ଭୁବନେଶ୍ଵର : ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପରଲୋକ । ୮୩ ବର୍ଷ ବୟସରେ ଆଖି ବୁଜିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପଦ୍ମଶ୍ରୀ ପ୍ରଫୁଲ୍ଲ କର । ରବିବାର ରାତ୍ରିରେ ସେ ଭୁବନେଶ୍ୱର ସତ୍ୟନଗର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପୁଅ ମହାଦୀପ କର ସୂଚନା ଦେଇଛନ୍ତି । ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ ହେବ ବୋଲି ଜଣା ପଡିଛି । ଭୁବନେଶ୍ୱର ବାସଭବନରେ ପ୍ରଫୁଲ୍ଲ କରଙ୍କ ପାର୍ଥିବ ଶରୀର ଅନ୍ତିମ ଦର୍ଶନ ପାଇଁ ରଖା ଯାଇଛି । ୧୬ ଫେବୃଆରୀ ୧୯୩୯ରେ ପ୍ରଫୁଲ୍ଲ କର ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ୭୦ଟି ଓଡିଆ ୪ଟି ବେଙ୍ଗଲୀ ଫିଲ୍ମ ପାଇଁ କରିଥିଲେ କଣ୍ଠଦାନ । ବିଭିନ୍ନ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ପ୍ରଫୁଲ୍ଲ କର । ୨୦୦୪ ରେ ତାଙ୍କୁ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା।
୨୦୧୫ ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ପ୍ରଫୁଲ୍ଲ କର। ରବିବାର ରାତ୍ରିରେ ସେ ଭୁବନେଶ୍ୱର ସତ୍ୟନଗର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପୁଅ ମହାଦୀପ କର ସୂଚନା ଦେଇଛନ୍ତି । ଶ୍ରୀ କର ୧୯୩୯ ଫେବୃଆରୀ ୧୬ରେ ପୁରୀରେ ଜନ୍ମଗ୍ରହଣ କରିଥିଲେ । ଆଇନରେ ସ୍ନାତକ କରିଥିଲେହେଁ ସଙ୍ଗୀତକୁ ସେ ନିଜର ପେସା କରିଥିଲେ । ତାଙ୍କର ଜାଦୁଗରୀ ସ୍ୱର ସାଙ୍ଗକୁ ସଙ୍ଗୀତର ଭଲ ବୁଝାମଣା ତାଙ୍କୁ ଖୁବ୍ କମ୍ ସମୟରେ ଜଣେ ଖାତନାମା ସଙ୍ଗୀତଜ୍ଞ ଭାବେ ପରିଗଣିତ କରିପାରିଥିଲା ।
ସେ ୭୦ଟି ଓଡ଼ିଆ ଚଳଚ୍ଚିତ୍ର ଓ ୪ଟି ବଙ୍ଗଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ବେଳେ ଅନେକ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ବହୁ ଲୋକପ୍ରିୟ ଭଜନ ତାଙ୍କ କଣ୍ଠ ନିସୃତ । ସଙ୍ଗୀତ କ୍ଷେତ୍ରରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ସେ ୨୦୧୫ରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହାବାଦ୍ ୨୦୦୪ରେ ସମ୍ମାନଜନକ ଜୟଦେବ ପୁରସ୍କାର, ୨୦୦୯ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଏବଂ ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡିଲିଟ୍ ତାଙ୍କୁ ମିଳିଛି । ଆଜି ୮୩ ବର୍ଷ ବୟସରେ ସେ ପରଲୋକ ଗମନ କରିଛନ୍ତି ।
ପ୍ରଫୁଲ୍ଲ କର ସଂଗୀତ ଜଗତରେ ପ୍ରବେଶ କରୁ କରୁ ଜଣେ ସୁଗାୟକ ଭାବେ ସଫଳତା ହାସଲ କରିଥିଲେ। କମଳ ଦେଶର ରାଜକୁମାର ମୁଁ, ମିଳନ୍ତା କି ମତେ ଉଡ଼ନ୍ତା ଥାଳିଆ, ମୁଁ ତ ନିରୀହ କେରାଣ୍ଡି ମାଛ, ହଇରେ ଫୁଲଗଛ, ନା ନା ମେତେ ପ୍ରେମ କରନା ଆଦି ଅଧୁନିକ ଗୀତ ଗାଇ ସେ ଓଡ଼ିଶାର ଯୁବପିଢ଼ି ଭିତରେ ନିଜ ଲାଗି ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲେ। ଏହାପରେ ୧୯୭୫ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ସେ ପ୍ରବେଶ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଛବି ଥିଲା-ମମତା। ଏହି ଚଳଚ୍ଚିତ୍ରର ଅଧିକାଂଶ ଗୀତ ଲୋକପ୍ରିୟ ହୋଇଥିଲା। ଏଥିରେ ତାଙ୍କ ସ୍ବରାରୋପିତ ‘ରେ ଅତ୍ମନ୍ ନିଦ୍ରା ପରିହରି…’ ଗୀତଟି ଓଡ଼ିଆ ସଂଗୀତର ଏକ କାଳଜୟୀ ଗୀତର ମାନ୍ୟତା ପାଇଥିଲା। ଏହାପରେ ତାଙ୍କୁ ଆଉ ପଛକୁ ଫେରି ଚାହିଁବାକୁ ପଡ଼ିନାହିଁ। ଏହାପରେ ସେ ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ବଳିଦାନ, ସତୀ ଅନୁସୟା, ରାମାୟଣ, ମାନସୀ, ପୂଜା, ଗୌରୀ, ତପସ୍ୟା, ବତୀଘର, ସମୟ ବଡ଼ ବଳବାନ୍, ହିସାବ ନିକାଶ ଓ ଭୁଲି ହୁଏନା ଆଦି ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇ ଆଗଧାଡ଼ିର ସଂଗୀତ ନିର୍ଦ୍ଦେଶକ ଭାବେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ସ୍ବରାରୋପିତ ଚଳଚ୍ଚିତ୍ରରେ ନିଶ୍ଚିତ ଭାବେ ଶ୍ରୋତାଙ୍କ ମନକୁ ଛୁଇଁଲା ଭଳି ଗୀତ ରହୁଥିଲା।
ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନକୁ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ ଛୁଟିଛି। ବିଶିଷ୍ଟ ସଂଗୀତଜ୍ଞମାନେ ସଂଗୀତ ଦୁନିଆ ପ୍ରତି ତାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହ ତାଙ୍କର ପରିବାରକୁ ସମବେଦନା ଜଣାଇଛନ୍ତି।