ଭୁବନେଶ୍ୱର : ଖଣି ବିରୋଧୀ ଆନ୍ଦୋଳନ ପାଇଁ ଦୁଇ ସାମାଜିକ କର୍ମୀ ଗିରଫ । ଦୀର୍ଘ ଦିନ ଧରି ଖଣି ବିରୋଧରେ ସ୍ବର ଉଠାଉଥିବା ସାମାଜିକ କର୍ମୀ ଡକ୍ଟର ରାଣ୍ଡେଲ୍ ସେକ୍ୟୁରା ଓ ଲକ୍ଷ୍ମଣ ନାୟକ ଗିରଫ ହୋଇଛି । କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ସାମାଜିକ କର୍ମୀ ଡକ୍ଟର ରାଣ୍ଡେଲ୍ ସେକ୍ୟୁରା ଏବଂ ମା ମାଟି ମାଳି ସୁରକ୍ଷା ମଞ୍ଚର ସାଥୀ ଲକ୍ଷ୍ମଣ ନାୟକଙ୍କୁ ଗତ ୧୬ ତାରିଖରେ ଉଠାଇ ନେଇଥିଲା ଭବାନୀପାଟଣା ଟାଉନ ପୁଲିସ୍ । ସେମାନଙ୍କୁ ସାରା ରାତି ଅଟକ ରଖି ପଚରାଉଚୁରା କରିଥିଲା ଭବାନୀପାଟଣା ଟାଉନ ଥାନା ପୁଲିସ । ପରେ ୧୭ ତାରିଖ ସନ୍ଧ୍ୟାରେ ଦୁଇ ଜଣଙ୍କୁ ରାୟଗଡ଼ା ଏସ୍.ଡି.ଜେ.ଏମ୍ ଙ୍କ କୋର୍ଟରେ ହାଜର କରାଯାଇଥିଲା ।
ଉଭୟଙ୍କ ଜାମିନ୍ ଆବେଦନ ନାମଞ୍ଜୁର ହେବାପରେ ସେମାନଙ୍କୁ ରାୟଗଡ଼ା ଉପ କାରାଗାରକୁ ପଠାଇ ଦିଆଯାଇଛି । ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ଏହି ଦୁଇଜଣ ସାମାଜିକ କର୍ମୀ ଖଣି ବିରୋଧୀ ଆନ୍ଦୋଳନରେ ସାମିଲ ହେଉଥିଲେ । ଗତ ଅପ୍ରେଲ ୬ ଏବଂ ୭ ତାରିଖରେ କାଶୀପୁର ବ୍ଲକ କଣ୍ଟାମାଳ ଠାରେ ରାସ୍ତା କାମକୁ ଵିରୋଧ କରି ସ୍ଥାନୀୟ ଲୋକେ ବିକ୍ଷୋବ କରୁଥିଲେ। ଏହି ସମୟରେ ଡକ୍ଟର ରାଣ୍ଡେଲ ସେକ୍ୟୁରା ଏବଂ ଲକ୍ଷ୍ମଣ ନାଏକ ସ୍ଥାନୀୟ ଲୋକଙ୍କୁ ଉସୁକାଇବା ସହ ଘଟଣା ସ୍ଥଳରେ ଉପସ୍ଥିତ ଥିବା ପୁଲିସ କର୍ମୀଙ୍କ ଉପରକୁ ଠେଙ୍ଗା ଓ ପଥର ମାଡ଼ କରିଥିଲେ। ଯାହାକୁ ନେଇ ଅଭିଯୋଗ ପରେ ବିଏନ୍ଏସ୍ ଧାରା ଲାଗିଛି । ସେପଟେ ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଛି ।










