ବାଲେଶ୍ୱର: ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଗଲା ଅଭାବନୀୟ ଘଟଣା । ଛାତ ଉପରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍ଏସି ୨ ନମ୍ବର ୱାର୍ଡ ଘାଟଘରସାହିରୁ ଆସିଛି ଏଭଳି ଦୁଃଖଦ ଖବର । ସୂଚନା ଅନୁସାରେ, ପପୁ ଜେନାଙ୍କ ପୁଅ ଆଦିତ୍ୟ ଜେନା ପୂଜା ପାଇଁ ଛାତ ଉପରେ ଫୁଲ ତୋଳୁଥିଲେ । ତେବେ ହଠାତ୍ ଅସାବଧାନତାବଶତଃ ସେ ଛାତ ଉପରୁ ତଳକୁ ଖସିପଡ଼ିଥିଲେ । ଘଟଣା ପରେ ପରିବାର ଲୋକେ ତୁରନ୍ତ ଆଦିତ୍ୟଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ ।ହେଲେ ମେଡିକାଲରେ ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କରିଥିଲେ । ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ପୁଅର ଏଭଳି ଅକାଳ ମୃତ୍ୟୁ ପରେ ପରିବାରରେ ଖେଳିଯାଇଛି ଶୋକର ଛାୟା । ଏହି ଘଟଣାକୁ ନେଇ ଘାଟଘରସାହିରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।










