ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ଷୋଡ଼ଶ ସଂସ୍କରଣ ଆରମ୍ଭ ହେବାକୁ ୧୦ ଦିନରୁ କମ୍ ସମୟ ଥିବାବେଳେ ଏହାର ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି । ଇଏସ୍ପିଏନ୍ କ୍ରିକ୍ଇନ୍ଫୋ ରିପୋର୍ଟ ଅନୁସାରେ ଚଳିତ ସିଜନ୍ରେ ଟସ୍ ପରେ କ୍ୟାପ୍ଟେନ୍ଙ୍କୁ ନିଜର ଚୂଡ଼ାନ୍ତ ଏକାଦଶ ଚୟନ ଅଧିକାର ଦିଆଯିବ । ଫଳରେ ସେ ପ୍ରଥମେ ଫିଲ୍ଡିଂ କିମ୍ବା ବ୍ୟାଟିଂକୁ ଧ୍ୟାନରେ ରଖି ନିଜ ଟିମ୍ର ଚୟନ କରିପାରିବେ ଏବଂ ଇମ୍ପାକ୍ଟ ପ୍ଲେୟାର୍ଙ୍କ ପ୍ରଭାବ ମଧ୍ୟ ଏହି ଅନୁସାରେ ଦେଖିବାକୁ ମିଳିବ ।
ଏହା ବ୍ୟତୀତ ଆଉ ଦୁଇଟି ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି ଯଦି କୌଣସି ଟିମ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ଓଭର୍ ପୂରା କରିନପାରିବେ, ତେବେ ଅତିରିକ୍ତ ସମୟରେ ବୋଲିଂ କରିବାକୁ ଥିବା ଓଭର୍ ବେଳେ ୩୦ ଗଜ ବାହାରେ କେବଳ ୪ ଜଣ ଫିଲ୍ଡର୍ ରହିପାରିବେ । ସେହିପରି ଯଦି ମ୍ୟାଚ୍ ବେଳେ ୱିକେଟ୍କିପର୍ କିମ୍ବା ଅନ୍ୟ କୌଣସି ଫିଲ୍ଡର ତ୍ରୁଟିପୂର୍ଣ୍ଣ ଭାବେ ହଲଚଲ ହେଉଥିବା ଦେଖିବାକୁ ମିଳିବ, ତେବେ ଅମ୍ପାୟାର୍ ଡେଡ୍ ବଲ୍ ଘୋଷଣା କରିବା ସହିତ ବିପକ୍ଷ ଟିମ୍କୁ ୫ ପେନାଲ୍ଟି ରନ୍ ଦେବେ ।
ଆଇପିଏଲ୍ର ଆଗାମୀ ସିଜନ୍ରେ ପ୍ରଥମ ଥର ପାଇଁ ଇମ୍ପାକ୍ଟ ପ୍ଲେୟର୍ ନିୟମ ଦେଖିବାକୁ ମିଳିବ । ଟସ୍ ପରେ ଦୁଇ ଟିମ୍ର କ୍ୟାପ୍ଟେନ୍ଙ୍କୁ ୪ ସବ୍ଷ୍ଟିଚ୍ୟୁଟ୍ ଖେଳାଳିଙ୍କ ନାମ ଦେବାକୁ ହେବ, ଯାହାଙ୍କୁ ମ୍ୟାଚ୍ ବେଳେ ଇମ୍ପାକ୍ଟ ପ୍ଲେୟର୍ ଭାବେ ଚୟନ କରାଯାଇପାରିବ । ତେବେ ଇମ୍ପାକ୍ଟ ପ୍ଲେୟର୍ଙ୍କ ପ୍ରୟୋଗ ଟିମ୍କୁ ୧୪ ଓଭର୍ ଶେଷ ହେବା ପୂର୍ବରୁ କରିବାକୁ ହେବ । ଇମ୍ପାକ୍ଟ ପ୍ଲେୟର୍ଙ୍କ ବଦଳରେ ଯେଉଁ ଖେଳାଳି ବାହାରକୁ ଯିବ, ସେ ଦ୍ୱିତୀୟ ଥର ପାଇଁ ଖେଳିପାରିବେ ନାହିଁ । ଏପରିକି ସେ ସବ୍ଷ୍ଟିଚ୍ୟୁଟ୍ ଖେଳାଳି ଭାବେ ମଧ୍ୟ ଫେରିପାରିବେ ନାହିଁ ।