34.1 C
Bhubaneswar
Thursday, April 25, 2024
HomeUncategorizedସରକାରୀ ଯୋଜନା କାହା ପାଇଁ, ପର ବାରଣ୍ଡାରେ ରହୁଛନ୍ତି ମା’ ଓ ଦିବ୍ୟାଙ୍ଗ ଝିଅ

ସରକାରୀ ଯୋଜନା କାହା ପାଇଁ, ପର ବାରଣ୍ଡାରେ ରହୁଛନ୍ତି ମା’ ଓ ଦିବ୍ୟାଙ୍ଗ ଝିଅ

ଝାରସୁଗୁଡା : ସରକାରୀ ଯୋଜନା କହାହା ପାଇଁ, ପର ବାରଣ୍ଡାରେ ରହୁଛନ୍ତି ମା’ ଓ ଦବ୍ୟାଙ୍ଗ ଝିଅ । କାନ୍ଦକାନ୍ଦ ଆଖିରେ ଏମିତି କହିଛନ୍ତି ଝାରସୁଗୁଡା ଜିଲ୍ଲା ଭଅଁରଖୋଲ ପଞ୍ଚାୟତ ଅନ୍ତର୍ଗତ ସାଗରପାଲି ଗ୍ରାମର ବିଧବା ମହିଳା ଭଗବତୀ ମୁଣ୍ଡା(୬୦) । ଭଗବତୀ ମୁଣ୍ଡାଙ୍କ ପରିବାର କହିଲେ ସେ ଓ ତାଙ୍କ ଦିବ୍ୟାଙ୍ଗ ଝିଅ ଆଶା ମୁଣ୍ଡା(୨୮) । ୨୦ ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀ ମୁଦୁ ମୁଣ୍ଡା ଓ ୧୩ ବର୍ଷ ପୂର୍ବରୁ ତାଙ୍କ ପୁଅ ମହେନ୍ଦ୍ର ମୁଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ପତି ଓ ପୁଅଙ୍କ ମୃତ୍ୟୁ ପରେ ସେମାନଙ୍କ ହସଖୁସିର ଦୁନିଆଁ ଉଜୁଡିଗଲା । ପର ଘରେ କାମ କରି ଭଗବତୀ ନିଜ ଓ ଝିଅ ପାଇଁ ଦି ପଇସା ରୋଜଗାର କରିବାକୁ ଲାଗିଲେ । ତେବେ ହଠାତ ତାଙ୍କ ଉପରେ ଦାଉ ସାଜିଲା ଦଇବ । ତାଙ୍କ ସ୍ୱାମୀ କରି ଯାଇଥିବା କଚ୍ଚା ଘରଟି ବର୍ଷାରେ ଭାଙ୍ଗିଗଲା । ଝିଅ ବଡ ହେଲାପରେ ମଧ୍ୟ ସାମାନ୍ୟ ବ୍ୟକ୍ତିଙ୍କ ପରି କାର୍ଯ୍ୟ କରି ପାରିଲା ନାହିଁ । ଝିଅର କାନକୁ ଭଲ ଭାବରେ ଶୁଭାଯାଉ ନଥିବାବେଳେ ସେ ସାମାନ୍ୟ ମାନସିକ ଅସୁସ୍ଥ ମଧ୍ୟ ରହିଲେ । ଡାକ୍ତରଙ୍କୁ ଦେଖାଇବା ପରେ ମଧ୍ୟ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଲା ନାହିଁ । ଅନ୍ୟପଟେ ଭଗବତୀ ମଧ୍ୟ ବୃଦ୍ଧା ହେବାରୁ ଆଉ କାହା ଘରେ କାମ କରି ପାରୁ ନାହାନ୍ତି । ଫଳରେ ଏବେ ମା ଝିଅ ମାଗିଜାଚି ଚଳୁଛନ୍ତି । ଗ୍ରାମବାସୀମାନେ ମଧ୍ୟ ତାଙ୍କୁ ପାରୁ ପର୍ଯ୍ୟନ୍ତ ସହାୟତା କରୁଛନ୍ତି । ଏହାସହ ଭଗବତୀଙ୍କୁ ସରକାରୀ ଚାଉଳ, ଡାଲି ଓ ଭତ୍ତା ମିଳୁଛି । ହେଲେ ଏହା ମା’ଝିଅ ପାଇଁ ଯଥେଷ୍ଟ ହେଉନାହିଁ । ଅନ୍ୟପଟେ ଝିଅର ଦିବ୍ୟାଙ୍ଗ ସାର୍ଟିଫିକେଟ ଥିଲେ ମଧ୍ୟ ଭତ୍ତା ମିଳି ପାରୁ ନାହିଁ ।
ଘର ନଥିବାରୁ କେତେବେଳେ ଅନ୍ୟର ଘର ଅବା ବାରଣ୍ଡାରେ ଆଶ୍ରୟ ନେଉଛନ୍ତି ଭଗବତୀ ଓ ତାଙ୍କ ଝିଅ ଆଶା । ତାଙ୍କର ଏହି ଅସୁବିଧା ସମୟରେ ପ୍ରଶାସନ ସହଯୋଗର ହାତ ବଢାଇ ଘର ଖଣ୍ଡିଏ ଓ ଝିଅର ଭତ୍ତା ଟଙ୍କା ପ୍ରଦାନ କରୁ ବୋଲି ଭଗବତୀ କହିଛନ୍ତି । ସେହିପରି ସାଗରପାଲି ଗ୍ରାମର ଗୌନ୍ତିଆ ସୁରେନ୍ଦ୍ର ପ୍ରଧାନ କହିଛନ୍ତି ବହୁ ଦିନରୁ ଏହି ମା’ ଝିଅ ଏମିତି ପର ଘର ବାରଣ୍ଡାରେ ଦିନ କାଟୁଛନ୍ତି । ଗ୍ରାମବାସୀମାନେ ସେମାନଙ୍କୁ ବେଳେବେଳେ ସହଯୋଗ କରୁଛନ୍ତି । ହେଲେ ଏମିତି ଦୁରାବସ୍ଥାରେ ଜୀବନ ବିତାଉଥିବା ଗରିବ ବିଧବା ମା’ ଓ ଦିବ୍ୟାଙ୍ଗ ଝିଅକୁ ଯଦି ସରକାରୀ ସହାୟତା ମିଳୁ ନାହିଁ ଏ ମାଳମାଳ ଯୋଜନା ସବୁ କାହା ପାଇଁ ବୋଲି କହିଛନ୍ତି ଗୌନ୍ତିଆ ଶ୍ରୀ ପ୍ରଧାନ । ଅନ୍ୟପଟେ ଏନେଇ ଭଅଁଖୋଲ ସରପଞ୍ଚ ଅଶ୍ୱିନୀ କୁମାର ପ୍ରଧାନଙ୍କୁ ପଚାରିବାରୁ କହିଛନ୍ତି ଭଗବତୀଙ୍କୁ ଘର ଓ ତାଙ୍କ ଝିଅକୁ ଭତ୍ତା ପ୍ରଦାନ କରିବା ଦିଗରେ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ । କୋଭିଡ୍ କାରଣରୁ ଏହି କାର୍ଯ୍ୟରେ ସାମାନ୍ୟ ବିଳମ୍ବ ହୋଇଛି । ହେଲେ ଶୀଘ୍ର ମା’ ଝିଅଙ୍କୁ ସହଯୋଗ ପ୍ରଦାନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking