ମୁମ୍ବାଇ: ମୁମ୍ବାଇରେ ଗତରାତିରେ ପ୍ରବଳ ବର୍ଷା ଯୋଗୁ ବୁଧବାର ସକାଳେ ବିଭିନ୍ନ ରାସ୍ତା, ଗଳିକନ୍ଦି ଜଳମଗ୍ନ ହୋଇ ଯାତାୟାତ ପ୍ରଭାବିତ ହୋଇଥିଲା। ଅନେକ ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ପ୍ରବାହିତ ହେଉଥିଲା। ମୁମ୍ବାଇ ମହାନଗର ନିଗମ ଅଞ୍ଚଳର କିଛି ସ୍ଥାନରେ ରାତି ସାରା ପ୍ରବଳ ବର୍ଷା ଜାରି ରହିଥିଲା। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ବୁଧବାର ସକାଳ ୪ଟାରେ ମୁମ୍ବାଇ ଓ ପାଲଘର ପାଇଁ ରେଡ୍ ଆଲର୍ଟ ଜାରି କରିଥିଲା। ସକାଳ ୭ ଟା ସୁଦ୍ଧା ଏହି ଅଞ୍ଚଳରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ, ଅତି ପ୍ରବଳ ବର୍ଷା ଓ ୪୦-୬୦ କିଲୋମିଟର ବେଗରେ ପବନ ବହିବାର ଚେତାବନୀ ଦିଆଯାଇଥିଲା। ସକାଳେ ୭ଟା ପରେ ମୁମ୍ବାଇ, ଥାଣେ, ରାୟଗଡ଼, ପାଲଘର ଓ ସିନ୍ଧୁଦୁର୍ଗ ପାଇଁ ମଧ୍ୟମରୁ ଅତି ତୀବ୍ର ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା। ବୁଧବାର ସକାଳେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯାଇଥିଲା। ଅନେକ ଗାଡ଼ି ଆଗକୁ ଯାଇ ନପାରି ମଝି ରାସ୍ତାରେ ଅଟକି ରହିଥିଲା। ମୁମ୍ବାଇର ମାଟୁଙ୍ଗା ଅଞ୍ଚଳର କିଙ୍ଗସ୍ ସର୍କଲର ପାଣି ଜମି ରହିଥିବା ରାସ୍ତାରେ ଟ୍ରକ୍ ଓ ଅନ୍ୟାନ୍ୟ ଯାନବାହାନ ଯାଉଥିବାର ଦେଖାଯାଉଛି। ବୁଧବାର ସକାଳେ ଦାଦରର ହିନ୍ଦୁ କଲୋନିର ଆବାସିକ ଅଞ୍ଚଳରେ ପାଣି ଜମି ରହିଥିବା ଦେଖାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ମୁମ୍ବାଇରେ ପହଞ୍ଚି ଥିଲା। ସ୍ବାଭାବିକ ଭାବେ ଜୁନ୍ ୧୦ କିମ୍ବା ୧୧ ତାରିଖରେ ମୌସୁମୀ ପହଞ୍ଚୁ ଥିବାବେଳେ ଏଥର ୧୩ ଦିନ ବିଳମ୍ବରେ ମୌସୁମୀ ମୁମ୍ବାଇରେ ପହଞ୍ଚି ଥିଲା। ଫଳରେ ଲୋକମାନଙ୍କୁ ଗରମରୁ ଆଶ୍ବସ୍ତି ମିଳିଥିଲା।










