28.1 C
Bhubaneswar
Friday, April 26, 2024
Homeଅପରାଧଆଦିବାସୀ ମହିଳାଙ୍କୁ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଚପାଇ ଦେବାକୁ ପୋଲିସର ଚକ୍ରାନ୍ତ -...

ଆଦିବାସୀ ମହିଳାଙ୍କୁ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଚପାଇ ଦେବାକୁ ପୋଲିସର ଚକ୍ରାନ୍ତ – ପ୍ରଦୀପ ମାଝୀ

 
ଭୁବନେଶ୍ୱର – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ
କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ କହିଛନ୍ତି ଯେ ୨୦ ବର୍ଷ ହେଲା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମହିଳାଙ୍କ ରକ୍ତରେ ହୋଲି ଖେଳି ଆସୁଛନ୍ତି । ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗୃହ
ବିଭାଗ ଅପରାଧିଙ୍କୁ ଘଂଟ ଘୋଡାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ମା’କୁ ସମ୍ମାନ ଆହ୍ୱାନ ଏକ ନାଟକବାଜିରେ ପରିଣତ
ହୋଇଛି ।
ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି ଯେ ମାଲକାନଗିରି ସଦର ମହକୁମା ପୋଲିସ କ୍ୟାଂଟିନ୍‌ରେ କାମ କରୁଥିବା
ଚନ୍ଦ୍ରମା ଭୂମିଆ (୩୬) ନାମକ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଓ ଅମାନୁଷିକ ଭାବରେ ହତ୍ୟା କରାଯିବା ଘଟଣାକୁ
ପୋଲିସ ଚପାଇ ଦେବାକୁ ଚକ୍ରାନ୍ତ କରୁଛି । ମାଲକାନଗିରିରେ ଏବେ ରାଜଧାନୀ ଠାରୁ ଅଧିକ ପୋଲିସ ଏବଂ ପାରା
ମିଲିଟାରୀ ଫୋର୍ସ କାର୍ଯ୍ୟ କରୁଛନ୍ତି । ହେଲେ ପୋଲିସ ଛାଉଣୀ ଭିତରେ ଆଦିବାସୀ ମହିଳାଙ୍କୁ କିପରି ଭାବରେ
ଗଣଦୁଷ୍କର୍ମ ଓ ହତ୍ୟା କରାଯାଏ ତାହା ଚନ୍ଦ୍ରମା ଭୂମିଆ ହତ୍ୟା ଘଟଣାରୁ ସ୍ପଷ୍ଟ ହୋଇ ପଡୁଛି । ତା’ର ଛାତି ଏବଂ
ତଳିପେଟରେ ଲୁହା ରଡ୍ ଭୁଷା ଯାଇଛି ଏବଂ ବର୍ବରୋଚିତ ଭାବରେ ତା’ର ସର୍ବାଙ୍ଗକୁ ଖିନ୍‌ଭିନ୍ କରି ଆକ୍ରମଣ
କରାଯାଇଛି ।
ଚନ୍ଦ୍ରମା ଭୂମିଆ ବହୁ ବର୍ଷ ଧରି ମାଲକାନଗିରି ସଦର ମହକୁମା ପୋଲିସ କ୍ୟାଂଟିନ୍‌ରେ ହେଲପର ଭାବରେ
କାର୍ଯ୍ୟ କରି ଆସୁଥିଲା । ସେ ପ୍ରତିଦିନ ସକାଳ ୭ ଟାରେ କ୍ୟାଂଟିନ୍‌ର ଚାବି ଖୋଲେ ଏବଂ ଦିନ ତମାମ ସେଠାରେ
କାମ କରେ । ରାତି ୧୧ ଟାରେ କ୍ୟାଂଟିନ୍‌ରେ ଚାବି ପକାଇ ସେ କ୍ୟାଂଟିନ୍ ଠାରୁ ୫୦ ମିଟର ଦୂର ତା’ର
ଭଡାଘରକୁ ଫେରେ । ଉକ୍ତ କ୍ୟାଂଟିନ୍‌ରେ ପୋଲିସ କର୍ମଚାରୀମାନେ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ
କରିଥାନ୍ତି ।
ତା ୭ ମଇ ୨୦୨୦ ରିଖ ଦିନ ସେଠାରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଚନ୍ଦ୍ରମାର ସ୍ୱାମୀ ବୁଦୁରା
ଗୌଡକୁ ଖବର ଦେଲେ ଯେ ଚନ୍ଦ୍ରମାର ଦେହ ଅତିଶୟ ଅସୁସ୍ଥ ଏବଂ ସେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ
ଚିକିତ୍ସିତ ହେଉଛି । ବୁଦୁରା ଗୌଡ ମାଲକାନଗିରି ଚିକିତ୍ସାଳୟକୁ ଯାଇ ଦେଖିଲା ଯେ ଚନ୍ଦ୍ରମା ମୃତ୍ୟୁ ସହ ସଂଗ୍ରାମ
କରୁଛି ଏବଂ ଚନ୍ଦ୍ରମା ଅଚେତ୍ ମଧ୍ୟ ଥିଲା । ବୁଦୁରା ଗୌଡର ଅଭିଯୋଗ ଅନୁଯାୟୀ ଡାକ୍ତର ଚନ୍ଦ୍ରମାର ଚିକିତ୍ସା ପ୍ରତି
ଘୋର ଅବହେଳା କରିଛନ୍ତି । ସେଠାରେ ତା’ର ସାଂଘାତିକ ଅବସ୍ଥା ପ୍ରତି ଆଦୌ ଧ୍ୟାନ ଦିଆଯାଇନଥିଲା । ଏଠାରେ
ମାଲକାନଗିରିର ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ମଧ୍ୟ ଦୋଷୀ । କାରଣ ୩ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରୁଥିବା
ପୀଡିତାର କ୍ଷତ ସ୍ଥାନରେ ମଲମ ଟିକିଏ ବି ବୋଳି ଦିଆଯାଇ ନାହିଁ ।

ତା ୮ ମଇ ୨୦୨୦ ରିଖ ଦିନ ଚିକିତ୍ସାଳୟରେ ଚନ୍ଦ୍ରମାର ବସ୍ତ୍ର ବଦଳାଇବା ବେଳେ ବୁଦୁରା ଗୌଡ
ତା ୯ ମଇ ୨୦୨୦ ରିଖ ଦିନ ଦେଖିଲା ଯେ ଚନ୍ଦ୍ରମାର ଦେହସାରା ଗଭୀର କ୍ଷତ ହୋଇଛି । ସେଠାରେ
ଚନ୍ଦ୍ରମାର ଅବସ୍ଥା ଗୁରୁତର ହେବାରୁ ପୋଲିସ ହେପାଜତରେ ଚନ୍ଦ୍ରମାକୁ କୋରାପୁଟସ୍ଥିତି ଲକ୍ଷ୍ମଣ ନାୟକ ସରକାରୀ
ଚିକିତ୍ସାଳୟକୁ ନିଆଯାଇଥିଲା ।
ତା ୧୦ ମଇ ୨୦୨୦ ରିଖ ଦିନ କୋରାପୁଟରେ ପରିସ୍ଥିତି ଅଣାୟତ ହେବାରୁ ପୁନର୍ବାର ପୋଲିସ
ହେପାଜତରେ ଚନ୍ଦ୍ରମାକୁ ରାତିରେ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲା ।
ପ୍ରସଙ୍ଗ ଏହିକି ଯେ ପୋଲିସ କେଉଁ ଉଦ୍ଦେଶ୍ୟରେ ଚନ୍ଦ୍ରମା ସହ ଆମ୍ବୁଲାନ୍ସରେ ଯାଉଥିବା ତା’ର ସ୍ୱାମୀ
ବୁଦୁରା ଗୌଡ ଏବଂ ତା’ର ୨ୟ ସ୍ତ୍ରୀ ଯମୁନା ମାଟିଆର ଟିପ ଚିହ୍ନ ୬ଟି ସାଧା କାଗଜରେ ନେଇ ଯାଇଥିଲେ?
ଆମ୍ବୁଲାନ୍ସରେ କୋରାପୁଟରୁ ବ୍ରହ୍ମପୁର ଯିବା ବାଟରେ ରାୟଗଡା ଠାରେ ଚନ୍ଦ୍ରମା ମୃତ୍ୟୁବରଣ କରିଥିଲା ।
ଚନ୍ଦ୍ରମାର ମୃତ୍ୟୁ ହେବାରୁ ହଠାତ୍ ପୋଲିସ ଚନ୍ଦ୍ରମାର ସ୍ୱାମୀ ବୁଦୁରା ଗୌଡ ଠାରୁ ତା’ର ମୋବାଇଲ୍ ଫୋନ୍ ଛଡାଇ
ନେଇଥିଲା । ପୋଲିସର ଏପରି କାର୍ଯ୍ୟ ଚନ୍ଦ୍ରମାର ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା କେଉଁ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ
କରୁଛି ତାହା ସହଜରେ ଅନୁମେୟ ।
ତା ୧୧ ମଇ ୨୦୨୦ ରିଖ ଦିନ ଚନ୍ଦ୍ରମାର ପୋଷ୍ଟମର୍ଟମ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ
ହୋଇଥିଲା । ଚନ୍ଦ୍ରମାର ମୃତ ଶରୀରକୁ ସିଧାସଳଖ ମାଲକାନଗିରି ଅଣାଯାଇଥିଲା । ମାତ୍ର ରାତି ଅଧରେ ପୋଲିସ
ଉପସ୍ଥିତ ରହି ଶବଦାହ କାର୍ଯ୍ୟ କରିବା ପାଇଁ ବୁଦୁରା ଗୌଡ଼କୁ ବାଧ୍ୟ କରିଥିଲେ । ଫଟୋ ଓ ଭିଡିଓ ସୁଟିଂ ନକରିବା
ପାଇଁ ପୋଲିସ ଧମକ ଚମକ ଦେଲେ ଓ ସମସ୍ତଙ୍କ ଠାରୁ ମୋବାଇଲ ଫୋନ ଛଡାଇ ନେଲେ ।
ଶ୍ରୀ ମାଝୀ ଏହି ଘଟଣାର ତୁରନ୍ତ ତଦନ୍ତ ପାଇଁ ମାଲକାନଗିରି କଂଗ୍ରେସ ପ୍ରତିନିଧି ଦଳ ଯାଇ ତା ୧୫ ମଇ
୨୦୨୦ ଦିନ ମାଲକାନାଗିର ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ । ଏସ୍‌ପି ୧୫ ଦିନ ଭିତରେ ସମସ୍ତ ଦୋଷୀଙ୍କୁ
ଧରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ସମଗ୍ର ଘଟଣାରେ ପୋଲିସର ଭୂମିକା ସନ୍ଦେହଜନକ ଥିବାରୁ
ମାଲ୍‌କାନଗିରି ଏସ୍‌ପି ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନାହାନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ
କରିଛନ୍ତି । ପୋଲିସର ଏତାଦୃଶ କାର୍ଯ୍ୟକଳାପରୁ ଏହି ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପୋଲିସର ଭୂମିକା ସ୍ପଷ୍ଟ
ସନ୍ଦେହ ପରିସରକୁ ଆସିଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି । ଯଦି ସରକାର ତୁରନ୍ତ ଦୋଷୀକୁ ଗିରଫ କରି ମୃତକର
ପରିବାର ବର୍ଗଙ୍କୁ ନ୍ୟାୟ ନଦିଅନ୍ତି ତେବେ ଆଗାମୀ ଦିନରେ ବିଧାନସଭା ଘେରାଉ କରାଯିବ ବୋଲି ଶ୍ରୀ ମାଝୀ
ଚେତାବନୀ ଦେଇଛନ୍ତି । ମୃତକର ପରିବାରକୁ ତୁରନ୍ତ ୨୦ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଦେବାକୁ ଶ୍ରୀ ମାଝୀ ଦାବି
କରିଛନ୍ତି ।
ଶ୍ରୀ ମାଝୀ କହିଛନ୍ତି ଯେ କୁନ୍ଦୁଲି ପୀଡିତାର ନ୍ୟାୟ ଦାବିରେ କୁନ୍ଦୁଲିରୁ ଦିଲ୍ଳୀ ପର୍ଯ୍ୟନ୍ତ ସେ ଲଢେଇ କରିଥିଲେ
ମଧ୍ୟ ନବୀନ ସରକାର ଅପରାଧିକୁ ସୁରକ୍ଷା ଦେବାରେ ସଫଳ ହୋଇଛନ୍ତି । କିନ୍ତୁ ସଂଗ୍ରାମ ଜାରି ରହିଛି । ପିପିଲିର
ବେବିନା, ଟିକିରିର ଇତିଶ୍ରୀ, ନବରଙ୍ଗପୁରର ହେମଲତା ପ୍ରେରିକା, ଧର୍ମଶାଳାର ସ୍ମିତାରାଣୀ ବିଶ୍ୱାଳ ଗଣଦୁଷ୍କର୍ମ ଓ
ହତ୍ୟାର ଶିକାର ହୋଇଥିବା ବେଳେ ଏବଂ ଯାଜପୁରର ମନିଷା ମଲ୍ଲିକ ପୋଲିସ ଦ୍ୱାରା ଅପହରଣ ଓ ଦୁଷ୍କର୍ମର ଶିକାର
ହୋଇ ନ୍ୟାୟ ପାଇଁ ଲଢେଇ କରୁଛି । ଗୃହ ବିଭାଗ ସଂପୂର୍ଣ୍ଣ ଅପାରଗ, ଗଣଦୁଷ୍କର୍ମ ବଢିଚାଲିଛି । କିନ୍ତୁ ଓଡିଶାର
ମୁଖ୍ୟମନ୍ତ୍ରୀ ଭାରତରେ ୧ ନମ୍ବର । ଏହା କେଉଁ ଗଣିତର ସୂତ୍ରରେ ସମ୍ଭବ ହୋଇପାରିଲା ତାହା ଓଡିଶାବାସୀ ପ୍ରଶ୍ନ
କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରମା ଭୁମିଆର ସ୍ୱାମୀ ବୁଦୁରା ଗୌଡ ସମେତ କଂଗ୍ରେସ ନେତା ସତ୍ୟପ୍ରକାଶ
ନାୟକ, ରଶ୍ମି ମହାପାତ୍ର, ଶୁଭଶ୍ରୀ ପଣ୍ଡା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking