– କୌଣସି ବ୍ୟାଙ୍କ୍ ଋଣ ଦେବାକୁ ଇଚ୍ଛା ପ୍ରକାଶ କରୁନଥିବା ଅଭିଯୋଗ
– ମାମଲାରେ ହସ୍ତକ୍ଷେପ କରି ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିବେଦନ
ନୂଆଦିଲ୍ଲୀ/ଭୁବନେଶ୍ୱର, – ଓଡିଶାର ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ କିଷାନ କ୍ରେଡିଟ୍
କାର୍ଡ(କେସିସି) ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ କରି
ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପତ୍ର
ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ପତ୍ରରେ ଜଗତସଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଖଣ୍ଡାସାହି ଗ୍ରାମର ଦୁଗ୍ଧ ଚାଷୀ ଧ୍ରୁବ ଚରଣ
ପରିଡାଙ୍କ ଏକ ଅଭିଯୋଗ ପତ୍ରକୁ ସଲଗ୍ନ କରି ଉଲ୍ଲେଖ କରିଛନ୍ତି ଯେ ବ୍ୟାଙ୍କ୍ ମାଧ୍ୟମରେ ଓମଫେଡ୍ ଦୁଗ୍ଧ
ଚାଷୀ ମାନଙ୍କୁ କିଷାନ କ୍ରେଡିଟ୍ କାର୍ଡରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଥିବା ବ୍ୟବସ୍ଥା ଥିଲେ ମଧ୍ୟ କୌଣସି
ବ୍ୟାଙ୍କ୍ ଋଣ ଦେବାକୁ ଇଚ୍ଛା ପ୍ରକାଶ କରୁନଥିବା ଅଭିଯୋଗ ହେଉଛି । ତେଣୁ ଏହି ମାମଲାରେ ବ୍ୟକ୍ତିଗତ
ସ୍ତରରେ ହସ୍ତକ୍ଷେପ କରି ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ
ନିବେଦନ କରିଛନ୍ତି ।
ଉଲ୍ଲେଖନୀୟ ଯେ, ଧ୍ରୁବଚରଣ ପରିଡା ନାମ୍ନୀ ଜଣକ ଦୁଗ୍ଧ ଚାଷୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲେଖିଥିବା
ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପତ୍ର
ନମ୍ବର(ଏମ୦୧୦୦୭୧୫୧୨୦୨୦), ତା-୨୭.୦୭.୨୦୨୦ରେ ବ୍ୟାଙ୍କ ଜରିଆରେ ଓମଫେଡ୍
ଦୁଗ୍ଧ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର କିଷାନ କ୍ରେଡିଟ୍ କାର୍ଡ୍ ଦେବାକୁ ନିର୍ଦ୍ଦେଶ ହୋଇଛି । କିନ୍ତୁ ବ୍ୟାଙ୍କ୍ ମାନେ
ଋଣ ଦେବା ପାଇଁ ଇଚ୍ଛାପ୍ରକାଶ କରୁନାହାନ୍ତି । ଯେଉଁ କାରଣରୁ ଓମଫେଡ୍ ଚାଷୀମାନେ କୋଭିଡ୍-୧୯
ସମୟରେ ହଇରାଣ ହେଉଛନ୍ତି । ଏହା ଋଣ ବ୍ୟବସ୍ଥା ହୋଇପାରିଲେ ଜଗତସିଂହପୁରର ଅନେକ ଓମଫେଡ୍
ଦୁଗ୍ଧ ଚାଷୀ ଉପକୃତ ହୋଇପାରିବେ ବୋଲି ଧ୍ରୁବଚରଣ ପରିଡା ଅଭିଯୋଗ ପତ୍ରରେ ସେ ଉଲ୍ଲେଖ
କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କରୋନା ମୁକାବିଲା ଜନଆନ୍ଦୋଳନରେ ସାମିଲ
ହେବା ପାଇଁ ଓଡ଼ିଶାବାସୀଙ୍କୁ ନିବେଦନ କଲେ ଧର୍ମେନ୍ଦ୍ର ପ୍ରଧାନ
– ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଏବଂ ହାତକୁ ସଫା ରଖିବା ପାଇଁ ନିବେଦନ
– ନିଜକୁ କରୋନାରୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ କରିବା
– କରୋନା ଟୀକା ନଆସିବା ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ
ଭୁବନେଶ୍ୱର, – କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦିଙ୍କ ଦ୍ୱାରା ଗୁରୁବାର ଶୁଭାରମ୍ଭ ହୋଇଥିବା ଏକ ଜନଆନ୍ଦୋଳନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନିଜେ ସାମିଲ ହୋଇ ଓଡ଼ିଶାବାସୀଙ୍କୁ ଏହି ଜନଆନ୍ଦୋଳନରେ ସାମିଲ ହେବାକୁ ନିବେଦନ କରିଛନ୍ତି ।
ମାସ୍କକୁ ସଠିକ୍ ଭାବରେ ପିନ୍ଧିବା, ସର୍ବସାଧାରଣ ସ୍ଥାନରେ ଦୁଇ ମିଟର ସାମାଜିକ ଦୂରତା ରଖିବା ଏବଂ
ହାତକୁ ସଫା ରଖିବା ପାଇଁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଆଗାମୀ ପର୍ବ ପର୍ବାଣୀ ସମୟରେ କରୋନା ମୁକାବିଲାରେ ଜନଭାଗିଦାରୀ
ବଢାଇବା ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ
ଜନଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି । କରୋନା ଟୀକା ନଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କତା
ଅବଲମ୍ବନ କରିବାର ଆବଶ୍ୟକତା ରହିଛି, ଏହା ପ୍ରଧାନମନ୍ତ୍ରୀଙ୍କ ମୂଳ ଆହ୍ୱାନ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନରେ ସମସ୍ତେ ନିଜକୁ କରୋନାରୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ କରିବାକୁ
ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ପାଳନ କଲେ ଏହି କରୋନା ଯୁଦ୍ଧରେ
ସମସ୍ତେ ବିଜୟୀ ହୋଇପାରିବା ବୋଲି ସେ କହଛନ୍ତି ।