33.1 C
Bhubaneswar
Friday, May 17, 2024
Homeଖେଳପାକିସ୍ତାନ ଟି-୨୦ ଟିମ୍‌ରେ ମହମ୍ମଦ ଆମିର

ପାକିସ୍ତାନ ଟି-୨୦ ଟିମ୍‌ରେ ମହମ୍ମଦ ଆମିର

କରାଚି: ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟି-୨୦ ସିରିଜ୍ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ୧୭ ଜଣିଆ ସ୍କ୍ୱାଡ୍ ଘୋଷଣା କରିଛି । ଏପ୍ରିଲ୍ ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ପାଇଁ ପୁଣିଥରେ ବାବର୍ ଆଜମ୍‌ଙ୍କୁ କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଛି । ସେହିପରି ମହମ୍ମଦ ଆମିରଙ୍କ ୪ ବର୍ଷ ପରେ ସ୍କ୍ୱାଡ୍‌ରେ ପ୍ରତ୍ୟାବର୍ତ୍ତନ ଘଟିଛି । ସୂଚନାଯୋଗ୍ୟ ପାକିସ୍ତାନ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିବା ଆମିର ନିକଟରେ ସନ୍ନ୍ୟାସରୁ ୟୁ-ଟର୍ନ ନେଇଥିଲେ ଏବଂ ପାକିସ୍ତାନ କ୍ରିକେଟ୍ ପାଇଁ ନିଜକୁ ଉପଲବ୍ଧ କରାଇଥିଲେ । ସେହିପରି ଇମାଦ୍ ୱାସିମ୍‌ଙ୍କର ମଧ୍ୟ ଟିମ୍‌ରେ ପ୍ରତ୍ୟାବର୍ତ୍ତନ ହୋଇଛି । ଇମାଦ୍ ମଧ୍ୟ ଅବସର ନେଇସାରିଥିଲେ । ଏହା ବ୍ୟତୀତ ସ୍କ୍ୱାଡ୍‌ରେ ପ୍ରଥମ ଥର ପାଇଁ ଦୁଇଜଣ ଖେଳାଳିିଙ୍କୁ ସୁଯୋଗ ମିଳିଛି । ସେମାନେ ହେଲେ ଇର୍ଫାନ୍ ଖାନ୍ ଓ ଉସ୍‌ମାନ୍ ଖାନ୍ । ଦୁହେଁ ନିକଟରେ ଅନୁଷ୍ଠିତ ପିଏସ୍‌ଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଇର୍ଫାନ୍ ଅଣ୍ଡର-୧୯ ବିଶ୍ୱକପ୍ ୨୦୨୦ ଏବଂ ୨୦୨୨ରେ ମଧ୍ୟ ପାକିସ୍ତାନ ପାଇଁ ଖେଳିଛନ୍ତି । ସେହିପରି ଉସ୍‌ମାନ୍ ଖାନ୍ ଏହା ପୂର୍ବରୁ ୟୁଏଇରେ ଖେଳୁଥିଲେ । ମାତ୍ର ପାକିସ୍ତାନରେ ଖେଳିବା ସୁଯୋଗ ମିଳିବାରୁ ୟୁଏଇ ଛାଡ଼ିଦେଇଥିଲେ । ଏମିରେଟ୍ କ୍ରିକେଟ୍ ବୋର୍ଡ (ଇସିବି) ଏଥିପାଇଁ ତାଙ୍କୁ ପାଞ୍ଚବର୍ଷ ବ୍ୟାନ୍ ମଧ୍ୟ କରିଛି । ଫଳରେ ସେ ଆଇଏଲ୍‌ଟି୨୦ ଏବଂ ଆବୁଧାବି ଟି-୧୦ ଖେଳିପାରିବେ ନାହିଁ ।
ସ୍କ୍ୱାଡ୍ ସହିତ ପିସିବି ଏହି ସିରିଜ୍ ପାଇଁ ନୂଆ କୋଚିଂ ଷ୍ଟାଫ୍ ମଧ୍ୟ ଘୋଷଣା କରିଛି । ଘୋଷଣା ଅନୁସାରେ ଆଝାର୍ ମେହମୁଦ୍ ଟିମ୍‌ର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି । ସେହିପରି ପୂର୍ବତନ କ୍ରିକେଟର୍ ତଥା ବର୍ତ୍ତମାନର ଜାତୀୟ ଚୟନକର୍ତ୍ତା ମହମ୍ମଦ ୟୁସୁଫ୍‌ଙ୍କ ବ୍ୟାଟିଂ କୋଚ୍ ନିଯୁକ୍ତ କରାଯାଇଛି । ଏହା ବ୍ୟତୀତ ୱହାବ୍ ରିୟାଜ୍‌ଙ୍କୁ ସିନିୟର୍ ଟିମ୍ ମ୍ୟାନେଜର ଏବଂ ପୂର୍ବତନ ସ୍ପିନର୍ ମନ୍‌ସୁର ରାଣାଙ୍କୁ ଟିମ୍ ମ୍ୟାନେଜର ନିଯୁକ୍ତ କରାଯାଇଛି । ପୂର୍ବତନ କ୍ରିକେଟର୍ ଅଜମଲ୍‌ଙ୍କୁ ଟିମ୍‌ର ସ୍ପିନ୍ ବୋଲିଂ କୋଚ୍ କରାଯାଇଛି ।
ପାକିସ୍ତାନ ଟି-୨୦ ସ୍କ୍ୱାଡ୍‌: ବାବର ଆଜମ୍ (କ୍ୟାପ୍‌ଟେନ୍‌), ଅବରାର୍ ଅହମଦ, ଆଜମ୍ ଖାନ୍‌, ଫଖର ଜମାନ୍‌, ଇଫ୍‌ତିଖାର ଅହମଦ, ଇମାଦ୍ ୱାସିମ୍‌, ମହମ୍ମଦ ଆଽାସ୍ ଆଫ୍ରିଦି, ମହମ୍ମଦ ରିଜ୍‌ୱାନ୍‌, ମହମ୍ମଦ ଆମିର, ମହମ୍ମଦ ଇର୍ଫାନ୍ ଖାନ୍‌, ନସିମ୍ ଶାହ, ସଇମ୍ ଅୟୁବ୍‌, ଶାଦାବ୍ ଖାନ୍‌, ଶାହିନ୍ ଶାହ ଆଫ୍ରିଦି, ଉସାମା ମୀର, ଉସ୍‌ମାନ୍ ଖାନ୍‌, ଜମାନ୍ ଖାନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking