29.1 C
Bhubaneswar
Monday, July 7, 2025
Homeଓଡିଶାଅବ୍ୟବସ୍ଥାରେ କଳାହାଣ୍ଡି ଜିଲ୍ଲାରେ ରବିଧାନ ସଂଗ୍ରହ,ଧାନ ପ୍ରସ୍ତୃତ, ମଣ୍ଡି ଖୋଲୁନି, ଟୋକନ ଧରି ବୁଳୁଛି ଚାଷୀ

ଅବ୍ୟବସ୍ଥାରେ କଳାହାଣ୍ଡି ଜିଲ୍ଲାରେ ରବିଧାନ ସଂଗ୍ରହ,ଧାନ ପ୍ରସ୍ତୃତ, ମଣ୍ଡି ଖୋଲୁନି, ଟୋକନ ଧରି ବୁଳୁଛି ଚାଷୀ

କଳାହାଣ୍ଡି : ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟୀ ବୈଠକରେ ରବିଧାନ ସଂଗ୍ରହ ପାଇଁ ମଇ ମାସ ୧୦ ତାରିଖ ଠାରୁ ମଣ୍ଡି ଆରମ୍ଭ କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ଚିରାଚରିତ ଶୈଳୀରେ ଅଦ୍ୟାବଧି ମଣ୍ଡି ଖୋଲାଯାଇ ପାରିନାହିଁ । କେବଳ ଲୋକ ଦେଖାଣିଆ ଭାବରେ ନର୍ଲା ବ୍ଲକ ଭାନପୁରରେ ୧୧ ତାରିଖ ଦିନ, ୧୨ ତାରିଖ ଦିନ ଜୁନାଗଡ ବ୍ଲକ ନାନ୍ଦୋଳ ରେ ଏବଂ ୧୪ ତାରିଖ ଦିନ ନର୍ଲା ବ୍ଲକ ସିକେରକୁପା ଠାରେ ମଣ୍ଡି ଆରମ୍ଭ କରାଯାଇଥିବା କୁହାଯାଉଛି । ଅନ୍ୟପକ୍ଷରେ ଜୁନାଗଡ ବ୍ଲକ ଅଂଚଳରେ ଶହ ଶହ ଚାଷୀଙ୍କ ପାଖକୁ ଚାଷୀ ପଂଜୀକରଣ ଅନୁସାରେ ପିପାସ ମାଧ୍ୟମରେ ଅନଲାଇନ ଟୋକନ ଇସ୍ୟୁ ହୋଇଥିବା ବେଳେ ଅନେକ ଚାଷୀଙ୍କ ଧାନ ଅମଳ ହୋଇ ଖରାରେ ଶୁଖାଇ ବିକ୍ରୀ ଯୋଗ୍ୟ କରାଯାଇଥିବା ଚାଷୀ ମାନଙ୍କ ସୂତ୍ରରୁ ପ୍ରକାଶ । ତଥାପି ସେସବୁ ଅଂଚଳରେ ମଣ୍ଡି ଖୋଲା ଯାଇନଥିବା ହେତୁ ଚାଷୀ ଅଯଥା ହଇରାଣ ହରକତ ହେଉଥିବା ଏବଂ ସମ୍ଭାବ୍ୟ ଲଘୁଚାପ ଜନିତ ଆଗାମୀ ବର୍ଷା ଆଶଙ୍କା କରି ଅତ୍ୟନ୍ତ ଚିନ୍ତିତ ହୋଇପଡିଥିବା ଜଣାପଡିଛି ।
ଜୁନାଗଡ ବ୍ଲକର ବଡ ମଣ୍ଡି ଭାବରେ ହାବସପୁର ମଣ୍ଡିରେ ପ୍ରତି ସିଜନରେ ୩୫ ହଜାରରୁ ଉର୍ଦ୍ଧ୍ୱ କ୍ୱିଂଟାଲ ଧାନ ଉଠାଣ ହୋଇଥାଏ । ଚଳିତ ରବି ରେ ଧାନ ବିକିବା ପାଇଁ ଅନ୍ତର୍ଲାର ୬୭ ଜଣ ଚାଷୀ, ଅମ୍ବାଦୁଲାର ୭୫ ଜଣ, ହାବସପୁରର ୨୫୩ ଜଣ, କରଚଲାର ୧୧୯ ଜଣ ଓ କଛିମଡୋଲାର ୮ ଜଣ ଚାଷୀ ଧାନ ବିକିବା ପାଇଁ ପଂଜୀକରଣ କରିଥିବା ଜଣାପଡିଛି । ହାବସପୁର ଠାରେ ଜୁନାଗଡ ଆରଏମସିର ବଜାର ପ୍ରାଙ୍ଗଣ ସମେତ ଗୋଦାମ ଓ କଢର ସେଡ ଇତ୍ୟାଦି ରହିଛି । ଚଳିତ ବର୍ଷ ପ୍ରଶାସନ ସେଠାରୁ ଏକ କି.ମି. ଦୂର ଅନ୍ତର୍ଲା ଠାରେ ପ୍ରାଇଭେଟ ଖୋଲା ପଡିଆରେ ଆଉ ଏକ ମଣ୍ଡି ଖୋଲିବା ପାଇଁ ବ୍ୟବସ୍ଥା କରୁଥିବା ଜଣାପଡିଛି । ଏହି ଅଂଚଳର ଚାଷିମାନେ ମଇମାସ ୧୦ ତାରିଖ ଦିନ ମଣ୍ଡିରେ ଧାନ ବିକିବା ପାଇଁ ପି-ପାସ ଟୋକନ ପାଇସାରିଥିବା ବେଳେ ସେମାନଙ୍କ ଧାନ ଅମଳ କରାଯାଇ ବିକିବା ପାଇଁ ଧାନ ମଧ୍ୟ ପ୍ରସ୍ତୃତ ହୋଇସାରିଥିବା ଚାଷୀ ମାନଙ୍କ ସୂତ୍ରରୁ ପ୍ରକାଶ । ଏପରିକି ଚାଷୀ ମାନଙ୍କ ତରଫରୁ ହାବସପୁର ପାକ୍ସ କର୍ତୃପକ୍ଷଙ୍କୁ ଲିଖିତ ଭାବେ ଧାନ କିଣିବାକୁ ଜଣାଇଥିଲେହେଁ ପାକ୍ସ କର୍ତୃପକ୍ଷ ଅଦ୍ୟାବଧି ୧୫ ତାରିଖ ହୋଇଯାଇଥିଲେହେଁ ମଣ୍ଡି ଖୋଲିବାର ବ୍ୟବସ୍ଥା କରିନାହାନ୍ତି ।
ଏସଂପର୍କରେ କଳାହାଣ୍ଡି ଭାରପ୍ରାପ୍ତ ଯୋଗାଣ ଅଧିକାରୀଙ୍କୁ ପଚାରିବାରେ ସେ ଆବଶ୍ୟକୀୟ ବ୍ୟବସ୍ଥା କରୁଥିବା କହିଛନ୍ତି । ଅନ୍ୟପକ୍ଷରେ ସମ୍ଭାବ୍ୟ ଆମ୍ଫାନ ବାତ୍ୟା ଜନିତ ବର୍ଷା ହୋଇଗଲେ ବିକ୍ରି ପାଇଁ ପ୍ରସ୍ତୃତ କରି ରଖିଥିବା ଧାନ ପ୍ରଭାବିତ ହେଲେ କର୍ତୃପକ୍ଷ ଦାୟୀ ରହିବେ ବୋଲି ଚାଷୀ ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି । ପାକ୍ସ କର୍ତୃପକ୍ଷ ଧାନ କିଣିବା ପରେ ହିଁ କଷ୍ଟମ ମିଲର୍ସଙ୍କୁ ହସ୍ତାନ୍ତର କରିବା କାଗଜପତ୍ରରେ ଉଲ୍ଲେଖ ଥିବା ବେଳେ ବାସ୍ତବ ପକ୍ଷେ ପାକ୍ସ କର୍ତୃପକ୍ଷ ମିଲର୍ସଙ୍କ ଭରସାରେ ହିଁ ମଣ୍ଡିରେ ଧାନ କିଣୁଥିବା ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଥିବା ବେଳେ ପ୍ରଶାସନ ଜାଣି ଅଜଣା ହୋଇରହୁଥିବା ହେତୁ ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି । ଗତବର୍ଷ ଅନ୍ତର୍ଲାର ଚାଷୀମାନେ ଚକ୍ରାନ୍ତର ଶୀକାର ହୋଇ ଅଗଷ୍ଟ ମାସ ପର୍ଯ୍ୟନ୍ତ ହାବସପୁର ମଣ୍ଡିରେ ଧାନ ଗଦାକରି ବିକିବା ପାଇଁ ଅପେକ୍ଷା କରିଥିଲେହେଁ ସେମାନଙ୍କ ଦୂଖ ବୁଝିବାକୁ କେହିନଥିବା ଉଦାହରଣ ରହିଛି ।
କଳାହାଣ୍ଡି ଜିଲ୍ଲାରେ ଚଳିତ ରବିରେ ୩୩ ହଜାର ୭୬୭ ଜଣ ଚାଷୀ ପଂଜୀକରଣ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ରବି ଋତୁରେ ୧୬ଲକ୍ଷ ୨୩ ହଜାର ୫୦୦ କ୍ୱିଂଟାଲ ଧାନ ସଂଗ୍ରହ କରିବା କୁ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି । ସମଗ୍ର ଜିଲ୍ଲାରେ କରୋନା ସଂକ୍ରମଣ ଯୋଗୁଁ ୧୩୩ ମଣ୍ଡିରେ ୬୧ ଟି ପାକ୍ସ ଏବଂ ୨୩ ଟି ମହିଳା ଏସଏଚଜି ମାଧ୍ୟମରେ ସାମାଜିକ ଦୂରତ୍ୱ ବଜାୟ ରଖି ଦୈନିକ ୨ଟି ପର୍ଯ୍ୟାୟରେ ଗୋଟିଏ ମଣ୍ଡିରୁ ୫୦୦ କ୍ୱିଂଟାଲ ଧାନ ସଂଗ୍ରହ କରାଯାଇ ଯୋଗ୍ୟତା ହାସଲ କରିଥିବା ୬୨ ଟି ମିଲର୍ସକୁ ସାମିଲ କରାଯାଇଥିବା ଯୋଗାଣ ବିଭାଗ ସୂତ୍ରରୁ ପ୍ରକାଶ । କିଛି ଅସାଧୁ ମିଲର୍ସ ଯୋଗାଣ ବିଭାଗକୁ ଏକ ପ୍ରକାର କବଜା କରି ମଣ୍ଡି ମାନଙ୍କରେ ମିଲର୍ସ ଟ୍ୟାଗିଂରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେବା ସହ ିତ ଅଦ୍ୟାବଧି ମଣ୍ଡି ଖୋଲାଯାଇନଥିବା ହେତୁ ଚାଷି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking