ବ୍ରହ୍ମପୁର: ବ୍ରହ୍ମପୁର ନିକଟସ୍ଥ ନରେନ୍ଦ୍ରପୁର ନିକଟରେ ଥିବା ନୟାରା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏକ ମିନି ବସ୍ ବାଇକ୍କୁ ଧକ୍କା ଦେବା ଫଳରେ ବାଇକ୍ ଆରୋହୀ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି। ଶନିବାର ପୂର୍ବାହ୍ନ ସାଢ଼େ ୧୦ ଘଣ୍ଟା ସମୟରେ ଏଭଳି ଏକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ବ୍ରହ୍ମପୁରରୁ ପୁରୁଷୋତ୍ତମପୁର ଅଭିମୁଖେ ଯାଉଥିବା ବାବା ବିଘ୍ନରାଜ ନାମକ ଏକ ଘରୋଇ ମିନି ବସ୍ ବାଇକ୍କୁ ଧକ୍କା ଦେଇଥିଲା। ବାବା ବିଘ୍ନରାଜ ନାମକ ମିନି ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡି ଚଲାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଗୁରୁତର ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ଗୁରୁତର ବାଇକ୍ଚାଳକ ଜଣକ ଲାଞ୍ଜିପଲୀ ଅଞ୍ଚଳର ବୋଲି ସୂଚନା ମିଳିଛି। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।










