29.1 C
Bhubaneswar
Thursday, May 9, 2024
Homeଓଡିଶାସୁବର୍ଣ୍ଣରେଖା କେନାଲ ପାଣି ଉଜାଡି ଦେଲା ଚାଷ

ସୁବର୍ଣ୍ଣରେଖା କେନାଲ ପାଣି ଉଜାଡି ଦେଲା ଚାଷ

ମୟୂରଭଞ୍ଜ : ବାସ୍ତବରୂପ ନେଲା ସତ କିନ୍ତୁ କନ୍ଦାଇଲା ସ୍ବପ୍ନ। ପୂର୍ବ ପ୍ରସ୍ତୁତି ବିନା ଛଡ଼ାଗଲା କେନାଲରେ ଜଳ। ଅଧିକ ଜଳ ଆସିବା ଯୋଗୁଁ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା। ଜଳମଗ୍ନ ହୋଇଛି ହେକ୍ଟର ହେକ୍ଟର ଚାଷଜମି। ବିଲରେ ରୁଆ ହୋଇଥିବା ଧାନଗଛ କୋଉଠି ପଚି ଗଲାଣି ତୋ କୋଉଠି ଜଳସ୍ରୋତ ଯୋଗୁଁ ଭାସି ଗଲାଣି। ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। କଣ କରିବ ଏବେ। ତେବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହ ପୁଣି ଜମିରେ ଚାଷ କାମ କରିବାକୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହେଉଛି। ତେବେ ବୃହତ ଜଳସେଚନ ପ୍ରକଳ୍ପ ସୁବର୍ଣ୍ଣରେଖା କେନାଲ ପାଣିରେ ଚାଷୀ ସୁନା ଫଳାଇବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ରଖିଥିବା ବେଳେ ପୂର୍ବ ପ୍ରସ୍ତୁତି ବିନା କେନାଲରେ ପାଣି ଛଡା ଯାଇଥିବାରୁ ବିପରୀତ ପରିସ୍ଥିତି ସୃଷ୍ଟି କରିଛି।

ଆଉ ସବୁବେଳେ କ୍ଷତି ସହି ଆସୁଥିବା ଅସହାୟ ଚାଷୀ ସରକାରୀ କଳର ଦାୟିତ୍ବହୀନତା ପାଇଁ ପୁଣି କ୍ଷତିଗ୍ରସ୍ତ ହୋଇ ଚାଷରେ ଲଗାଇଥିବା ପୁଞ୍ଜି, ଦେଇଥିବା ସମୟ ସବୁ ଧୋଇ ନେଇଗଲା ସୁବର୍ଣ୍ଣରେଖା କେନାଲ ଜଳ। ଅଭିଯୋଗ ଅନୁଯାୟୀ ଅସମ୍ପୂର୍ଣ୍ଣ ରହିଥିବା କେନାଲରେ ପାଣିଛଡା ଯାଇଥିବାରୁ ଶହଶହ ଏକର ଧାନଚାଷ ସାଙ୍ଗକୁ ପରିବାଚାଷ ନଷ୍ଟ ହୋଇ ଯାଇଥିବାରୁ ସାମୟିକ ଭାବେ କେନାଲପାଣି ବନ୍ଦ ହେବା ଜରୁରୀ ହୋଇପଡିଛି ବୋଲି ମତଦିଅନ୍ତି କ୍ଷତିଗ୍ରସ୍ତ ଚାଷୀମାନେ। ପ୍ରକାଶଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧୀନ ଦାନ୍ତିଆମୁହାଁ ଓ ଦୁର୍ଗାପୁର ପଞ୍ଚାୟତର କରମଶୋଳ,ଦୁର୍ଗାପୁର ଓ ଚିଲବସା ଗ୍ରାମ ଦେଇ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ବ୍ରାଞ୍ଚ କେନାଲରେ ବହୁ ପରିମାଣରେ ପାଣି ଆସି ଚାଷ ଜମି ତଥା ପରିବା ଚାଷକୁ ନଷ୍ଟ କରିଦେଇଛି।

୧୦୦ ରୁ ଉର୍ଦ୍ଧ୍ବ ଚାଷୀ ଓ ଭାଗଚାଷୀ ଧାନରୁଆ କାର୍ଯ୍ୟ ଶେଷ କରି ସାରିଥିବା ସମୟରେ ହଠାତ କେନାଲ କାର୍ଯ୍ୟ ସମାପ୍ତ ହୋଇନଥିବା ବେଳେ ସରକାର ଏବଂ ବିଭାଗୀୟ ଯନ୍ତ୍ରୀ ବାହାବା ସାଉଁଟିବା ପାଇଁ କେନାଲରେ ପାଣିଛାଡ଼ି ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିଦେଇଛନ୍ତି। ୩୦ ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମିରେ ଧାନଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି କ୍ଷୟକ୍ଷତିକୁ ପ୍ରଶାସନିକ ସ୍ତରରେ ଆକଳନ କରାଯାଇ କ୍ଷତିପୂରଣ ଯୋଗାଇଦେବା ପାଇଁ ଦାନ୍ତିଆମୁହାଁ ଓ ଦୁର୍ଗାପୁର ପଞ୍ଚାୟତର ଚାଷୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେବେ ପ୍ରକଳ୍ପରେ କାର୍ଯ୍ଯରତ ବିଭାଗୀୟ ସରକାରୀବାବୁଙ୍କ ପାଖରେ ସଠିକ ତଥ୍ୟ ନ ଥିବା ବା ପ୍ରଶାସନକୁ ଭୁଲ ତଥ୍ୟ ଦେବା ହେତୁ ଚାଷୀମାନଙ୍କର ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ। ଏହାର ସୁବିଚାର କରି ଚାଷୀମାନଙ୍କୁ କ୍ଷତିପୂରଣ ଯଥାଶୀଘ୍ର ଦିଆନଗଲେ ଆଗାମୀଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି କ୍ଷତିଗ୍ରସ୍ତ ଚାଷୀମାନେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking