21.1 C
Bhubaneswar
Friday, December 20, 2024
Homeଓଡିଶାମୟୂରଭଞ୍ଜକୁ ଘାରିଛି ପଶ୍ଚିମବଙ୍ଗ ଚିନ୍ତା

ମୟୂରଭଞ୍ଜକୁ ଘାରିଛି ପଶ୍ଚିମବଙ୍ଗ ଚିନ୍ତା

ବାରିପଦା : ପଶ୍ଚିମବଙ୍ଗରେ କରୋନା ଉଗ୍ରରୂପ ନେଇ ସାରିଛି । ଏପରିକି ପଶ୍ଚିମବଙ୍ଗରେ କରୋନା ଟ୍ରିପିଲ ମ୍ୟୁଟାଣ୍ଟ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି । ଫଳରେ ପଶ୍ଚିମବଙ୍ଗରେ ଦୈନିକ ୧୦ ହଜାରରୁ ଅଧିକ ନୂଆ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଜନସାଧାରଣଙ୍କ ସୁରକ୍ଷା ପାଇଁ ଏକ ଘୋଷଣା କରିଛନ୍ତି । ଗତ ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପଶ୍ଚିମବଙ୍ଗ ସୀମାକୁ ଲାଗି ରହିଥିବା ସମସ୍ତ ରାସ୍ତାରେ ଯାଞ୍ଚକୁ କଡ଼ାକଡ଼ି କରିବା ସହ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରବେଶ କରିଥିବା ସମସ୍ତ ବ୍ୟକ୍ତିମାନଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରଖାଯିବା, ସେମାନଙ୍କ ନିକଟରେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଓ ଦ୍ୱିତୀୟ ଡୋଜ୍ ଟିକା ନେଇଥିଲେ ମଧ୍ୟ ସେମାନଙ୍କୁ ଗୃହ ସଙ୍ଗରୋଧରେ ରଖାଯିବା ପାଇଁ ମୟୂରଭଞ୍ଜ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ମୟୂରଭଞ୍ଜ ପୁଲିସ୍ ପକ୍ଷରୁ ଓଡ଼ିଶା-ପଶ୍ଚିମବଙ୍ଗ  ସୀମାରେ ଥିବା ଶୁଳିଆପଦା ବ୍ଲକର ଚକଶୁଳିଆପଦା, ସାରସକଣା ବ୍ଲକର ଜାମଶୋଳା ଓ ହାତୀବାରୀ ଆଦି ତିନୋଟି ମୁଖ୍ୟ ପ୍ରବେଶ ପଥରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଚକଶୁଳିଆପଦା ପ୍ରବେଶ ପଥ ଉଭୟ ପଟୁ ବାଇକ ଓ ଗାଡ଼ିମୋଟରରେ ଶତାଧିକ ଜନସାଧାରଣ ଅବାଧରେ ଯାତାୟତ କରୁଥିବା ସମୟରେ କୌଣସି ପୁଲିସ୍ କର୍ମଚାରୀ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା । ସୀମାନ୍ତବର୍ତ୍ତୀ ଚକଶୁଳିଆପଦା ବାସିନ୍ଦା ସୁଧାଂଶୁ ଶେଖର ସେନାପତିଙ୍କ କହିବା ଅନୁସାରେ ଶୁଳିଆପଦା ଜିରୋ ପଏଣ୍ଟରେ ରହିଥିବାବେଳେ ବାଘଡ଼ା ପର୍ଯ୍ୟନ୍ତ ଶହେ ଗଳି ରାସ୍ତାରେ ରହିଛି ଓ ୪ ଶହ ଗ୍ରାମ ରହିଛି । ସେହିପରି ଜାମଶୋଳା ପର୍ଯ୍ୟନ୍ତ ୨ ଶହ ଗ୍ରାମ ରହିଥିବାବେଳେ ସରକାରଙ୍କ ପକ୍ଷରୁ ଭଲ ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି ।

ଦୈନନ୍ଦିନ ଶହଶହ ଜନସାଧାରଣ ଅବାଧରେ ଯିବା ଆସିବା କରୁଥିବାବେଳେ ଏହାକୁ ନିୟନ୍ତ୍ରଣ କରାଯିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ସେହିପରି ସୀମା ପରିସ୍ଥିତି ବହୁତ ଜଟିଳ । କାରଣ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ପାରିଲା ନାହିଁ । ଜମ୍ଭୀରା ଫାଣ୍ଡିରୁ ପୁଲିସ୍ ପହଁଞ୍ଚିଥିଲେ ମଧ୍ୟ ଯାତାୟତକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇ ପାରିନାହିଁ । ଏଣୁ ପ୍ରଶାସନ ଏହାକୁ ଗୁରୁତ୍ୱ ଦେବାକୁ  ବିନମ୍ର ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେହିପରି ହାତୀବାରୀ ଓ ଜାମଶୋଳା ପ୍ରବେଶ ପଥରେ ଝାରପୋଖରୀଆ ଥାନା ପୁଲିସ୍ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଇଛନ୍ତି ।

ତେବେ ମୟୂରଭଞ୍ଜ ଜିଲ୍ଲାର ୫ଟି ଥାନା ଅଧୀନରେ ୩୪ରୁ ଅଧିକ ଗଳାପଥ ଓ ଅନେକଗୁଡ଼ିଏ ଚୋରାପଥ ରହିଥିବାବେଳେ ଉକ୍ତ ରାସ୍ତା ଦେଇ ଦୈନିକ ହଜାର ହଜାର ଜନସାଧାରଣଙ୍କ ସଦାସର୍ବଦା ଯିବା ଆସିବା ଲାଗି ରହିଛି । ଯାହାକୁ ନେଇ ମୟୂରଭଞ୍ଜବାସୀଙ୍କୁ ପଶ୍ଚିମବଙ୍ଗ ଚିନ୍ତା ଘାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking