36.1 C
Bhubaneswar
Sunday, May 19, 2024
Homeଓଡିଶାପୁଣି ଫେରିଲେ ପ୍ରବାସୀ ଶ୍ରମିକ

ପୁଣି ଫେରିଲେ ପ୍ରବାସୀ ଶ୍ରମିକ

ବ୍ରହ୍ମପୁର : ପୁଣି ପ୍ରବାସୀ ଶ୍ରମିକ ରେଳ ଯୋଗେ ଫେରିଛନ୍ତି । ପ୍ରବାସୀ ନଫେରିବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ । କିନ୍ତୁ ସୁରାଟ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଥିବାରୁ ଫେରିବାକୁ ବାଧ୍ୟ ବୋଲି ରେଳଷ୍ଟେସନରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରବାସୀ ଶ୍ରମିକ । କମ୍ପାନୀ ବନ୍ଦ ହୋଇନି । କିନ୍ତୁ ଖାଇବା ମିଳୁନି । ଲକ୍‌ଡାଉନ୍ ହୋଇଛି । କଞ୍ଚାମାଲ୍ ଆସୁନି । ଏଣୁ ଉତ୍ପାଦନ ହେଉନି । ପଳାଇବାକୁ ମାଲିକ କହୁଛନ୍ତି । ସେଠାରେ ବହୁ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଡାକ୍ତରକାନାରେ ଓଡ଼ିଆ ରୋଗୀଙ୍କୁ ଭର୍ତ୍ତି କରାଯାଉନି । ବଡ଼ ବଡ଼ ଲୋକ ଚିକିତ୍ସା ସୁବିଧା ପାଉଛନ୍ତି । ଓଡ଼ିଆ ଶ୍ରମିକ ଭୟରେ ଫେରୁଛନ୍ତି । ଆମ ଓଡ଼ିଆ ଶ୍ରମିକଙ୍କ ଅସୁବିଧା ବୁଝିବାକୁ ସେଠି କେହି ନାହାନ୍ତି। ଏଣୁ ଫେରିବାକୁ ବାଧ୍ୟ ହେଲୁ ବୋଲି ଶେରଗଡ଼ ଅଞ୍ଚଳରୁ ଫେରିଥିବା ପ୍ରବାସୀ ଶ୍ରମିକ କହିଛନ୍ତି ।

ରେଳଷ୍ଟେସନରେ ସେମାନଙ୍କ ନାମ ଓ ଠିକଣା ପଞ୍ଜୀକରଣ କରି ଛାଡ଼ି ଦିଆଯାଉଛି । ଆର୍‌ଟିପିସିଆର୍ ନେଗେଟିଭ୍ ରିପୋର୍ଟ ମଗା ଯାଉନାହିଁ । ଗତ କିଛି ଦିନ ମଧ୍ୟରେ ପ୍ରାୟ ୨୦ ହଜାର ଓଡ଼ିଆ ଶ୍ରମିକ ଲେଉଟିଲେଣି । ପ୍ରଥମେ କୌଣସି କଟକଣା ନଥିଲା । ଏବେ ସପ୍ତାହକ ତଳେ ରେଳଷ୍ଟେସନରେ ବ୍ୟାରିକେଡ୍ କରାଯାଇ ପଞ୍ଜୀକରଣ କରାଯାଉଛି । ସେମାନଙ୍କ ନାମ ଓ ଠିକଣା ସମ୍ପୃକ୍ତ ପଞ୍ଚାୟତକୁ ପଠାଇ ଦିଆଯିବ ବୋଲି ପ୍ରଶାସନ ସୂଚନା ଦେଇଛି ।  ସେଠାର ବିଡିଓ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଗୃହ ସଙ୍ଗରୋଧରେ ରହିବା ନିଶ୍ଚିତ କରିବେ । ସ୍ୱାସ୍ଥ୍ୟ ଟିମ୍ ଘରେ ପହଞ୍ଚି ଯାଞ୍ଚ କରିବେ । କୋଭିଡ୍ ଲକ୍ଷଣ ଦେଖାଦେଲେ ସେମାନଙ୍କୁ ଡାକ୍ତରଖାନା ପହଞ୍ଚାଇ ଦିଆଯିବ ବୋଲି ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି ।

ଏଯାବତ୍ କେତେକଜଣ ପ୍ରବାସୀ କରୋନା ଆକ୍ରାନ୍ତ ହୋଇଛନ୍ତି ଜିଲ୍ଲା ପ୍ରଶାସନ ରିପୋର୍ଟ ପ୍ରକାଶ କରିନାହିଁ । କିନ୍ତୁ ଲେଡି ଗୁଡ଼ କହୁଣୀକୁ ବୋହିବା ପୂର୍ବରୁ ପ୍ରଶାସନ ତତ୍ପର ହେବା ଆବଶ୍ୟକ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟ କରୋନା ସଂକ୍ରମଣ ପ୍ରବାସୀ ଫେରନ୍ତାଙ୍କ ଯୋଗୁଁ ହୋଇଥିଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା । ଗତ ମଇ ଓ ଜୁନ୍ ସୁଦ୍ଧା ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଗଞ୍ଜାମ ଫେରିଥିଲେ । ରାଜ୍ୟ ସରକାର ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ପ୍ରବାସୀଙ୍କୁ ଆଣିବା ବ୍ୟବସ୍ଥା କରିଥିଲେ । କିନ୍ତୁ ଏବେ ସେଭଳି ଅବସ୍ଥା ନାହିଁ । କିନ୍ତୁ ଭିଟାମାଟି ଫେରୁଥିବା ପ୍ରବାସୀଙ୍କ ପାଇଁ ପଞ୍ଚାୟତ ସ୍ତରରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking