧର୍ମଶାଳା: ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀର ୬ଟି ବିଧାନସଭା କ୍ଷେତ୍ରରେ ଶନିବାର ମାରାଥନ ପ୍ରଚାର କରିଛନ୍ତି । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜାରକା ମହୋତ୍ସବ ପଡ଼ିଆରେ ବିଜେଡିର ଏକ ବିଶାଳ ସଭାରେ ମୁଖ୍ୟଅତିଥି ଭାବେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗଦେଇ ଧର୍ମଶାଳା ବିଧାୟକ ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟ ଏବଂ ଧର୍ମଶାଳାବାସୀଙ୍କୁ ପ୍ରଶଂସା କରିବା ସହିତ ସ୍ୱର୍ଗତ କଳ୍ପତରୁ ଦାସଙ୍କୁ ମନେପକାଇ ସେ କରିଥିବା କାର୍ଯ୍ୟରୁ ତାଙ୍କୁ ପ୍ରେରଣା ମିଳେ ବୋଲି ପ୍ରକାଶ କରିଥିଲେ । ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଜନସମାଗମ ଦେଖି ୨୦୧୯ ମସିହାରେ ଧର୍ମଶାଳାବାସୀ ୫୩ ହଜାରରୁ ଊର୍ଦ୍ଧ୍ୱ ଭୋଟ୍‌ରେ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିଥିବା ସ୍ଥଳେ ୨୦୨୪ରେ ପ୍ରାୟ ୭୦ ହଜାରରୁ ଊର୍ଦ୍ଧ୍ୱ ବ୍ୟବଧାନରେ ପ୍ରଣବ କୁମାର ବଳବନ୍ତରାୟଙ୍କୁ ବିଜୟୀ କରିବେ ବୋଲି କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧର୍ମଶାଳା ପାଇଁ ଯେଉଁସବୁ କାର୍ଯ୍ୟ କରିଛନ୍ତି ତା’ର ହିସାବ ଦେଇଥିଲେ । ଏହାସହ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଶପଥ ନେବାପରେ ପ୍ରଥମେ ବିଜୁଳି ବିଲ୍ ଛାଡ଼ କରିବେ, ମିଶନ ଶକ୍ତି ମାଆମାନଙ୍କୁ ପେନସନ ଦେବେ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରୁ ବଞ୍ଚିତ ହୋଇଥିବା ବ୍ୟକ୍ତି ସେବା ପାଇପାରିବେ ବୋଲି କହିଥିଲେ । ଜୁନ୍ ୧ ତାରିଖ ସାଂସଦ ପ୍ରାର୍ଥୀନୀ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ୍ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ ।

ଅନ୍ୟପଟେ ବିଧାୟକ ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟ ଉଦ୍‌ବୋଧନ ଦେଇ ବଜେଡି ଗଠନ ଦିନରୁ ଧର୍ମଶାଳାବାସୀ ସର୍ବଦା ଦଳରେ ପରିବାର ସଦସ୍ୟ ଭାବେ ରହିଛନ୍ତି ବୋଲି ପ୍ରକାଶ କରିବା ସହିତ ବିରୋଧୀମାନେ କହୁଥିବା ପରିବାରବାଦର କଡ଼ା ଜବାବ ଦେଇଥିଲେ । ଧର୍ମଶାଳାବାସୀ ତାଙ୍କ ବାପାଙ୍କୁ ଏବଂ ତାଙ୍କୁ ଯେଉଁ ଭଲ ପାଇବା ଓ ଆଶୀର୍ବାଦ ଦେଇଛନ୍ତି ସେ ସର୍ବଦା ଧର୍ମଶାଳାବାସୀଙ୍କ ପାଖରେ ଚିରଋଣୀ ଓ ସେବାପାଇଁ ସେ ସମର୍ପିତ ଥିବା ପ୍ରକାଶ କରିଥିଲେ । ଅନ୍ୟପଟେ ଯାଜପୁର ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ହିସାବ ରଖିବା ସହିତ ପୁଣିଥରେ ଯାଜପୁରବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେବାକୁ ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବ୍ଲକ୍‌ର ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ରସୁଲପୁର ବ୍ଲକ୍‌ର ଅଧ୍ୟକ୍ଷ ଅରୁଣ କୁମାର ରାଉତ, ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାନ୍ତି, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁରେନ୍ଦ୍ର ପଣ୍ଡା ଓ ରାଜ୍ୟ ସମ୍ପାଦକ ତ୍ରିଲୋଚନ ଦାଶ, ବ୍ଲକ୍ ବିଜେଡି ସଭାପତି ଜଳଧର ମହାନ୍ତି, ରସୁଲପୁର ବ୍ଲକ୍ ସଭାପତି ଲୋକନାଥ ପଣ୍ଡା, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରିୟନାଥ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking