କଟକ: କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ଚାଉଳିଆଗଞ୍ଜା ଥାନା କ୍ୱାର୍ଟର୍ସରୁ ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ ଆଜି ସକାଳେ କଟକ ଚାଉଳିଆଗଞ୍ଜା ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯେତେବଳେ ତାଙ୍କ ସହଯୋଗୀମାନେ ତାଙ୍କୁ ଫୋନ ଲଗାଇଥିଲେ ସେ ଫୋନ ନ ଉଠାଇବାରୁ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ କିଛି ପୋଲିସ ଅଧିକାରୀ ପହଞ୍ଚି କବାଟ ଭାଙ୍ଗି କ୍ୱାର୍ଟର୍ସରୁ ମୃତଦେହକୁ ଉଦ୍ଧାର କରାଯାଇ ତୁରନ୍ତୁ ଏସସିବି ମେଡିକାଲକୁ ଅଣାଯାଇଥିଲା । ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି । ପରେ ତାଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସବୁଠୁ ବଡ କଥା ଯେ, ଆଇଆଇସି ବିୟୁଟି ମହାନ୍ତି ମହିଳା ଥାନାରେ ଥାନା ଅଧିକାରୀ ଭାବେ ଅନେକ ଦିନ ଧରି ଦାୟିତ୍ୱ ତୁଲାଇଛନ୍ତି । ଯଦିଓ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡିନାହି, କିନ୍ତୁ ପ୍ରାଥମିକ ତଦନ୍ତରୁ ଯାହା ପଡିଛି ଯେ, ପାରିବାରିକ ସମସ୍ୟା , ଚାପଗ୍ରସ୍ତ କାରଣରୁ ଏଭଳି କାମ କରିଥାଇପାରନ୍ତି । ତେବେ କାହିଁକି ମହିଳା ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା କଲେ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ । କଟକ ଡିସିପି ଋଷିକେଶ ଖିଲାରି, କମିଶନରେଟ ପୋଲିସ, ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ମେଡିକାଲରେ ଉପସ୍ଥିତ ଅଛନ୍ତି । ମହିଳା ଆଇଆଇସିଙ୍କ ମୃତ୍ୟୁ ଖବର କେହି ସହଜରେ ଗ୍ରହଣ କରିପାରୁନଥିବା ବେଳେ ଥାନାରେ ଶୋକର ଛାୟା ଖେଳିଯାଇଛି ।










