36.1 C
Bhubaneswar
Thursday, May 2, 2024
Homeଓଡିଶାଦୟନୀୟ ଅବସ୍ଥାରେ କିଡିନି ରୋଗୀ, ଅର୍ଥ ସାଜିଛି ବାଧକ 

ଦୟନୀୟ ଅବସ୍ଥାରେ କିଡିନି ରୋଗୀ, ଅର୍ଥ ସାଜିଛି ବାଧକ 

ସୁବର୍ଣ୍ଣପୁର : ବୋୖଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକ ଖଟଖଟିଆ ପଂଚାୟତ ଜାଲପାଲି ଗ୍ରାମର କାହ୍ନୁ ବାଘ(60) କିଡନୀ ରୋଗରେ ଆକ୍ରାନ୍ତ ହୋଇ ବହୁ ଦୟନୀୟ ଅବସ୍ଥାରେ ଘରେ ପଡି ରହିଛନ୍ତି ।  ଦୁଇ ବର୍ଷ ତଳେ ତାଙ୍କୁ ଏହି ରୋଗ ଆକ୍ରାନ୍ତ କରିଥିଲା। ପ୍ରଥମେ ପରିବାର ଲୋକ ତାକୁ ମନମୁଣ୍ଡା ଓ ସୋନପୁର ଡାକ୍ତରଖାନାରେ ଦେଖାଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ପରେ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଆରୋଗ୍ୟ ହେବା ବଦଳରେ ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା। କାହ୍ନୁ ଜଣେ ଦଳିତ ଦିନ ମଜୁରିଆ। ତାଙ୍କ ଦୁଇ ପୁଅ ଅଛନ୍ତି। ବହୁ କଷ୍ଟରେ ପରିବାର ଚଳୁଛି। ଘରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ବାପାର ଚିକିତ୍ସା ପାଇଁ ପୁଅମାନେ ଘରର ମୂଲ୍ୟବାନ ଜିନିଷପତ୍ର ବିକ୍ରି କରି ସର୍ବସ୍ୱନ୍ତ ହୋଇ ପଡିଛନ୍ତି। ଲୋକମାନଙ୍କ କହିବା ପ୍ରକାରେ ବନ୍ଧୁବାନ୍ଧବ ଓ ଗାଁ ଲୋକଙ୍କ ଠାରୁ ଧାର କରଜ କରି ପରିବାର ଲୋକ କାହ୍ନୁଙ୍କୁ ବୁର୍ଲା ଡାକ୍ତରଖାନାକୁ ନେଇଥିଲେ।

ସେଠାରେ ରହି କିଛିଦିନ ଚିକିତ୍ସା କଲାପରେ ଟଙ୍କା ସରି ଯିବାରୁ ଔଷଧ କିଣିବା ତ ଦୂର କଥା ନିଜ ଖାଇବାକୁ ମୁସ୍କିଲ ହୋଇ ପଡ଼ିଲା। ହାତରେ ଟଙ୍କା ନଥିବାରୁ ଗରିବ ଦଳିତଙ୍କ କଥା କେହି ଶୁଣିଲେ ନାହିଁ। ଫଳରେ ପରିବାର ଲୋକ ଅନ୍ୟ ଉପାୟ ନ ପାଇ କାହ୍ନୁଙ୍କୁ ଘରକୁ ଫେରାଇ ଆଣି ଖଟରେ ପକାଇ ରଖିଛନ୍ତି। ପତ୍ନୀ ତାଙ୍କ ଶୌଚ ଓ ଖାଇବା ପିଇବା ନିଜେ କରାଇ ଦେଉଛି। ସରକାର ବିଭିନ୍ନ ପ୍ରକାରେ ଗରିବ ମାନଙ୍କୁ ଅନେକ ସାହାଯ୍ୟ ସହଯୋଗ ଦେଉଛନ୍ତି। ସରକାର ଆମକୁ ଆର୍ଥିକ ସାହାଯ୍ୟ ସହ ଚିକିତ୍ସା ସକାଶେ ସହଯୋଗ କଲେ ମୋ ବାପା ଭଲ ହୋଇ ପାରନ୍ତେ ବୋଲି ତାଙ୍କ ପୁଅ ସଂକୀର୍ତ୍ତନ ବାଘ କହିଛନ୍ତି ଏବଂ ସେଇ ଆଶାରେ ସେ ବୌଦ୍ଧ ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଓ ସରକାର ଆମ କଥା ନିଶ୍ଚୟ ଶୁଣିବେ ବୋଲି ପରିବାର ଲୋକ ବହୁତ ବିଶ୍ୱାସ କରିଛନ୍ତି। ଯଦି ନ ଶୁଣିବେ ତେବେ ଭଗବାନ ଭରସାରେ ରହିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ବୋଲି ରୋଗାକ୍ରାନ୍ତ କାହ୍ନୁଙ୍କ ପତ୍ନୀ କୋହଭରା କଣ୍ଠରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking