ନୂଆଦିଲ୍ଲୀ: ୨୦୨୫ ବର୍ଷ ପାଇଁ ବ୍ରିକ୍ସ ସମ୍ମିଳନୀ ଶେଷ ହୋଇଛି । ଏହି ଅବସରରେ ବ୍ରିକ୍ସ ରାଷ୍ଟ୍ର ସମୂହ ଭାରତର ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପହଲଗାଓଁରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ମିଳିତ ଭାବେ ଦୃଢ଼ ନିନ୍ଦା କରିଥିଲେ । ଏହା ସହିତ ଆତଙ୍କବାଦ ବିରୋଧରେ ଗଠନମୂଳକ ଭାବେ ଶୂନ୍ୟ ସହନଶୀଳ ନୀତି ଆପଣାଇବାକୁ ରାଷ୍ଟ୍ରଗୁଡ଼ିକ ଆହ୍ୱାନ କରିଛନ୍ତି । ଚୂଡ଼ାନ୍ତ ଘୋଷଣାନାମାରେ ବ୍ରିକ୍ସ ରାଷ୍ଟ୍ରସମୂହ ଏକତ୍ର ହୋଇ ଆତଙ୍କବାଦ ବିରୋଧରେ ଲଢ଼େଇ କରିବାକୁ ସହମତି ପ୍ରକାଶ କରିଛନ୍ତି ।
ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ବିଭିନ୍ନ ପ୍ରସଙ୍ଗ ଯେପରିକି କୃତ୍ରିମ ବୁଦ୍ଧିମତ୍ତା, ଅର୍ଥନୈତିକ ସହଯୋଗ ଏବଂ ସଂସଦୀୟ ସହଯୋଗ କ୍ଷେତ୍ରରେ ଏକତ୍ର ହୋଇ କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି । ତେବେ ଆସନ୍ତା ୨୦୨୬ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରିବ ଭାରତ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ବ୍ରାଜିଲ୍ର ବ୍ରାସିଲିଆ ଠାରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଉଦ୍ଯାପନୀ ଦିବସରେ ଏ ନେଇ ଘୋଷଣା କରିଛନ୍ତି । ଚଳିତ ବର୍ଷ ଏହି ସମ୍ମିଳନୀର ଆୟୋଜନ କରିଥିବାରୁ ସେ ବ୍ରାଜିଲ ସଂସଦ, ସରକାର ଏବଂ ଦେଶବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।