ଢେଙ୍କାନାଳ: ଖାଇବାକୁ ମାଗିବାରୁ ନାବାଳିକାଙ୍କ ଦେହରେ ଗରମ ଚା’ ଢାଳିଦେଲେ ପଡ଼ୋଶୀ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ ନମ୍ବର -୭ ନୋହୋରା ସାହିରେ । ସୂଚନାଯୋଗ୍ୟ ଯେ, ନୋହୋରା ସାହିର ଖୀରିଧର ବେହେରାଙ୍କ ୭ ବର୍ଷ ସାନ ଝିଅ ନିଜ ପଡ଼ୋଶୀଙ୍କୁ କିଛି ଖାଇବାକୁ ମାଗିଥିଲେ । ଏହି କଥାରେ ରାଗିଯାଇ ମହିଳା ଜଣଙ୍କ ପିଉଥିବା ଗରମ ଚା’କୁ ନାବାଳିକାଙ୍କ ଉପରକୁ ଫିଙ୍ଗି ଦେଇଥିଲେ । ପାଖରେ ଥିବା ୯ ବର୍ଷର ବଡ଼ ଭଉଣୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରି ଖଣ୍ଡିଆଖାବରା କରିଥିଲା ମହିଳା । ଏହି ସମସ୍ତ ଘଟଣାକୁ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ସ୍ଥାନୀୟ କାଉନସିଲର ନରେନ୍ଦ୍ର ସାହୁ ପହଞ୍ଚି ଉଭୟ ନାବାଳିକା ଭଉଣୀଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ତେବେ ନାବାଳିକା ଦୁଇ ଜଣଙ୍କ ମା’ ୪ ବର୍ଷ ହେବ ଘର ଛାଡ଼ି କେଉଁଆଡେ ପଳାଇଥିବା ବେଳେ ବାପା ଦିନ ମଜୁରିଆ ହୋଇଥିବା କାରଣରୁ ଘରେ ଉପସ୍ଥିତ ନଥିଲେ ।










