ଅନୁଗୋଳ: ଅନଲାଇନ ଗେମ ହେଲା କାଳ । ଲକ୍ଷାଧିକ ଟଙ୍କା ହାରିବା ପରେ ଜୀବନ ହାରିଲେ ଯୁବକ । ମୃତ ଯୁବକ ଜଣଙ୍କ ହେଲେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଗାଁର ବାଲିଆ ବେହେରାଙ୍କ ଏକ ମାତ୍ର ପୁଅ ମାନସ ବେହେରା । ସୂଚନା ଅନୁସାରେ ମାଛକୁଟା ଗାଁର ବାଲିଆ ବେହେରା କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ଟଙ୍କା ଉଠାଇଥିବା ବେଳେ ପୁଅ ମାନସ ବେହେରାଙ୍କ ଆକାଉଣ୍ଟରେ ପ୍ରାୟ ଅଢେଇ ଲକ୍ଷ ଟଙ୍କା ରଖିଥିଲେ । କିନ୍ତୁ ପ୍ରାୟ ଏକ ମାସ ତଳେ ମୋବାଇଲରେ ଅନଲାଇନ ଗେମ ଖେଳି ଅଢେଇ ଲକ୍ଷ ଟଙ୍କା ହାରି ଯାଇଥିଲେ ମାନସ । ଯାହାକୁ ନେଇ ବଚସା ହୋଇଥିଲା । ଏହି ଘଟଣା ପରେ ପରିବାର ଲୋକ ବାଇକ କିଣିବା ପାଇଁ ମାନସକୁ ୩୦ ହଜାର ଟଙ୍କା ଦେଇଥିଲେ କିନ୍ତୁ ସେଥିରୁ ପୁଣି ଅନଲାଇନ ଗେମ ଖେଳି ୧୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ଏହି ଘଟଣା ପରିବାର ଲୋକ ଜାଣିବା ପରେ ପୁଅକୁ ତାଗିଦ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମାନସ ଘରୁ କେଉଁ ଆଡେ ପଳାଇଯାଇଥିଲେ ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ସନ୍ଧାନ ପାଇ ନଥିବା ବେଳେ ପରେ ଘରେ ନିକଟସ୍ଥ କାଜୁ ବଗିଚାରୁ ମାନସଙ୍କର ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ । ଖବର ପାଇ ଛେଣ୍ଡିପଦା ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରି ଘଟଣାର ଛାନଭିନ ଆରମ୍ଭ କରିଛି ।










