30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଅଧିକାଂଶ ଆଫ୍‌ଗାନ ଦୂତାବାସ ଅଚଳ: ରାଜନୈତିକ ଆଶ୍ରୟ ଲୋଡୁଛନ୍ତି କୂଟନୀତିଜ୍ଞ

ଅଧିକାଂଶ ଆଫ୍‌ଗାନ ଦୂତାବାସ ଅଚଳ: ରାଜନୈତିକ ଆଶ୍ରୟ ଲୋଡୁଛନ୍ତି କୂଟନୀତିଜ୍ଞ

କାବୁଲ: ତାଲିବାନ ସଂଗଠନ ହାତକୁ ଦେଶର ଶାସନଭାର ଯିବାପରଠାରୁ ବିଭିନ୍ନ ରାଷ୍ଟ୍ରରେ ଅବସ୍ଥାପିତ ଆଫ୍‌ଗାନ ରାଷ୍ଟ୍ରଦୂତମାନେ ବର୍ତ୍ତମାନ ହତାଶ ହୋଇପଡିଛନ୍ତି । ଦୂତାବାସ ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇପଡିଥିବାବେଳେ କର୍ମଚାରୀଙ୍କ ବେତନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବହନ କରିବା ତାଲିବାନ ସରକାରଙ୍କ ପାଇଁ ଅସମ୍ଭବ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଅଧିକାଂଶ ରାଷ୍ଟ୍ରରେ ଥିବା ଆଫ୍‌ଗାନ ଦୂତାବାସ ଏକପ୍ରକାର ଅଚଳ ହୋଇପଡିଛି । ଦୂତାବାସଗୁଡିକୁ କାର୍ଯ୍ୟକ୍ଷମ ରଖିବାକୁ ତାଲିବାନ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ଅର୍ଥ ଅଭାବରୁ ଏହା ସମ୍ଭବ ହୋଇପାରୁନଥିବା କୁହାଯାଇଛି ।

ଏହି ରାଷ୍ଟ୍ରଗୁଡିକ ମଧ୍ୟରେ କାନାଡା, ଜର୍ମାନୀ, ଜାପାନ, ଭାରତ ଓ ଅଷ୍ଟ୍ରେଲିଆ ଅନ୍ୟତମ । ଅପରପକ୍ଷରେ ଆଫଗାନ ଦୂତାବାସରେ କାର୍ଯ୍ୟରତ କର୍ମଚାରୀମାନେ ଭୀଷଣ ମାନସିକ ଚାପରେ ରହିଛନ୍ତି । ବିଦେଶରେ ରହୁଥିବାରୁ ସେମାନେ ସିନା ତାଲିବାନ ପ୍ରକୋପରୁ ବର୍ତ୍ତିଯାଇଛନ୍ତି, ତେବେ ଆଫଗାନିସ୍ତାନରେ ରହିଥିବା ପରିବାର ଲୋକଙ୍କ ଚିନ୍ତା ସେମାନଙ୍କୁ ବିବ୍ରତ କରୁଛି ବୋଲି ବର୍ଲିନରେ ଅବସ୍ଥାପିତ ଆଫଗାନ ରାଷ୍ଟ୍ରଦୂତ କୋହଭରା କଣ୍ଠରେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଅଧିକାଂଶ ଆଫଗାନ୍ କୂଟନୀତିଜ୍ଞ ବିଦେଶରେ ରାଜନୈତିକ ଆଶ୍ରୟ ଲୋଡିବା ଆରମ୍ଭ କରିସାରିଲେଣି । ଆଫଗାନିସ୍ତାନ ଫେରିବା ଅପେକ୍ଷା ବିଦେଶରେ ଶରଣାର୍ଥୀ ଜୀବନଯାପନ କରିବା ଶ୍ରେୟସ୍କର ବୋଲି କେତେକ ଆଫ୍‌ଗାନ ରାଷ୍ଟ୍ରଦୂତ ମତବ୍ୟକ୍ତ କରିଛନ୍ତି । କାବୁଲ ଓ ଅନ୍ୟାନ୍ୟ ସହରରେ ବାସ କରୁଥିବା ସେମାନଙ୍କ ପରିବାରବର୍ଗ ବର୍ତ୍ତମାନ ଅତ୍ୟନ୍ତ ଦୁଃଖଦୁର୍ଦ୍ଦଶାରେ କାଳାତିପାତ କରୁଥିବା ସେମାନେ କହିଛନ୍ତି । ଅର୍ଥ ଅଭାବରୁ ସେମାନେ ଘରର ଆସବାବପତ୍ର ବିକ୍ରି କରୁଛନ୍ତି । ପୁନଶ୍ଚ ଅଧିକାଂଶ ରାଷ୍ଟ୍ର ତାଲିବାନ ସରକାରକୁ ସ୍ୱୀକୃତି ଦେଇନଥିବାରୁ ଏହି ଦୂତାବାସଗୁଡିକୁ ମିଳୁଥିବା ଅନ୍ୟାନ୍ୟ ସୁବିଧା ସୁଯୋଗକୁ ମଧ୍ୟ ସଂପୃକ୍ତ ରାଷ୍ଟ୍ର ଏକପ୍ରକାର ବନ୍ଦ କରିଦେଇଥିବା କୁହାଯାଇଛି ।

ପୂର୍ବ ଶାସନ ତୁଳନାରେ ଏଥର ଲୋକଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରାଯିବ ବୋଲି ତାଲିବାନ ନେତୃବର୍ଗ ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ସୁଦ୍ଧା ସେଗୁଡିକୁ କାର୍ଯ୍ୟରେ ପରିଣତ କରୁନାହାନ୍ତି । ତେଣୁ ସ୍ୱଦେଶ ଫେରିବାକୁ ଆଫଗାନ୍ କୂଟନୀତିଜ୍ଞ ଓ ବିଦେଶୀ ଦୂତାବାସରେ କାର୍ଯ୍ୟରତ ଆଫଗାନ କର୍ମଚାରୀ ଉଚିତ ମଣୁନାହାନ୍ତି । ଏପରିକି ଏକାଧିକ ଆଫ୍‌ଗାନ କୂଟନୀତିଜ୍ଞ ତାଲିବାନ ସରକାରକୁ ସ୍ୱୀକୃତି ନଦେବାକୁ ବିଦେଶୀ ରାଷ୍ଟ୍ରଗୁଡିକୁ ମିଳିତଭାବେ ଅନୁରୋଧ କରିଥିବା ଜଣାପଡିଛି । ଇତିମଧ୍ୟରେ ଆଫ୍‌ଗାନିସ୍ତାନ ବିଦେଶମନ୍ତ୍ରୀ ଅମୀର ଖାନ୍ ମୁତାକ୍ୱି ସବୁ ଆଫଗାନ ଦୂତାବାସକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ‘ଆପଣମାନେ ଦେଶର ସମ୍ପତ୍ତି । ଦେଶ ଆପଣଙ୍କ ପିଛାରେ ବହୁତ ଅର୍ଥ ଖର୍ଚ୍ଚ କରିସାରିଛି । ତେଣୁ ମନପ୍ରାଣ ଦେଇ ଦେଶସେବାରେ ନିଜକୁ ନିୟୋଜିତ କରନ୍ତୁ’ । ପୂର୍ବ ସରକାର (ଅସ୍ରଫ ଘନି) ଅମଳରେ ନିଯୁକ୍ତି ପାଇଥିବା କୂଟନୀତିଜ୍ଞମାନେ ସ୍ୱଦେଶ ଫେରିବାକୁ ଭୟ କରୁଛନ୍ତି ।

ପୂର୍ବ ସରକାରଙ୍କୁ ସମର୍ଥନ ଜଣାଇଥିବାରୁ କାଳେ ସେମାନଙ୍କୁ ତାଲିବାନ ଆତଙ୍କବାଦୀ ଟାର୍ଗେଟ କରିବେ, ସେହି ଆଶଙ୍କାରେ ସେମାନେ ଜର୍ଜରିତ । ଅଷ୍ଟ୍ରିୟାରେ ଅବସ୍ଥାପିତ ଆଫ୍‌ଗାନ ରାଷ୍ଟ୍ରଦୂତ କହିଛନ୍ତି ଯେ ସେ ପରିବାର ସହ ବର୍ତ୍ତମାନ ଭିଏନାସ୍ଥିତ ଦୂତାବାସରେ ଦୁଃଖର ସହ କାଳାତିପାତ କରୁଛନ୍ତି । ସୁଯୋଗ ମିଳିଲେ, ଅନ୍ୟ ରାଷ୍ଟ୍ରକୁ ପଳାୟନ କରିବେ ସିନା, କିନ୍ତୁ କୌଣସି ପରିସ୍ଥିତିରେ ଆଫଗାନିସ୍ତାନ ଫେରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଜାତିସଂଘରେ ଅବସ୍ଥାପିତ ଆଫଗାନିସ୍ତାନ ରାଷ୍ଟ୍ରଦୂତ ମଧ୍ୟ ନିଜର ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡିଛନ୍ତି । ବର୍ତ୍ତମାନ ଅଧିକାଂଶ ରାଷ୍ଟ୍ରରେ ଆଫ୍‌ଗାନ ଦୂତାବାସ ଅଚଳ ହୋଇପଡିଥିବାବେଳେ ସେଠାରେ ଆଫଗାନ କୂଟନୀତିଜ୍ଞ ଓ ସେମାନଙ୍କର ପରିବାର ଆଶ୍ରୟ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking