27.1 C
Bhubaneswar
Saturday, May 2, 2026
Homeଓଡିଶାଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାର ପର୍ଦ୍ଦାଫାସ: ୬ ଗିରଫ

ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାର ପର୍ଦ୍ଦାଫାସ: ୬ ଗିରଫ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ), ଓଡିଶା ଆନୁକୁଲ୍ଯରେ ଆୟୋଜିତ ହେବାକୁ ଥିବା  ଓଟିଇଟି-୨୦୨୫ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାର ପର୍ଦ୍ଦାଫାସ କରିଛି  କ୍ରାଇମବ୍ରାଞ୍ଚ, । ଏହି ଘଟଣାରେ ସମ୍ପୃକ୍ତ ଥିବା  ଛଅ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି, କ୍ରାଇମବ୍ରାଞ୍ଚ, ଶ୍ରୀ ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ମାଧ୍ଯମିକ ଶିକ୍ଷା ପରିଷଦର ଡାଟା ଏଣ୍ଟ୍ରି ଅପରେଟର (୧) ଜିତନ ମହାରଣା ,କଛାପଡା,  ସିମୁଳିଆ, ବାଲେଶ୍ଵର   (୨) ବିଜୟ କୁମାର ମିଶ୍ର, ରାଜ୍ୟ ପୂର୍ବତନ କ୍ୟାଡର ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି, କୋମାସାହି, ଆମ୍ବୋଡିଆ, ରାୟଗଡା (୩) ସନାତନ ବିଶୋୟୀ, କୋରାପୁଟ ଜିଲ୍ଲା ପୂର୍ବତନ କ୍ୟାଡର ଶିକ୍ଷକ ସଂଘର ସଭାପତି, ସାଗରଗୁଡା, କୁନ୍ଦ୍ରା, କୋରାପୁଟ, (୪) ରାମଜୀ ପ୍ରସାଦ ଗୁପ୍ତା, ନାରାୟଣ ଲେନ, ଗୁପ୍ତା ନିବାସ, ବାଦାମବାଡି, କଟକ (୫) ଅଜୟ କୁମାର ସାହୁ, ଲିଙ୍ଗିପାଲି କେଶବନଗର (ପଞ୍ଚମ ଲେନ), ବିଦ୍ୟାଧରପୁର, ଗଞ୍ଜାମ (୬) ଜୟନ୍ତ କୁମାର ରାଉତ, ଜୁକାନନ୍ଦୀ, ରୂପସା, ବାଲେଶ୍ଵର ।

ପୋଲିସ ସେମାନଙ୍କ ନିକଟରୁ  ମୋବାଇଲ୍ ଫୋନ୍ ଏବଂ ଲିକ୍ ହୋଇଥିବା ପ୍ରଶ୍ନପତ୍ର ସମେତ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ କରାଯାଇଛି। ଏହା ସହ  ଅଭିଯୁକ୍ତ ଜିତନ୍ ମହାରଣାଙ୍କ ଆକାଉଣ୍ଟକୁ ୨,୫୦,୦୦୦ ଟଙ୍କା  ଫୋନ ପେ ମାଧ୍ୟମରେ ଆର୍ଥିକ କାରବାର ହୋଇଥିବା ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କ ଆକାଉଣ୍ଟ ବର୍ତ୍ତମାନ ଯାଞ୍ଚ କରାଯାଉଛି ଏବଂ ତଦନ୍ତ ଜାରି ରହିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ବୋଲି ଡିଜିପି ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଡିଜିପି, କ୍ରାଇମବ୍ରାଞ୍ଚଙ୍କ ସୂଚନା ଅନୁଯାୟୀ,  ସାରା ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଗତ ୨୦ ଜୁଲାଇରେ ଓଟିଇଟି ପରୀକ୍ଷା  ଅନୁଷ୍ଠିତ ହେବାର ଥିଲା। ୧୯ ଜୁଲାଇ ୨୦୨୫ ରାତି  ପ୍ରାୟ ୧୦.୪୫ ସମୟରେ କିଛି  ହାତଲେଖା ପ୍ରଶ୍ନପତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାର ଦେଖିବାକୁ ମିଳିଥିଲା।  ଏହା ଜାଣିବା  ପରେ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତିଷ୍ଠାନ ଅଧିକାରୀ ଶ୍ରୀମତୀ ବୁଲବୁଲ ବେହେରା, ଅଭିଯୋଗ ଦାଖଲ କରିଥିଲେ। ମାମଲାଟି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ଵ ଦିଆଯାଇଥିଲା।   ଡିଆଇଜି, କ୍ରାଇମବ୍ରାଞ୍ଚ,  ବି. ଗଙ୍ଗାଧରଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚଢଉ ଆରମ୍ଭ ହୋଇଥିଲା।

କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ସମୟରେ ବିଏସଇ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର ଭାବେ ଚାକିରି କରୁଥିବା ଜିତନ ମହାରଣା ବିଏସଇ ଉପାଧ୍ୟକ୍ଷଙ୍କ ଲାପଟପରୁ  ବେଆଇନ ଭାବରେ ପ୍ରଶ୍ନପତ୍ର ହାସଲ କରିଥିବା ଜାଣିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ଜିତନ  ଏହି ପ୍ରଶ୍ନପତ୍ର ଗୁଡ଼ିକୁ ବିଜୟ କୁମାର ମିଶ୍ର, ସନାତନ ବିଶୋୟୀ ଏବଂ ଅନ୍ୟମାନଙ୍କ ନିକଟକୁ ପଠାଇ ବିକ୍ରି କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ,  ଚାକିରୀରେ ନିୟମିତତା ଏବଂ ଦରମା ବୃଦ୍ଧି ଭଳି ସୁବିଧା ପାଇଁ ଯୋଗ୍ୟତା ହାସଲ କରିବାକୁ ଚାହୁଁଥିବା ଶିକ୍ଷକମାନଙ୍କୁ ଅଭିଯୁକ୍ତମାନେ ଟାର୍ଗେଟ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଡିଆଇଜି (କ୍ରାଇମବ୍ରାଞ୍ଚ) ଶ୍ରୀ ବାତୁଳା ଗଙ୍ଗାଧର ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking