28.1 C
Bhubaneswar
Wednesday, April 24, 2024
HomeUncategorizedବାଲିରେ ପୋତି ହୋଇ ଦୁଇ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟଣା : ସରକାରଙ୍କ ବାହାନା ଖାରଜ,...

ବାଲିରେ ପୋତି ହୋଇ ଦୁଇ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟଣା : ସରକାରଙ୍କ ବାହାନା ଖାରଜ, ୪ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଏନଏଚଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ବାଲିରେ ପୋତିହୋଇ ରାୟଗଡା ଜିଲ୍ଲା ଟିକିରିରେ ଦୁଇ ଆଦିବାସୀ ମହିଳା ଲକ୍ଷ୍ମୀ ମାଝୀ(ଲସି) ଓ ଶକୁନ୍ତଳା ମାଝୀ(ଶୁକ)ଙ୍କ ମୃତ୍ୟୁ ଘଟଣାର ପ୍ରାୟ ୬ ବର୍ଷ ପରେ ସେମାନଙ୍କ ପରିବାର ବର୍ଗକୁ କ୍ଷତିପୂରଣ ଦେବା ଲାଗି ଜାତୀୟ ମାନବିକ ଅଧିକାର କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ପିଟିସନ ଉପରେ ବିଚାର କରି କମିଶନ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ୨୦୧୪ ଜୁନ୍ ୨୨ ତାରିଖରେ ଜନୈକ ଠିକାଦାର ଟିକିରି ଥାନା ଅନ୍ତର୍ଗତ କୁଟିଙ୍ଗା ନାଳ ନିକଟରେ ବେନିୟମ ଭାବେ ବାଲି ଚାଲାଣ କରୁଥିବା ସମୟରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା । ପାଂଚଜଣ ଆଦିବାସୀ ମହିଳାଙ୍କୁ ଟ୍ରିପରରେ ବାଲି ଲଦିବା କାମରେ ଲଗାଯାଇଥିଲା । ହଠାତ୍ ନିକଟରେ ଥିବା ବାଲିବନ୍ଧଟି ଧସେଇ ସେମାନଙ୍କ ଉପରେ ପଡିଯାଇଥିଲା । ଏଥିରେ ତିନି ଜଣ ବର୍ତି ଯାଇଥିବା ବେଳେ ଲସି ଓ ଶୁକ ବାଲିଗଦା ଭିତରେ ହିଁ ପ୍ରାଣ ହରାଇଥିଲେ । ପରେ ଗାଁ ଲୋକ ସେମାନଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ସେମାନଙ୍କ ଘର ଲକ୍ଷ୍ମୀପୁର ବ୍ଲକର ମୁସୁଳିପଦର ବୋଲି ଜଣାପଡିଥିଲା । ସେମାନଙ୍କୁ ବେନିୟମ ଭାବେ କାମରେ ନିଯୁକ୍ତ କରାଯାଇଥିଲା । ଏହି ଅଘଟଣ ପରେ ପୁଲିସ୍ ଓ ପ୍ରଶାସନ ଏହି ଘଟଣାକୁ ହାଲ୍‌କା ଭାବେ ନେଇଥିଲା ।
ଏଭଳି ଏକ ସଂଗୀନ ମାମଲାରେ ସଂପୃକ୍ତ ବାଲି ମାଫିଆ ଓ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯାନୁଷ୍ଠାନ ହେଲା ନାହିଁ । ମୃତକଙ୍କ ପରିବାରକୁ ମଧ୍ୟ କିଛି କ୍ଷତିପୂରଣ ଦିଆଗଲା ନାହିଁ ବୋଲି ଅଖଣ୍ଡ ଅଭିଯୋଗ କରିଥିଲେ । ରାୟଗଡାରେ ବିଭିନ୍ନ ନଦୀନାଳରୁ ବେନିୟମ ଭାବେ ବାଲି ଚୋରା ଚାଲାଣ ରୋକିବାରେ ପ୍ରଶାସନ ଫେଲ୍ ମାରିଛି । ପୁଣି ବାଲି ମାଫିଆଙ୍କ ଦ୍ୱାରା ନିଯୁକ୍ତ ଶ୍ରମିକଙ୍କ ସହ ଏଭଳି ଅପରାଧମାନ ମଧ୍ୟ ଘଟଣା ଘଟୁଛି । ଯାହାକୁ ପ୍ରଶାସନ ଓ ପୁଲିସ୍ ଅଣଦେଖା କରିଆସୁଛି ବୋଲି ସେ ଅଭିଯୋଗ କରିଥିଲେ । ଏହି ଘଟଣାରେ କମିଶନ ମୁଖ୍ୟ ଶାସନ ସଚିବ, ପୁଲିସ୍ ଡିଜି ଓ ଶ୍ରମ ବିଭାଗଙ୍କର ଠାରୁ ରିପୋର୍ଟ ମାଗିଥିଲେ । ରିପୋର୍ଟ ଦେବାରେ ଅହେତୁକ ବିଳମ୍ବ ଯୋଗୁଁ ମାମଲାର ଶୁଣାଣୀରେ ପ୍ରାୟ ୫ ବର୍ଷ ବିତିଯାଇଥିଲା । ସମସ୍ତ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ୧୬.୦୯.୨୦୧୯ରେ କମିଶନଙ୍କ ହୃଦବୋଧ ହୋଇଥିଲା ଯେ ବେଆଇନ ଭାବେ ସେଠାରୁ ବାଲି ଉଠାଯାଉଥିଲା ଓ ଶ୍ରମିକମାନଙ୍କୁ କାମରେ ଲଗାଯାଇଥିଲା ।
ତେଣୁ କାହିଁକି ରାଜ୍ୟ ସରକାର ମୃତ ଶ୍ରମିକ ମାନଙ୍କୁ କ୍ଷତିପୂରଣ ନଦେବେ, ସେହି ନେଇ ଜବାବ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଏହାର ଜବାବରେ ଶ୍ରମ ବିଭାଗର ଅତିରିକ୍ତ ସଚିବ କମିଶନଙ୍କୁ ଜଣାଇଥିଲେ ଯେ ଶ୍ରମ କମିଶନଙ୍କର ନିର୍ଦ୍ଦେଶକୁ ସଂପୃକ୍ତ ଠିକାଦାର ଓ ଟ୍ରିପର ମାଲିକ ଶ୍ରୀରାମ ନାୟକ ହାଇକୋର୍ଟରେ ଚ୍ୟାଲେଂଜ କରିଛନ୍ତି । ତେଣୁ ମାମଲା ବିଚାରଧିନ ଥିବାରୁ ଏହି କ୍ଷତିପୂରଣ ଦେଇହେବ ନାହିଁ । କିନ୍ତୁ କମିଶନ ଅଗ୍ରାହ୍ୟ କରି କହିଛନ୍ତି ଯେ ଶ୍ରମ ବିଭାଗର ନିର୍ଦ୍ଦେଶନାମା ସମ୍ପର୍କରେ ହାଇକୋର୍ଟଙ୍କ ବିଚାର ମାନବିକ ଅଧିକାର କମିଶନଙ୍କ ନିର୍ଦ୍ଦେଶ ସହ ସମ୍ବନ୍ଧିତ ନୁହେଁ । ମାନବିକ ଅଧିକାର ଆଇନ, ୧୯୯୩ ଅନୁସାରେ କ୍ଷତିପୂରଣ ଦେବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଅବହେଳା ଯୋଗୁଁ ଏହା ଘଟିଛି ଓ ଦୁଇ ବ୍ୟକ୍ତିଙ୍କର ମାନବିକ ଅଧିକାର ଉଲଂଘନ ହୋଇଛି । ତେଣୁ ଚାରି ସପ୍ତାହ ମଧ୍ୟରେ ଏହି କ୍ଷତିପୂରଣ ଦେବା ଲାଗି କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରିପର ମାଲିକଙ୍କ ଠାରୁ ଅର୍ଥ  ଆଦାୟ କରିବା ପାଇଁ ରାୟଗଡା ଉପ ଶ୍ରମ କମିଶନର ଜାରି କରିଥିବା ରିକଭରି ସାର୍ଟିଫିକେଟ୍ ସମ୍ପର୍କରେ କମିଶନଙ୍କୁ ସଂପୂର୍ଣ୍ଣ ବିବରଣୀ ଦେଇନଥିବାରୁ ତାଙ୍କୁ ଆଉ ଥରେ ନୋଟିସ୍ ଜାରି କରିଛନ୍ତି କମିଶନ । ଏଥର ରିପୋର୍ଟ ନ ଦେଲେ ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ବୋଲି କମିଶନ କହିଛନ୍ତି । ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking